ପୁରୀ: ରାଜ୍ୟ କଂଗ୍ରେସର ତିନିଦିନିଆ ସଂକଳ୍ପ ପଦଯାତ୍ରା ଆଜି ଶେଷ ହୋଇଛି। ନବନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ହଜାର ହଜାର ନେତା ଓ କର୍ମୀ ଆଜି ପଦଯାତ୍ରା କରି ସିଂହଦ୍ବାରରେ ପହଞ୍ଚିବା ପରେ ଓଡ଼ିଶା ମାଟିରେ କଂଗ୍ରେସର ବିଜୟଧ୍ବଜା ଉଡ଼ାଇବା ପାଇଁ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। 

Advertisment

ଗତ ୧୮ ତାରିଖରୁ ଭୁବନେଶ୍ବରରୁ ପଦଯାତ୍ରାରେ ବାହାରିଥିବା ରାଜ୍ୟ କଂଗ୍ରେସ ନେତାମାନେ ସେହିଦିନ ପିପିଲିଠାରେ ଏବଂ ୧୯ ତାରିଖରେ ପଦଯାତ୍ରା କରି ଚନ୍ଦନପୁରରେ ରାତ୍ରିଯାପନ କରିଥିଲେ। ଆଜି ସକାଳୁ ଚନ୍ଦନପୁରରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ନେତା ଓ କର୍ମୀଙ୍କ ଗହଣରେ ପିସିସି ସଭାପତି ଶ୍ରୀ ଦାସ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇ ସନ୍ଧ୍ୟାରେ ସିଂହଦ୍ବାରରେ ପହଞ୍ଚିଥିଲେ। ଚନ୍ଦନପୁର, ମାଳତୀପାଟପୁର, ଅଠରନଳା, ମେଡିକାଲ୍‌ ଛକ ଆଦି ସ୍ଥାନମାନଙ୍କରେ ପଦଯାତ୍ରା ଦଳକୁ ଭବ୍ୟ ସ୍ବାଗତ ଦିଆଯାଇଥିଲା। ଏହି ଅବସରରେ ପିସିସି ସଭାପତି ଶ୍ରୀ ଦାସ କହିଥିଲେ, ଓଡ଼ିଶା ମାଟି କଂଗ୍ରେସର ମାଟି ଥିଲା। ଆଗକୁ ଓଡ଼ିଶାବାସୀ ଆମ ସହ ଯୋଡ଼ିହେବେ ଏବଂ ଓଡ଼ିଶାରେ ପୁଣି କଂଗ୍ରେସ ସରକାରକୁ ଫେରିବ। ଆଗକୁ ମହାବିପ୍ଳବ ଆରମ୍ଭ ହେବ। ପ୍ରଥମେ ନିଜକୁ ଓ ପରେ ଦଳକୁ ଠିକ୍‌ କରି ମହାବିପ୍ଳବର ଶୁଭାରମ୍ଭ କରିବୁ। ମହାପ୍ରଭୁଙ୍କ ଚରଣର ଭକ୍ତ ଓ ଦାସ ମୁଁ। ମୋର ଆତ୍ମବିଶ୍ବାସ ଓ ମୋ ଦଳର ନେତାଙ୍କ ଆତ୍ମବିଶ୍ବାସ ଯେଉଁଭଳି ଜାଗି ଉଠିଛି, ଆଜି ବାରି ହୋଇପଡ଼ୁଛି କଂଗ୍ରେସର ଆଗାମୀ ଭବିଷ୍ୟତ କ’ଣ ହେବ। 

ବିଜୟ ପାଇଁ ମହାପ୍ରଭୁଙ୍କ ଆଶିଷ ଭିକ୍ଷା
ଓଡ଼ିଶାକୁ ପୁଣି ଫେରିବ କଂଗ୍ରେସ: ଭକ୍ତ

ଓଡ଼ିଶା ପ୍ରଭାରୀ ଶ୍ରୀ ଲଲ୍ଲୁ କହିଥିଲେ, ଓଡ଼ିଶାବାସୀଙ୍କ କଲ୍ୟାଣ କାମନା କରି ଆମେ ଆଜି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛୁ। ଓଡ଼ିଶାରେ ଯେଉଁଭଳି ଭ୍ରଷ୍ଟାଚାର ବଢ଼ିଚାଲିଛି ଏବଂ ଓଡ଼ିଶାର ଅସ୍ମିତାକୁ ଖିନ୍‌ଭିନ୍‌ କରାଯାଉଛି; ତାହା ରାଜ୍ୟବାସୀ ଜାଣି ସାରିଲେଣି। ଶ୍ରୀକ୍ଷେତ୍ର ମାଟିରେ ଆଜି ଉଠାଦୋକାନୀଙ୍କୁ ହତାଦାର କରାଯାଉଛି। ଏଣୁ ସରକାରଙ୍କୁ ସଦ୍‌ବୁଦ୍ଧି ଦେବା ସହ ମହାପ୍ରଭୁଙ୍କ ନିକଟରେ ପରିବର୍ତ୍ତନ ପାଇଁ ପ୍ରାର୍ଥନା କରିଛୁ। ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ମହାପ୍ରଭୁଙ୍କ ଡାକରା ନଥିଲେ, ଏ ପଦଯାତ୍ରା ଏଭଳି ସଫଳ ହୋଇନଥାନ୍ତା। ମହାପ୍ରଭୁଙ୍କ ଇଚ୍ଛା ଥିଲା ଭକ୍ତ ଦାସଙ୍କ ନେତୃତ୍ବରେ ଏ ପଦଯାତ୍ରା ହେବା ପାଇଁ। ଗତ୨୫ ବର୍ଷ ହେଲା ବିଜେଡି ଓ ବିଜେପି ସରକାରରେ ଯୁବକ, ମହିଳାଙ୍କ ପାଇଁ ରୋଜଗାର ନାହିଁ। ଓଡ଼ିଆ ଅସ୍ମିତା କହି ବିଜେପି ସରକାର ଆଜି ଓଡ଼ିଶାବାସୀଙ୍କୁ ଭଣ୍ଡାଇ ଚାଲିଛନ୍ତି। କଂଗ୍ରେସ ଏହାର କଡ଼ା ଜବାବ ଦେବ। ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ କହିଥିଲେ, ଆଜି ଓଡ଼ିଶାରେ ଭ୍ରଷ୍ଟାଚାର, ଦୁର୍ନୀତି ଶୀର୍ଷରେ ପହଞ୍ଚିଛି। ସାଧାରଣ ଲୋକେ ନ୍ୟାୟରୁ ବଞ୍ଚିତ ହେଉଛନ୍ତି। ତିନିଦିନ ଧରି ଯେଉଁ ପଦଯାତ୍ରା ଚାଲିଛି, ସେଥିରେ ସାଧାରଣ ଲୋକଙ୍କ ମନରେ ଅନେକ ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏହି ଅବସରରେ ସିଂହଦ୍ବାର ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସ ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।