ଭୁବନେଶ୍ୱର: ପୁଣି ମୁଣ୍ଡ ଟେକିଲାଣି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଆନ୍ଦୋଳନ। ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କିଭଳି ଅକଳରେ ପକାଯିବ, ସେଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ଏଥର ୱାର୍ଡସ୍ତରରୁ ଗାଁ ଓ ପଞ୍ଚାୟତରେ ଆନ୍ଦୋଳନ ହେବ। ଆସନ୍ତା ୧୩ରୁ ୧୮ତାରିଖ ପର୍ଯ୍ୟନ୍ତ, ୬ଦିନ ଧରି ରାଜ୍ୟର ସବୁ ତହସିଲ ଅଫିସ୍ ଆଗରେ ଜମାକାରୀ ବିକ୍ଷୋଭ କରିବେ। ପରେ ସବୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯିବ। ଏପ୍ରିଲ ୧୦ କିମ୍ବା ୧୧ତାରିଖରେ ଭୁବନେଶ୍ବରରେ ଲକ୍ଷାଧିକ ଜମାକାରୀଙ୍କୁ ନେଇ ରାଜ୍ୟସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ପାଇଁ ପ୍ରସ୍ତୁତ ହେବ। ଆଜି ଭୁବନେଶ୍ୱରସ୍ଥିତ ନାଗଭୂଷଣ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜମାକାରୀ ଗଣସମ୍ମିଳନୀରେ ସର୍ବସମ୍ମତିକ୍ରମେ ଏଭଳି ନିଷ୍ପତ୍ତି ନେଇଛି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ।
ମଞ୍ଚର ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ, ସମାଜରେ ବିଭିନ୍ନ ଦାବି ନେଇ ଅନେକ ଆନ୍ଦୋଳନ ମୁଣ୍ଡ ଟେକୁଛି, ହେଲେ ସେସବୁ ତିଷ୍ଠି ପାରୁନାହାନ୍ତି। ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ଜମାକାରୀମାନେ ଏକାଠି ହେବା ଏକ ଅଦ୍ଭୂତ ଘଟଣା। ଦିନ ଦି’ପହରେ ଲୋକ ଠକାମିର ଶିକାର ହେଲେ ଏବଂ ସରକାର ଠକଙ୍କୁ ସହଯୋଗ କଲେ। ଓଡ଼ିଶାରେ ବିରୋଧୀ ଦଳ ନିଷ୍କ୍ରିୟ ଏବଂ ଲୋକସଭାରେ ସ୍ବୀକୃତିପ୍ରାପ୍ତ ବିରୋଧୀ ଦଳ ନାହିଁ। ଏଭଳି ସମୟରେ ଜମାକାରୀ ଟଙ୍କା ଫେରସ୍ତ ଦାବି ସହ ସଂଗଠନକୁ ମଜଭୁତ କରି ଅନ୍ୟାୟ ବିରୋଧରେ ବିରୋଧୀ ଦଳର ଭୂମିକା ନେଇ କାମ କରିବେ। ଘରେ ଘରେ ‘ପାର୍ଟି ନୁହେଁ, ମାଟି ବଡ଼’ ସଂକଳ୍ପ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବରିଷ୍ଠ ସାମ୍ବାଦିକ ତଥା ମଞ୍ଚର ଉପଦେଷ୍ଟା ରବି ଦାସ ସଂଙ୍ଗଠନକୁ ମଜଭୁତ କରି ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କହିଥିଲେ। ମଞ୍ଚର ସଭାପତି ଶ୍ରୀ ଦାସଙ୍କ ସୂଚନାନୁସାରେ, ୨ ଲକ୍ଷରୁ ଅଧିକ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଯାଇଛି ବୋଲି ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ମିଛ ସତ୍ୟପାଠ ଦାଖଲ କରିଛନ୍ତି। ସୂଚନା ଅଧିକାର ଜରିଆରେ କିମ୍ବା ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନରେ ସରକାର ‘ତଥ୍ୟ ସଂଗ୍ରହ’ କରୁଛନ୍ତି ବୋଲି ଉତ୍ତର ରଖିଛନ୍ତି। ରାଜ୍ୟ ସରକାର ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦେବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ଏବେ ତହସିଲ ଜରିଆରେ ଜମାକାରୀଙ୍କୁ ଚିହ୍ନଟ, ଅସାଧୁ କମ୍ପାନି ବିରୋଧରେ ପୁଲିସ ମକଦ୍ଦମା, ସମସ୍ତ ଅସାଧୁ ସଂସ୍ଥାର ସମ୍ପତ୍ତି ଜବତ କରିବା ସହ ବଜାରରେ ନିଲାମ କରି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଦାବି କରାଯାଇଛି।
ଏପ୍ରିଲ ଦ୍ବିତୀୟ ସପ୍ତାହରେ ରାଜ୍ୟସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ
ବିରୋଧୀ ଦଳର ଭୂମିକା ନେବ ଜମାକାରୀ ମିଳିତ ମଞ୍ଚ: ସୌମ୍ୟ
ଅନ୍ୟପଟେ ଗଣସତ୍ୟାଗ୍ରହ ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟଙ୍କ ନିକଟକୁ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତି ତହସିଲକୁ ଯାଞ୍ଚ ପାଇଁ ଯାଇଥିବା ଜମାକାରୀଙ୍କ ତାଲିକା ଫେବ୍ରୁଆରି ୮ସୁଦ୍ଧା ପ୍ରତ୍ୟେକ ତହସିଲଦାରଙ୍କଠାରୁ ତହସିଲସ୍ତରୀୟ ନେତୃତ୍ୱ ସଂଗ୍ରହ କରିବେ। ଯେଉଁ ଜମାକାରୀଙ୍କ ତାଲିକା ଯାଇଛି, ମାତ୍ର ଯାଞ୍ଚ ସମ୍ଭବ ହୋଇନାହିଁ, ସେହି ତାଲିକା ଆଣି ସମ୍ପୃକ୍ତ ଜମାକାରୀଙ୍କୁ ତହସିଲ ନିକଟରେ ଉପସ୍ଥାପିତ କରାଯିବ। ସେହିଭଳି କେଉଁ ଜିଲ୍ଲାରେ କେତେଜଣ ଜମାକାରୀଙ୍କୁ କେତେ ଟଙ୍କା ଫେରସ୍ତ କରାଯାଇଛି, ସେ ରିପୋର୍ଟ ପ୍ରତ୍ୟେକ ଅତିରିକ୍ତ ଜିଲ୍ଲାପାଳଙ୍କଠାରୁ ଜିଲ୍ଲା ନେତୃତ୍ୱ ସଂଗ୍ରହ କରିବେ। ଫେବ୍ରୁଆରି ପ୍ରଥମ ସପ୍ତାହରୁ ପ୍ରତ୍ୟେକ ପଞ୍ଚାୟତ ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମରୁ ଅନ୍ୟୂନ ୧୦ଜଣ ଜମାକାରୀଙ୍କୁ ମଞ୍ଚ ସହ ସଂଯୋଗ ଅଭିଯାନ ଚାଲିବ। ଆସନ୍ତା ୮ ଫେବ୍ରୁଆରିରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛତ୍ରପୁରଠାରେ ଓ ୧୦ ଫେବ୍ରୁଆରିରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ପାଇଁ ମଞ୍ଚ ପକ୍ଷରୁ ଆହ୍ବାନ କରାଯାଇଛି।
ଆଜି ସଭାରେ ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, କର୍ମକର୍ତ୍ତା ବିଭୁଧ ମିଶ୍ର, ଅଖିଳ ମୋହନ ଲେଙ୍କା, ଅନୁରାଧା ସୁବୁଦ୍ଧି, ପ୍ରଦୀପ ମହାରଣା, ଚଣ୍ଡାଳ ପ୍ରଧାନ, ଉମେଶ ନାୟକ, ସାହାରା ଜମାକାରୀ ମଞ୍ଚର ନେତା ବିଜୟ ପାଢ଼ୀ, ସଂଜୀବ ପଣ୍ଡା, ନେତା ତ୍ରିନାଥ ପଣ୍ଡା, ରମେଶ ମହାନନ୍ଦିଆ, ବରୁଣ ବିଶି, ବାସୁଦେବ ମେହେର, ଉମେଶ ସାହୁ, ସୁଶାନ୍ତ ମହାପାତ୍ର, କିଶୋର ବଗର୍ତ୍ତି, ତୀର୍ଥରାମ ରଣା, ରଞ୍ଜନ ସାହୁ, ଦେବରାଜ ବେହେରା, ତପନ ସିଟ୍, ଅଖିଳ ପାପାଲି, ସଦାନନ୍ଦ ଗୁଣ୍ଠା, ଶିବପ୍ରସାଦ ପଣ୍ଡା, ଯୁଧିଷ୍ଠିର ମହାରଣା, ସୁପାଇ ବେଶ୍ରା, ଲବ ପୁଟେଲ୍, ବିଜୟ ସାହୁ, ସ୍ୱରୂପ ଦାସ, ଭାଗିରଥୀ ପଣ୍ଡା ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ବକ୍ତବ୍ୟ ଦେଇ ସବୁ ଜମାକାରୀଙ୍କ ଟଙ୍କା ଫେରସ୍ତ ପର୍ଯ୍ୟନ୍ତ ଜମାକାରୀ ଗଣସତ୍ୟାଗ୍ରହକୁ ଆହୁରି ଶକ୍ତିଶାଳୀ କରିବାକୁ ଆାହ୍ବାନ ଦେଇଥିଲେ।