ଭୁବନେଶ୍ବର : ଆସନ୍ତା ଶିକ୍ଷାବର୍ଷରୁ ପିଲାଙ୍କ ପାଠ୍ୟକ୍ରମରେ ଲିଙ୍ଗଗତ ସମାନତା ସାମିଲ କରାଯିବ। ବର୍ତ୍ତମାନ ପିଲାମାନଙ୍କୁ ଏକ ସହାୟକ ପୁସ୍ତିକା ମାଧ୍ୟମରେ ଲିଙ୍ଗଗତ ସମାନତାର ପାଠ ପଢ଼ାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଏହା ପରିଚାଳିତ ହେବ ଏବଂ ବ୍ରେକ୍ ଥ୍ରୋ ଓ ଜେ-ପଲ୍ ଟ୍ରଷ୍ଟ ଏଥିପାଇଁ ବୈଷୟିକ ଓ ଗବେଷଣା ସହାୟତା ଯୋଗାଇଦେବେ। ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହେବାକୁ ଥିବା ଏହି ଲିଙ୍ଗଗତ ସମାନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଲାଗି ଆଜି ଗଣଶିକ୍ଷା ବିଭାଗ ଓ ଉକ୍ତ ଦୁଇ ସଂସ୍ଥା ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଛି। ଏଥିସହ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଏକ ହୋଟେଲରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଏଡିଇଓ)ମାନଙ୍କ ଦିନିକିଆ ସମ୍ମିଳନୀରେ ସ୍କୁଲ ଶିକ୍ଷାର ବିକାଶ ନେଇ ରୂପରେଖ ପ୍ରସ୍ତୁତ କରାଯାଇଛି।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନକୁ ନିଜର ବ୍ରତ ଭାବେ ଗ୍ରହଣ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ, ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ଓ ବିଭାଗର ସର୍ବାଙ୍ଗିନ ବିକାଶ ଲାଗି ସାମୂହିକ ପ୍ରଚେଷ୍ଟା ଆବଶ୍ୟକ। ଏଥିରେ ଶିକ୍ଷା ଅଧିକାରୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ବାହାରେ ଥିବା ଓ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ଦକ୍ଷତା ବୃଦ୍ଧି ଲାଗି ଧନ୍ଦାମୂଳକ ଶିକ୍ଷାର ପ୍ରଚଳନ ଲାଗି ଏକ ପେଟିକାର ଉନ୍ମୋଚନ କରାଯାଇଛି। ଏହି କାର୍ଯ୍ୟକ୍ରମ ୧୦ଟି ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ୧୦୦ଟି ବିଦ୍ୟାଳୟରେ ପ୍ରଚଳନ କରାଯାଇଛି। ଯାହାକି ବିଦ୍ୟାଳୟ ସମୟ ନିର୍ଘଣ୍ଟ ବାହାରେ କ୍ଲାସ ହେବାର ଯୋଜନା ରହିଛି। ‘ଶିକ୍ଷଣ ଭରଣା ଯୋଜନା’ କାର୍ଯ୍ୟକ୍ରମର ପୁସ୍ତିକା ଓ ସଫ୍ଟୱେୟାର ମଧ୍ୟ ଆଜି ଲୋକାର୍ପିତ ହୋଇଛି। ଏହାଦ୍ବାରା ୪୩ ଲକ୍ଷ ୯୧ ହଜାର ୨୮୭ ଛାତ୍ରଛାତ୍ରୀ ଉପକୃତ ହେବେ।
ଉକ୍ତ ସମ୍ମିଳନୀରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ରାମାଶିଷ ହାଜରା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ।