ଭୁବନେଶ୍ବର : ରାଜ୍ୟରେ ତମାଖୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଏକ ୱାର୍କିଂ ଗ୍ରୁପ୍ ତଥା ରାଜ୍ୟସ୍ତରୀୟ ସମନ୍ବୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ୭ଟି ବିଭାଗ ରହିଥିବା ସହିତ ରାଜ୍ୟ ଖାଦ୍ୟ ସୁରକ୍ଷା କମିସନରଙ୍କୁ ଏଥିରେ ସାମିଲ କରାଯାଇଛି। ପ୍ରତି ୩ମାସରେ ଥରେ ଏହି ସମନ୍ବୟ କମିଟି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତମାଖୁ କାର୍ଯ୍ୟକ୍ରମ ସଂପର୍କିତ ରିପୋର୍ଟ ପ୍ରଦାନ କରିବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି।
୭ଟି ବିଭାଗର ସମନ୍ବୟରେ ହେବ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ
ପ୍ରତି ୩ ମାସରେ ଥରେ ମୁଖ୍ୟ ଶାସନ ସଚିବଙ୍କୁ କମିଟି ରିପୋର୍ଟ ଦେବ
ଏହି କମିଟିରେ ମୋଟ୍ ୧୨ଜଣ ସଦସ୍ୟ ରହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ସଚିବ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ସଦସ୍ୟ ଆବାହକ ଅଛନ୍ତି। ଏହାସହ ଗୃହ ବିଭାଗ, ଅବକାରୀ, ଗୃହ ଓ ନଗର ଉନ୍ନୟନ, ଶିଳ୍ପ, ସୂଚନା ଓ ଲୋକସଂପର୍କ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରର ଅତିରିକ୍ତ ମୁଖ୍ୟ ଶାସନ ସଚିବ କିମ୍ବା ତାଙ୍କ ପ୍ରତିନିଧି, ପୁଲିସ ମହାନିର୍ଦେଶକ, ଭୁବନେଶ୍ବର-କଟକ ପୁଲିସ କମିସନର, ରାଜ୍ୟ ଖାଦ୍ୟ ସୁରକ୍ଷା କମିସନର, ରାଜ୍ୟ ଭେଷଜ ନିର୍ଦେଶକ ସଦସ୍ୟ ରହିଛନ୍ତି। ୨୦୨୧ ମସିହା ଅଗଷ୍ଟ ମାସରେ ରାଜ୍ୟ ସରକାର ଏ ସଂକ୍ରାନ୍ତୀୟ ଯେଉଁ କମିଟି ଗଠନ କରିଥିଲେ ତହିଁରେ ସଂଶୋଧନ କରିଛନ୍ତି।
୨୦୧୩ ମସିହା ଜାନୁଆରି ୩ ତାରିଖରେ ରାଜ୍ୟରେ ଗୁଟ୍ଖାକୁ ନିଷିଦ୍ଧ ଘୋଷଣା ହୋଇଥିଲା। ଏହା ଭିତରେ ୧୦ବର୍ଷ ବିତି ଯାଇଥିବା ହେଁ ରାଜ୍ୟରେ ଗୁଟ୍ଖା ନିୟନ୍ତ୍ରଣ ସମ୍ଭବ ହୋଇପାରିନାହିଁ। ଏବେ ବି ଦୋକାନରେ ଖୁଲମଖୁଲା ଭାବେ ଗୁଟ୍ଖା ଓ ତମାଖୁ ବିକ୍ରି ହେଉଛି। କୋଟ୍ପା ଆଇନ ମଧ୍ୟ ଠିକ୍ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ତମାଖୁ ସେବନକୁ ନେଇ ବିଭିନ୍ନ ସମୟରେ ହୋଇଥିବା ୩ଟି ସର୍ବେକ୍ଷଣରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ ରହିଛି। ୨୦୦୯/୧୦ ମସିହାରେ ହୋଇଥିବା ବିଶ୍ବ ବୟସ୍କ ତମାଖୁ ସର୍ଭେ(ଜିଏଟିଏସ୍)ରେ ରାଜ୍ୟରେ ୪୬.୨ ପ୍ରତିଶତ ଲୋକ ତମାଖୁ ସେବନ କରୁଥିବା ବେଳେ ୨୦୧୬/୧୭ ସର୍ଭେରେ ଏହା ସାମାନ୍ୟ ହ୍ରାସ ପାଇ ୪୫.୬ ପ୍ରତିଶତରେ ପହଞ୍ଚିଥିଲା। ସେହିପରି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫ୍ଏଚ୍ଏସ୍-୫ରେ ରାଜ୍ୟରେ ତମାଖୁ ସେବନ କରୁଥିବା ଲୋକଙ୍କ ହାର ୫୧.୬ ପ୍ରତିଶତ ଥିବା ବେଳେ ତହିଁରେ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରୁଥିବା କୁହାଯାଇଛି। ଏହାସହ ବିଶ୍ବ ଯୁବ ତମାଖୁ ସର୍ଭେ(ଜିୱାଇଟିଏସ୍)-୨୦୧୯ରେ ରାଜ୍ୟର ୬.୨ ପ୍ରତିଶତ ଯୁବପିଢ଼ି ତମାଖୁ ସେବନ କରୁଥିବା ନଜରକୁ ଆସିଛି। ଖୋଲାମେଲାରେ ତମାଖୁ ବିକ୍ରି ହେଉଥିବା କାରଣରୁ ରାଜ୍ୟରେ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।