ସୁନ୍ଦରଗଡ଼ରେ ପ୍ରଥମ: ଦୁଇ ଦିନିଆ ସାଇକଲ ଚାଳନାରେ ଭାଗ ନେବେ ୮୦ ପ୍ରତିଯୋଗୀ

ସୁନ୍ଦରଗଡ଼: ଶନିବାର ଠାରୁ ସୁନ୍ଦରଗଡ଼ରେ ପ୍ରଥମ କରି ଦୁଇଦିନିଆ ୩୯ତମ ରାଜ୍ୟସ୍ତରୀୟ ସାଇକଲ ଚାଳନା ପ୍ରତିଯୋଗିତା ଆୟୋଜିତ ହେବ। ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଓ ଓଡ଼ିଶା ସାଇକ୍ଲିଂ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତରେ ସାରା ଓଡ଼ିଶାରୁ ୮୦ ଜଣ ପ୍ରତିଯୋଗୀ ଭାଗ ନେବେ। ଏହା ସହ ୨୫ ଜଣ ପରିଚାଳକ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ। ଏ ନେଇ ଆଜି ସ୍ଥାନୀୟ ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତା ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି।

ଉଭୟ ବାଳକ ଓ ବାଳିକା ବିଭାଗରେ ୧୪ ବର୍ଷରୁ କମ୍, ୧୬ ବର୍ଷରୁ କମ୍, ୧୮ ବର୍ଷରୁ କମ୍ ଓ ୨୩ ବର୍ଷରୁ କମ୍ ବୟସ ବର୍ଗ ମଧ୍ୟରେ ବ୍ୟକ୍ତିଗତ ସମୟଭିତ୍ତିକ ସାଇକଲା ଚାଳନା ଓ ସମୂହ ସାଇକଲ ଚାଳନା ଅନୁଷ୍ଠିତ ହେବ। ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାକୁ କ୍ରୀଡ଼ା ସଂସଦ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଶନିବାର ସକାଳ ୯ଟାରେ ସୁନ୍ଦରଗଡ଼ ସହର ନିକଟ ସେବତୀବାହାଲ ଠାରୁ ସାଇକଲ ଚାଳନା ଆରମ୍ଭ ହେବ। ପ୍ରତିଯୋଗୀ ୨୦ କିଲୋମିଟର ରାସ୍ତା ଅତିକ୍ରମ କରି ନିଜ ପରାକାଷ୍ଠା ପ୍ରଦର୍ଶନ କରିବେ ବୋଲି ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସାଇକ୍ଲିଂ ସଂଘ ସଭାପତି ଅର୍ଜୁନ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାଇକଲ ଚାଳିକା ମିନତି ମହାପାତ୍ର, ଉପସଭାପତି ଦିଲୀପ ନାଟିଆ, ଲିଙ୍ଗରାଜ ଷଡ଼ଙ୍ଗୀ, ନୃସିଂହଚରଣ ସାହୁ, ପ୍ରଦୀପ ଦାସ, ନିହାର ଜେନା, ମନୋରଞ୍ଜନ ବେହେରାଙ୍କ ସମେତ ଜିଲ୍ଲା କ୍ରୀଡ଼ା ସଂସଦ ଉପସଭାପତି ରାଜେନ୍ଦ୍ର ମହାନ୍ତି, ଜୟଦେବ ପାତ୍ର, ପୌଷଚନ୍ଦ୍ର ପଟେଲ, ଅଜୟ ବହିଦାର, ଆଶିଷ ଦେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର