ଆଜି ରାଜ୍ୟ କଂଗ୍ରେସର ‘ଭାରତ ଯୋଡ଼’ ବୈଠକ, ପହଞ୍ଚିଲେ ଦିଗବିଜୟ ସିଂ ଓ ଜୟରାମ ରମେଶ

ଭୁବନେଶ୍ବର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମ ଜାରି ରହିଛି। ସାଂସଦ ‌ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଦେଶବ୍ୟାପୀ ଏହି ପଦଯାତ୍ରା ଅନୁଷ୍ଠିତ ହେବ। ଓଡ଼ିଶାରେ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦେବା ଲାଗି ଶନିବାର ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ। ଆସନ୍ତାକାଲି କଂଗ୍ରେସ ଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବା ସହିତ କାର୍ଯ୍ୟକ୍ରମର ରୂପରେଖ କ’ଣ ହେବ ତାହା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ କାର୍ଯ୍ୟକ୍ରମ କରାଯାଉଛି। ଯେଉଁ ରାଜ୍ୟରେ ବର୍ତମାନସୁଦ୍ଧା ଏହି କାର୍ଯ୍ୟକ୍ରମ ହୋଇପାରିନାହିଁ, ସେସବୁ ରାଜ୍ୟରେ ଏହାକୁ କରିବା ଲାଗି ପଦକ୍ଷେପ ନିଆଯାଉଛି। ଏଥିପାଇଁ ଦିଗବିଜୟ ସିଂ, ଜୟରାମ ରମେଶ, ଏ.ଚେଲାକୁମାର ଓ ଜି.ରୁଦ୍ର ରାଜୁ ପ୍ରମୁଖ ଓଡ଼ିଶା ଆସିବା ସହିତ ଆସନ୍ତାକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ପଦଯାତ୍ରା ପାଇଁ ଜିଲ୍ଲା ସଂଯୋଜକ ନିଯୁକ୍ତି ଜାରି ରହିଛି। ୩୩ଟି ଜିଲ୍ଲାକୁ ଅବଜ‌ରଭରମାନେ ଯାଉଛନ୍ତି। ରାଜ୍ୟର ୩୭ହଜାର ବୁଥରେ ସଂଯୋଜକ ନିଯୁକ୍ତି ପରେ ପଞ୍ଚାୟତ, ଜିଲ୍ଲା ପରିଷଦ ଓ ୩୧୪ ବ୍ଲକ୍‌ରେ ମଧ୍ୟ ସେମାନଙ୍କୁ ନିଯୁକ୍ତ କରାଯିବ। ପରବର୍ତୀ ସମୟରେ ବୁଥ, ପଞ୍ଚାୟତ, ଜିଲ୍ଲା ପରିଷଦ ଜୋନ୍‌ ଓ ବ୍ଲକ୍‌ରେ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପଦଯାତ୍ରାରେ ଉଭୟ ବିଜେଡି ଓ ବିଜେପି ସରକାରଙ୍କ ବିଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ। ୨୨ବର୍ଷ ଧରି ବିଜେଡି ସରକାର ରାଜ୍ୟରେ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି। ଓଡ଼ିଶା ଏକ ଦରିଦ୍ର ରାଜ୍ୟରେ ପରିଣତ ହୋଇଛି। ରାଜ୍ୟରେ ଯୁବକମାନଙ୍କୁ ଠିକା ନିଯୁକ୍ତି ଦିଆଯାଉଛି। ଏହାକୁ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହିତ ସ୍ଥାୟୀ ଚାକିରି ପାଇଁ ଦାବି କରାଯାଉଛି। ସେହିପରି କେନ୍ଦ୍ରରେ ଥିବା ବିଜେପି ସରକାର ୨କୋଟି ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଗତ ୮ବର୍ଷରେ ୧୬କୋଟି ଯୁବକ ଚାକିରି ପାଇପାରିଲେ ନାହିଁ। ଏସବୁ ବିଫଳତାକୁ ଲୋକଲୋଚନକୁ ଅଣାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର