ସଟ୍‌ଡାଉନ୍‌ ଅବଧି ବୃଦ୍ଧିକୁ ଦୃଷ୍ଟିରେ ରଖି ଖାଉଟି କମିସନ ପକ୍ଷରୁ ସାନି ବିଜ୍ଞପ୍ତି

କଟକ : ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ କଟକ ସହର ସଟ୍‌ଡାଉନ୍‌ ଘୋଷଣାକୁ ଦୃଷ୍ଟିରେ ରଖି ରାଜ୍ୟ ଖାଉଟି ବିବାଦ ସମାଧାନ କମିସନଙ୍କ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଜୁଲାଇ ୮ ପର୍ଯ୍ୟନ୍ତ ସଟ୍‌ଉାଡନ୍‌ ଘୋଷଣାକୁ ଦୃଷ୍ଟିରେ ରଖି କମିସନଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ନେଇ ଜୁଲାଇ ୫ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଜୁଲାଇ ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। କମିସନ୍ ସଭାପତି ଡକ୍ଟର ଜଷ୍ଟିସ ଡି.ପି ଚ‌ୌଧୁରୀଙ୍କ ନିର୍ଦ୍ଦେଶକ୍ରମେ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କଟକ ସହର ସଟ୍‌ଡାଉନ୍‌ ପାଇଁ ଘୋଷଣା କରାଯିବା ପରେ କମିସନ୍ କେତେକ କଟକଣା ଜାରି କରି ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ସମୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନିୟୋଜିତ କରାଯିବ କମିସନଙ୍କ କାର୍ଯ୍ୟାଳୟରେ ଜରୁରୀ କାର୍ଯ୍ୟ କରିବା ପାଇଁ। ସଟ୍‌ଡାଉନ୍ ବେଳେ କୌଣସି ଜନସାଧାରଣଙ୍କୁ କମିସନଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ। ଏହି ଦିନଗୁଡିକରେ ତାଲିକାଭୁକ୍ତ ମାମଲା ମଧ୍ୟରୁ କେବଳ ଜରୁରୀ ମାମଲା ଶୁଣାଣି କରାଯିବ। ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ମାମଲା ଶୁଣାଣି କରାଯିବ। ଏହି ସମୟ ମଧ୍ୟରେ ଜରୁରୀ ମାମଲା ଶୁଣାଣି ଲାଗି କାର୍ଯ୍ୟଦିବସର ସକାଳ ୧୧ଟା ଭିତରେ ଇ-ମେଲ୍ ଓ ହ୍ବାଟ୍ସ୍‌-ଆପ୍ ମାଧ୍ୟମରେ ଅନୁରୋଧ ଗ୍ରହଣ କରାଯିବ। ଜରୁରୀ ମାମଲା ଶୁଣାଣି ପରେ ପ୍ରଦାନ କରାଯିବାକୁ ଥିବା ନିର୍ଦେଶ ସମ୍ପର୍କରେ ମଧ୍ୟ ସମାନ ବ୍ୟବସ୍ଥାରେ ଆଇନଜୀବୀ ଓ ପକ୍ଷଙ୍କୁ ଅବଗତ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଆଇନଜୀବୀ ଓ ପକ୍ଷମାନଙ୍କୁ ବ୍ୟକ୍ତିଗତ ଭାବେ କମିସନଙ୍କ ନିକଟରେ ଉପସ୍ଥିତ ନ ରହିବାକୁ ଅନୁରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର