ଘୋଷଣାକୁ ହେଲାଣି ୪ ବର୍ଷ, କୋଠା ନିର୍ମାଣରେ ସୀମିତ ରାଜ୍ୟର ୨ ଔଷଧ ପରୀକ୍ଷାଗାର

ଭୁବନେଶ୍ବର : ରାଜ୍ୟରେ ବର୍ତମାନ ଦୁଇଟି ଅତ୍ୟାଧୁନିକ ଔଷଧ ପରୀକ୍ଷାଗାର ପ୍ରତିଷ୍ଠା ହେଉଛି। ଗୋଟିଏ ଭୁବନେଶ୍ବରସ୍ଥିତ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜରେ ଓ ଅନ୍ୟଟି ସମ୍ବଲପୁରରେ। ଓଡ଼ିଶାରେ ହୋମିଓପ୍ୟାଥିକ ଔଷଧ ପରୀକ୍ଷାଗାର ଦେଶର ଦ୍ବିତୀୟ। ସମ୍ବଲପୁରରେ ହେବାକୁ ଥିବା ଏଲୋପ୍ୟାଥିକ ପରୀକ୍ଷାଗାର ରାଜ୍ୟର ଦ୍ବିତୀୟ। ମାତ୍ର ଦୁଇ ପରୀକ୍ଷାଗାରର ଘୋଷଣାକୁ ୪ବର୍ଷ ବିତିବାକୁ ବସିଲାଣି। ଏବେ ଯାଏ କେବଳ କୋଠା ନିର୍ମାଣରେ ସୀମିତ ରହିଛି। ସରକାରୀସ୍ତରରେ ଅବହେଳା ପାଇଁ ଏହି ଦୁଇ ଔଷଧ ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇପାରୁନାହିଁ।

ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହୋମିଓପ୍ୟାଥିକ ଫାର୍ମାକୋପିଆ ଲାବୋରେଟାରି(ଏଚ୍‌ପିଏଲ୍‌) ପରେ ଦେଶର ଦ୍ବିତୀୟ ପରୀକ୍ଷାଗାରର ମାନ୍ୟତା ପାଇଥିଲା ଓଡ଼ିଶା। ଜାତୀୟ ଆୟୁଷ ମିସନ(ନାମ୍) ଜରିଆରେ ଓଡ଼ିଶାରେ ଏହି ହୋମିଓପ୍ୟାଥିକ ଔଷଧ ପରୀକ୍ଷାଗାରର ପ୍ରତିଷ୍ଠା କରାଯାଉଛି। ଯାହାକୁ ନେଇ ସରକାରୀସ୍ତରରେ ବେଶ୍ ଚର୍ଚ୍ଚା କରାଯାଇଥିଲା। ୨୦୧୬/୧୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଏହାର ମଞ୍ଜୁର କରିଥିବା ବେଳେ ୨୦୧୮ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ମୋଟ ୩କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୧.୨କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହା ଭିତରେ ପରୀକ୍ଷାଗାର ପାଇଁ କେବଳ ଦୁଇ ମହଲା ବିଶିଷ୍ଟ କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପରୀକ୍ଷାଗାରରେ ସାଇଣ୍ଟିଫିକ୍ ଅଫିସର ସମେତ ଆନାଲିଷ୍ଟ ଓ ଅନ୍ୟ ପଦବି ରହିବ। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପଦବି ସୃଷ୍ଟି ହୋଇନାହିଁ। କେବେ କାର୍ଯ୍ୟକ୍ଷମ ହେବ ତାହା ବି ଅନିଶ୍ଚିତତା ଭିତରେ ରହିଛି।

ହୋମିଓପ୍ୟାଥିକ ପରୀକ୍ଷାଗାରର ଯନ୍ତ୍ରପାତି କି ମାନବ ସମ୍ବଳ ନାହିଁ
ସମ୍ବଲପୁର ଏଲୋପ୍ୟାଥିକ ପରୀକ୍ଷାଗାର କାର୍ଯ୍ୟକ୍ଷମରେ ବିଳମ୍ବ

