ଖାଉଟି କମିସନରେ ଅଚଳାବସ୍ଥା ଆଶଙ୍କା : ୨୩ରେ ଅବସର ଗ୍ରହଣ କରିବେ ସଭାପତି, ୨୦୧୮ରୁ ଖାଲି ପଡ଼ିଛି ସଦସ୍ୟ ପଦ

କଟକ : କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ (ଷ୍ଟେଟ୍‌ କନ୍‌ଜ୍ୟୁମର ଡିସପ୍ୟୁଟସ୍‌ ରିଡ୍ରେସାଲ କମିସନ)‌ରେ ସଂପୂର୍ଣ୍ଣ ଭାବେ ଅଚଳାବସ୍ଥା ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି। ୧୬ ମାସ ହେବ ଗୋଟିଏ ବିଚାରବିଭାଗୀୟ ସଦସ୍ୟ ପଦ ଖାଲି ପଡ଼ିଥିବା ବେଳେ ଜାନୁଆରି ୨୩ରେ ସଭାପତି ଜଷ୍ଟିସ ବି.‌କେ.ପଟେଲ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ସଭାପତିଙ୍କ ଅବସର ପରେ ଖାଉଟି କମିସନରେ ମାମଲା ଶୁଣାଣି ପାଇଁ କେବଳ ଜଣେ ସଦସ୍ୟ ରହିବେ। ଅନ୍ୟପକ୍ଷରେ ଏବେ ରାଜ୍ୟରେ ପ୍ରଚଳିତ ଖାଉଟି ସୁରକ୍ଷା ଆଇନ ଅନୁସାରେ କୌଣସି ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ତପୀଠରେ ଅତି କମରେ ଦୁଇ ଜଣ ବିଚାରପତି ରହିବା ଆବଶ୍ୟକ। ଫଳରେ ଜାନୁଆରି ୨୪ରୁ ଖାଉଟି କମିସନ‌ରେ ଏକ ପ୍ରକାର ଅଚଳ ହେବାର ଆଶଙ୍କା ସୃଷ୍ଟି ହୋଇଛି ‌ବୋଲି କନଜ୍ୟୁମର ବାର‌୍‌ ଆସୋସିଏସନ ସଭାପତି ଆଇନଜୀବୀ କରୁଣାକର ଜେନା ଅଭିଯୋଗ କରିଛନ୍ତି।

ଖାଉଟି କମିସନରେ ସଭାପତିଙ୍କ ସହିତ ଦୁଇ ଜଣ ସଦସ୍ୟ ମାମଲା ଶୁଣାଣି କରୁଥିବା ବେଳେ ୨୦୧୮ରେ ଜଣେ ବିଚାର ବିଭାଗୀୟ ସଦସ୍ୟ ଅବସର ଗ୍ରହଣ କରିଥିଲେ। ବର୍ତ୍ତମାନ ଖାଉଟି କମିସନରେ ସଭାପତି ଜଷ୍ଟିସ ବି.କେ.ପଟେଲ ରହିଥିବା ବେଳେ ଆଉ ମାତ୍ର ଜଣେ ସଦସ୍ୟ ରହିଛନ୍ତି। ୨୦୧୮ରୁ ଖାଲି ପଡିଥିବା ସଦସ୍ୟ ପଦ ପୂରଣ ପ୍ରସଂଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ବେଳେ ଆସନ୍ତା ସପ୍ତାହରେ ସଭାପତି ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ସଭାପତିଙ୍କ ଅବସରର ୩ ମାସ ପୂର୍ବରୁ ସରକାର ଏହି ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ଫଳରେ ଖାଉଟି କମିସନରେ ସଂପୂର୍ଣ୍ଣ ଭାବେ ଅଚଳାବସ୍ଥା ସୃଷ୍ଟି ହେବାକୁ ଯାଉଛି।

ଅନ୍ୟପକ୍ଷରେ ଗତ ବର୍ଷ କରାଯାଇଥିବା ନୂଆ ଖାଉଟି ସୁରକ୍ଷା ଆଇନ ରାଜ୍ୟରେ କାର୍ଯ୍ୟକାରୀ ହୋଇନାହିଁ। ୨୦୧୯, ଅଗଷ୍ଟ ୯ରେ କେନ୍ଦ୍ର ସରକାର ନୂଆ ଖାଉଟି ସୁରକ୍ଷା ଆଇନ, ୨୦୧୯ ପ୍ରଣୟନ ନେଇ ଗେଜେଟ ନୋଟିଫିକେସନ୍ କରିଥିଲେ। ନୂଆ ଖାଉଟି ସୁରକ୍ଷା ଆଇନ ନେଇ ଗତ ଅଗଷ୍ଟରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏ ସଂପର୍କିତ ରୁଲ ବା ନିୟମାବଳୀ ପ୍ରଣୟନ କରାଯାଇ ନଥିବାରୁ ଏହା ଆମ ରାଜ୍ୟରେ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ ବୋଲି ବାର୍ ଆସୋସିଏସନ୍ ସଭାପତି ଶ୍ରୀ ଜେନା କହିଛନ୍ତି। ଏଥି ସହିତ ଖାଉଟି ମାମଲାର ତ୍ବରିତ ଶୁଣାଣି ପାଇଁ ଅତିରିକ୍ତ ଖଣ୍ଡପୀଠ ଗଠନ ପାଇଁ ସରକାର ୨୦୧୭ରେ ନିଷ୍ପତ୍ତି ନେଇଥିବା ବେଳେ ଏହା କାର୍ଯ୍ୟକାରୀ କରାଯାଉ ନାହିଁ। ୨୦୦୪, ମେ ୭ ତାରିଖରେ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗର ଅତିରିକ୍ତ ସଚିବ ରାଜ୍ୟ ଖାଉଟି କଲ୍ୟାଣ ବିଭାଗକୁ ୪ଟି ଅତିରିକ୍ତ ବେଞ୍ଚ୍‌ ଗଠନ ପାଇଁ ପଦକ୍ଷେପ ଗ୍ରହଣ ଲାଗି ଚିଠି ଲେଖିଥିଲେ। ଖାଉଟି କମିସନରେ ପୂର୍ବରୁ ସଭାପତି ଓ ଦୁଇ ସଦସ୍ୟ ପଦ ଥିବା ବେଳେ ଅତିରିକ୍ତ ଖଣ୍ଡପୀଠ ପାଇଁ ଆଉ ଦୁଇଟି ସଦସ୍ୟ ପଦ ସୃଷ୍ଟି ନେଇ ସରକାର ୨୦୧୭, ଅଗଷ୍ଟ ୧୭ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଭିତ୍ତିଭୂମି, ଖାଉଟି ଅଦାଲତ ଗୁଡିକରେ ସଦସ୍ୟ ପଦ ପୂରଣ, କର୍ମଚାରୀ ଅଭାବ ଯୋଗୁଁ ବହୁ ସମୟରେ ଖାଉଟି ବିବାଦ ଗୁଡିକର ଶୁଣାଣିରେ ବିଳମ୍ବ ହେଉଛି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର