ଭୁବନେଶ୍ବର : ଚତୁର୍ଦ୍ଦଶ ଅର୍ଥ କମିସନ୍ଙ୍କ ସୁପାରିସ୍ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍ଡିଆର୍ଏଫ୍)କୁ କେନ୍ଦ୍ର-ରାଜ୍ୟ ଅନୁପାତ ୯୦:୧୦ ହାରରେ ଅନୁଦାନ ଦେବା କଥା। କିନ୍ତୁ ତାହାକୁ ମାନି ନାହାନ୍ତି କେନ୍ଦ୍ର ସରକାର। ପୂର୍ବ ପରି ୭୫:୨୫ ହାରରେ ଅନୁଦାନ ଦେବା ଦ୍ବାରା ଓଡ଼ିଶା ଚଳିତ ବର୍ଷ ପ୍ରାୟ ୨୬୬ କୋଟି ଟଙ୍କା ହରାଇବାକୁ ଯାଉଛି।
ଚତୁର୍ଦ୍ଦଶ ଅର୍ଥ କମିସନ୍ ଓଡ଼ିଶା ପାଇଁ ଏସ୍ଡିଆର୍ଏଫ୍ର ପରିମାଣ ୪୧୩୦ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। କମିସନ୍ଙ୍କ ସୁପାରିସ୍ ଅନୁଯାୟୀ ଏହି ପାଣ୍ଠିରେ କେନ୍ଦ୍ର ସରକାର ୯୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ଅଂଶ ରହିବ। ସେହି ଅନୁଯାୟୀ କେନ୍ଦ୍ର ସରକାର ୩୭୧୭ କୋଟି ଟଙ୍କା ଦେବା କଥା। କେନ୍ଦ୍ର ସରକାର ଯେତେବେଳେ କମିସନ୍ଙ୍କ ସୁପାରିସ୍ ଗ୍ରହଣ କଲେ ସେତେବେଳେ କହିଲେ ଯେ ଜିଏସ୍ଟି ଲାଗୁ ହେବା ପରେ ଏହି ସୁପାରିସ୍ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ।
ଚତୁର୍ଦ୍ଦଶ ଅର୍ଥ କମିସନ୍ଙ୍କ ସୁପାରିସ୍ ୨୦୧୫-୧୬ରୁ କାର୍ଯ୍ୟକାରୀ କରିବା ଆରମ୍ଭ ହେଲା। ପ୍ରଥମ ଦୁଇ ବର୍ଷ ଅର୍ଥାତ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୭୫ ପ୍ରତିଶତ ହାରରେ ଅନୁଦାନ ଦେଲେ। ୨୦୧୭-୧୮ରୁ ଜିଏସ୍ଟି କାର୍ଯ୍ୟକାରୀ ହେବା ସେଙ୍ଗ ସଙ୍ଗେ ଏହା ୯୦ ପ୍ରତିଶତ ହାରରେ ମିଳିବା କଥା। କିନ୍ତୁ କେନ୍ଦ୍ର ସରକାର ଏହି ବର୍ଷ ବି ପୂର୍ବ ଦୁଇ ବର୍ଷ ପରି ୭୫:୨୫ ହାରରେ ଅନୁଦାନ ଦେଲେ।
୨୦୧୮ ଜାନୁଆରିରେ ନୂଆଦିଲ୍ଲୀରେ ହୋଇଥିବା ପ୍ରାକ୍-ବଜେଟ୍ ପରାମର୍ଶ କାର୍ଯ୍ୟକ୍ରମରେ ଓଡ଼ିଶାର ଅର୍ଥ ମନ୍ତ୍ରୀ ଯୋଗ ଦେଇ ଏହି ପ୍ରସଙ୍ଗ ଉଠାଇଥିଲେ। ଯେହେତୁ ୨୦୧୭ ଜୁଲାଇ ୧ରୁ ଜିଏସ୍ଟି ଲାଗୁ ହୋଇଛି, ତେଣୁ ତୁରନ୍ତ ଏସ୍ଡିଆର୍ଏଫ୍ରେ କେନ୍ଦ୍ର-ରାଜ୍ୟ ଅନୁଦାନ ହାର ୯୦:୧୦ କରିବାକୁ ସେ ଦାବି କରିଥିଲେ।
ଏହା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୯୦ ପ୍ରତିଶତ ହାରରେ ଅନୁଦାନ ଦେଲେ। କିନ୍ତୁ ଚଳିତ ବର୍ଷ ଏହି ନିୟମକୁ ମାନିବାକୁ କେନ୍ଦ୍ର ଆଉ ପ୍ରସ୍ତୁତ ନାହିଁ। ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଥମ ତିନି ବର୍ଷ ପରି ୭୫:୨୫ ହାରରେ ଅନୁଦାନ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୫୫୨ କୋଟି ଟଙ୍କା କେନ୍ଦ୍ର ଦେଇଛି। କିନ୍ତୁ ୯୦:୧୦ ହାରରେ ଏହି ପରିମାଣ ୮୧୮ କୋଟି ଟଙ୍କା ହେବା କଥା। ଫଳରେ ଓଡ଼ିଶା ୨୬୬ କୋଟି ଟଙ୍କା ହରାଇଛି। ଆହୁରି ମଧ୍ୟ ହିସାବ କରି କେନ୍ଦ୍ର ଦର୍ଶାଇଛି ଯେ ଗତ ବର୍ଷ କେନ୍ଦ୍ରୀୟ ଅଂଶ ବାବଦକୁ ଯେଉଁ ଅଧିକ ୧୨୯ କୋଟି ୭୫ ଲକ୍ଷ ଟଙ୍କା ଦିଆଯାଇଥିଲା, ସେହି ଅର୍ଥ ଏବେ ଭରଣା କରାଯାଉ।
କେନ୍ଦ୍ରର ଏପରି ଅତର୍କିତ ନିଷ୍ପତ୍ତି ଫଳରେ ଓଡ଼ିଶା କେନ୍ଦ୍ରରୁ କମ୍ ଅଂଶଧନ ପାଇଲା। ଚତୁର୍ଦ୍ଦଶ ଅର୍ଥ କମିସନ୍ଙ୍କ ସୁପାରିସ୍କୁ କେନ୍ଦ୍ର ସରକାର କିପରି ଏଡ଼ାଇ ଗଲେ ବୋଲି ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ର ତୁରନ୍ତ ନିଷ୍ପତ୍ତି ନ ବଦଳାଇଲେ ରାଜ୍ୟ ଲଗାତର ଭାବେ କ୍ଷତି ସହିବାର ଆଶଙ୍କା ରହିଛି।