ରାଜ୍ୟ ଆୟୁଷ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜାତୀୟ ଆୟୁଷ ମିସନ ଜରିଆରେ ପରୀକ୍ଷାଗାରର ନିର୍ମାଣ ହେଉଛି। ନାମ୍‌ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦ : ୪୦ ଭାଗିଦାରୀ ରହିଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କଠାରୁ ଯେତିକି ଅର୍ଥ ଆସିଥିଲା ତହିଁରେ କୋଠା ନିର୍ମାଣ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଛି। ପରବର୍ତୀ ଅର୍ଥ ମଞ୍ଜୁର କରିବା ଲାଗି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସରକାର ଅର୍ଥ ମଞ୍ଜୁର ହେବା ପରେ ମାନବ ସମ୍ବଳ ଓ ଯନ୍ତ୍ରପାତି କିଣାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସେହିପରି ଭୁବନେଶ୍ବର ପରେ ରାଜ୍ୟର ଦ୍ବିତୀୟ ଏଲୋପ୍ୟାଥିକ ଔଷଧ ପରୀକ୍ଷାଗାର ସମ୍ବଲପୁରରେ ନିର୍ମାଣ ହେଉଛି। ଏଥିପାଇଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୧୯ରେ ଏହା ଶୁଭ ଦିଆଯାଇଥିଲା। ଏହା କାର୍ଯ୍ୟକ୍ଷମ ହେଲେ ପଶ୍ଚିମ ଓଡ଼ିଶାରେ ଔଷଧ ନମୁନା ପରୀକ୍ଷା ତ୍ବରାନ୍ବିତ ହେବ। ଏହାସହ ଭୁବନେଶ୍ବର ପରୀକ୍ଷାଗାର ଉପରୁ ଚାପ କମିବ। ପରୀକ୍ଷାଗାର ପାଇଁ ନୂତନ କୋଠା ନିର୍ମାଣ ସହିତ ଆବଶ୍ୟକ ଯନ୍ତ୍ରପାତି କିଣା ସରିଛି। ହେଲେ ପାଣି ସଂଯୋଗ କାର୍ଯ୍ୟ ବିଳମ୍ବ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୂତଳ ଜଳ ଉପରେ ପରୀକ୍ଷାଗାରକୁ ପରିଚାଳନା କରିବା ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ତାହା ସମ୍ଭବ ନ ହେବାରୁ ନିଷ୍ପତ୍ତି ବଦଳାଇ ମହାନଦୀରୁ ସ୍ବତନ୍ତ୍ରଭାବେ ପାଇପ୍ ଜରିଆରେ ପାଣି ସଂଯୋଗ କରାଯିବ। ମାତ୍ର ଏଥିପାଇଁ ଟେଣ୍ଡର ହୋଇନାହିଁ। ଔଷଧ ନ‌ିର୍ଦେଶାଳୟ ଓ ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ପାଇଁ ଟେଣ୍ଡର ହୋଇପାରୁ ନ ଥିବା କୁହାଯାଉଛି।

ରାଜ୍ୟ ଔଷଧ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସମ୍ବଲପୁର ଔଷଧ ପରୀକ୍ଷାଗାର ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରସ୍ଥିତ ପରୀକ୍ଷାଗାରରୁ କିଛି କର୍ମଚାରୀ ଏହାକୁ ପରିଚାଳନା କରିବେ। ମାତ୍ର ସ୍ଥାୟୀ ମାନବ ସମ୍ବଳ ନିଯୁକ୍ତି ପାଇଁ ଓପିଏସ୍‌ସିକୁ ପ୍ରସ୍ତାବ ଦିଆଯାଇଛି। ଖୁବଶୀଘ୍ର ଏହାର ବିଜ୍ଞପ୍ତି ପ୍ରକାଶ ପାଇବ। ପରୀକ୍ଷାଗାରରେ ପାଣି ସମସ୍ୟାର ସମାଧାନ ପାଇଁ ସ୍ବତନ୍ତ୍ରଭାବେ ଏକ ପାଇପ୍ ବିଛା ଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା କିଛିମାସ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ଉଦ୍ୟମ କରାଯାଉଥିବା ଉକ୍ତ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର