ମାସେ ହେବ କଟକସ୍ଥିତ ରାଜ୍ୟ ଖାଉଟି କମିସନରେ ଅଚଳାବସ୍ଥା!

କଟକ : କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ (ଷ୍ଟେଟ୍‌ କନ୍‌ଜ୍ୟୁମର ଡିସପ୍ୟୁଟସ୍‌ ରିଡ୍ରେସାଲ କମିସନ)‌ରେ ଏକ ମାସ ହେବ ଅଚଳାବସ୍ଥା ଲାଗି ରହିଛି। ଖାଉଟି କମିସନରେ ଏବେ ମାମଲା ଶୁଣାଣି ବନ୍ଦ ରହିଛି। ଏଭଳି ଅବସ୍ଥା ପ୍ରାୟ ଏକ ମାସ ହେବ ଲାଗି ରହିଛି। ୨୦୨୦ ଜାନୁଆରି ୨୩ରେ ଖାଉଟି କମିସନ୍ ସଭାପତି ଜଷ୍ଟିସ ବି‌.କେ. ପଟେଲ ଅବସର ଗ୍ରହଣ କରିଥିଲେ। ଦୁଇ ସଦସ୍ୟ ପଦ ମଧ୍ୟରୁ ୨୦୧୮ରୁ ଗୋଟିଏ ଖାଲି ପଡ଼ିଥିଲା। ଏଭଳି ପରିସ୍ଥିତିରେ ଏବେ ସଭାପତି ଓ ଗୋଟିଏ ସଦସ୍ୟ ପଦ ଖାଲି ପଡିଛି। ଗୋଟିଏ ସଦସ୍ୟଙ୍କୁ ନେଇ ଚାଲିଛି ଖାଉଟି କମିସନ୍। କିନ୍ତୁ ଖାଉଟି କମିସନରେ ମାମଲା ଶୁଣାଣି ହୋଇ ପାରୁ ନାହିଁ। ଏବେ ରାଜ୍ୟରେ ପ୍ରଚଳିତ ଖାଉଟି ସୁରକ୍ଷା ଆଇନ ଅନୁସାରେ କୌଣସି ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ତପୀଠରେ ଅତି କମରେ ଦୁଇ ଜଣ ବିଚାରପତି ରହିବା ଆବଶ୍ୟକ। ଏପରି ପରିସ୍ଥିତିରେ ଜଣେ ସଦସ୍ୟଙ୍କୁ ନେଇ କିପରି ଖାଉଟି ଖାଉଟି କମିସନରେ ମାମଲା ଶୁଣାଣି ହେବ ତାକୁ ନେଇ କନଜ୍ୟୁମର ବାର‌୍‌ ଆସୋସିଏସନ ପ୍ରଶ୍ନ ଉଠାଇଥିଲା ଓ ତୁରନ୍ତ ସଭାପତି ଓ ସଦସ୍ୟ ପଦ ପୂରଣ ପାଇଁ ଦାବି କରିଥିଲା। ଅନ୍ୟପକ୍ଷରେ ସଭାପତି ଅବସର ଗ୍ରହଣ କରିବା ଏକ ମାସରୁ ଅଧିକ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ପଦବି ପୂରଣ କରାଯାଇ ନାହିଁ।

ସଭାପତିଙ୍କ ଅବସରର ୩ ମାସ ପୂର୍ବରୁ ସରକାର ଏହି ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା କଥା। କିନ୍ତୁ ଏପରି କରାଯାଇ ନଥିଲା। ଫଳରେ ଖାଉଟି କମିସନରେ ଏପରି ବିଚିତ୍ର ଅବସ୍ଥା ସୃଷ୍ଟି ହୋଇଛି ବୋଲି ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ କରୁଣାକର ଜେନା କହିଛନ୍ତି।

ସମ୍ବନ୍ଧିତ ଖବର