କରୋନାକୁ ଦୃଷ୍ଟିରେ ରଖି ଖାଉଟି କମିସନଙ୍କ ବିଜ୍ଞପ୍ତି : ଇ-ମେଲ୍‌ରେ ଜଣାଇଦିଆଯିବ ମାମଲାର ନିର୍ଦ୍ଦେଶନାମା

କଟକ : ‘କରୋନା’ ଭୂତାଣୁର ବିପଦକୁ ଦୃଷ୍ଟିରେ ରଖି କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ମାମଲାର ନିର୍ଦ୍ଦେଶନାମା ଇ-ମେଲ୍‌ରେ ଆଇନଜୀବୀ ଓ ପକ୍ଷଙ୍କୁ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଇନଜୀବୀ, କର୍ମଚାରୀ, ସର୍ବସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନ୍ ସଭାପତି ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କ ନିର୍ଦ୍ଦେଶରେ କରୋନା ପ୍ରତିଷେଧକ ବ୍ୟବସ୍ଥା ସଂପର୍କିତ ଖାଉଟି କମିସନଙ୍କ ସାନି ବିଜ୍ଞପ୍ତିରେ ଏଭଳି ନିଷ୍ପତ୍ତି ସଂପର୍କରେ ଉଲ୍ଲେଖ କରାଯାଇଛି।

ସୂଚନାନୁସାରେ, କମିସନଙ୍କ ନିକଟରେ ଆଇନଜୀବୀ ଓ ପକ୍ଷମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ନ ହେବା ପାଇଁ ଅନୁରୋଧ କରାଯାଇଛି। ମୁଖ୍ୟ ମାମଲା ନମ୍ବର, ଅନ୍ତରୀଣ ପିଟିସନ୍, ମେମୋ, ମିସ୍ କେସ୍ ପିଟିସନ୍, ଜରୁରୀ ମାମଲାର କାରଣ, ମୋକଦ୍ଦମାର ସଂକ୍ଷିପ୍ତ ସୂଚନା ଓ କମିସନଙ୍କ ମାଧ୍ୟମରେ ମାମଲାରେ ଦାବି କରାଯାଉଥିବା ପ୍ରତିକାର (ପ୍ରାର୍ଥନା) ସଂପର୍କରେ ଇ-ମେଲ୍ ମାଧ୍ୟମରେ କମିସନଙ୍କୁ ଅବଗତ କରିବା ପାଇଁ ଆଇନଜୀବୀ ଓ ପକ୍ଷଙ୍କୁ ଅନୁରୋଧ କରାଯାଇଛି। କମିସନଙ୍କ ଇ-ମେଲ୍ ଆଡି ([email protected])ରେ ଏହି ସବୁ ତଥ୍ୟ ମାମଲା ଶୁଣାଣି ତାରିଖ ସକାଳ ୧୦ ସୁଦ୍ଧା ପହଞ୍ଚିବା ଆବଶ୍ୟକ। ସଂପୃକ୍ତ ଦିନ ୧୧ଟାରେ କମିସନଙ୍କ ନିକଟରେ ମାମଲା ରେକର୍ଡ ଉପସ୍ଥାପନ କରାଯିବ ଓ ମାମଲାରେ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରାଯିବ। ମାମଲାରେ କମିସନ୍‌ଙ୍କ ନିର୍ଦ୍ଦେଶର ବିବରଣୀ ଆଇନଜୀବୀ ଓ ପକ୍ଷଙ୍କୁ ଇ-ମେଲ୍ ମାଧ୍ୟମରେ ଯଥାଶୀଘ୍ର ଅବଗତ କରାଯିବ। ଏଭଳି ବ୍ୟବସ୍ଥା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ କମିସନଙ୍କ ନିକଟକୁ ଆସିବାକୁ ଅନୁମତି ଦିଆଯିବ ନାହିଁ। ପ୍ରତିଦିନ ତାଲିକାଭୁକ୍ତ ମାମଲାର ଶୁଣାଣି କିଛି କାଳ ପାଇଁ ମୁଲତବି ରଖାଯିବା ସହିତ ଭବିଷ୍ୟତର ତାରିଖ ଧାର୍ଯ୍ୟ କରାଯିବ। ଯଦି ମାମଲାର ଶୁଣାଣି ସମୟରେ କୌଣସି ଆଇନଜୀବୀ ବା ପକ୍ଷ ଅନୁପସ୍ଥିତ ରୁହନ୍ତି, କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ। କେବଳ ଅନ୍ତରୀଣ ଓ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଭଳି ବିଜ୍ଞପ୍ତିକୁ କଂଜ୍ୟୁମର ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ କରୁଣାକର ଜେନା ସ୍ବାଗତ କରିବା ସହିତ ସମସ୍ତଙ୍କୁ ଏହା ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର