୩ଶହ କୋଟିର ଔଷଧ କିଣିବ ନିଗମ

ଔଷଧ ନିଗମର ୨୩ତମ ବୋର୍ଡ ବୈଠକରେ ନିଷ୍ପତ୍ତି, ଗୁଣାତ୍ମକ ଔଷଧ ଓ ଖରିଦରେ ସ୍ବଚ୍ଛତା ଉପରେ ଗୁରତ୍ବ, ସ୍ବାସ୍ଥ୍ୟ ବିଭାଗ ଓ ଔଷଧ ନିଗମର ରାଜିନାମା ସ୍ବାକ୍ଷରିତ

ଭୁବନେଶ୍ବର : ଚଳିତବର୍ଷ ରାଜ୍ୟ ଔଷଧ ନିଗମ ୩ଶହ କୋଟି ଟଙ୍କାର ଔଷଧ କିଣିବ। ଏହାସହ ୨୫୦ କୋଟିର ଡାକ୍ତରୀ ଯନ୍ତ୍ରପାତି ସହିତ ‘ଖୁସି’ ଯୋଜନାରେ ୭୫ କୋଟି ଟଙ୍କାର ସାନଟାରି ନାପକିନ୍‌କୁ ମିଶାଇଲେ ସମୁଦାୟ ୬୨୫କୋଟି ଟଙ୍କାର ସାମଗ୍ରୀ କିଣିବା ପାଇଁ ନିଗମର ୨୩ତମ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୋର୍ଡର ଅଧ୍ୟକ୍ଷ ତଥା ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ‌ଅନୁଷ୍ଠିତ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୧୮/୧୯ବର୍ଷରେ ନିଗମରେ ହୋଇଥିବା ବିଭିନ୍ନ ଖର୍ଚ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହେବା ସହିତ ସର୍ବସମ୍ମତିକ୍ରମେ ଅନୁମୋଦନ ଲାଭ କରିଥିଲା। ଆଗାମୀ ଦିନରେ ଔଷଧ ନିଗମର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ସହିତ ଔଷଧର ଖରିଦ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ ଓ ତ୍ବରାନ୍ବିତ କରାଯିବା ତାହା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଠିକଣା ସମୟରେ ବିଭିନ୍ନ ଡାକ୍ତରଖାନା ଗୁଡ଼ିକରେ ଯେଭଳି ଆବଶ୍ୟକ ଔଷଧ ପହଞ୍ଚି ପାରିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି।

ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ଔଷଧ ନିଗମର ମଧ୍ୟରେ ୨୦୧୯/୨୦ବର୍ଷ ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସ୍ବାସ୍ଥ୍ୟ ବିଭାଗର ବିଭାଗୀୟ ସଚିବ ଡା. ମେହେର୍ଦା ଓ ଔଷଧ ନିଗମ ପକ୍ଷରୁ ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ ରାଜିନାମାରେ ସ୍ବାକ୍ଷରିତ କରିଛନ୍ତି। ରାଜିନାମା ଅନୁସାରେ ରାଜ୍ୟ ସରକାରଙ୍କ ଏକ ଦାୟିତ୍ବପୂର୍ଣ୍ଣ ଓ ବିଶ୍ବସନୀୟ ଏଜେଣ୍ଟଭାବେ ଔଷଧ ନିଗମ ଗୁଣାତ୍ମକ ଔଷଧ ସଂଗ୍ରହ କରି ଯୋଗାଇବା ସହିତ ସ୍ବଚ୍ଛତା ଉପାୟରେ ଏହା ଖରିଦ କରିବ। ସେସବୁ ବୈଜ୍ଞାନିକ ଉପାୟରେ ମହଜୁଦ ରଖିବା ସହିତ ଆବଶ୍ୟକ ମୁତାବକ ଠିକଣା ସମୟରେ ତାହାକୁ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗୁଡ଼ିକୁ ଯୋଗାଇ ଦେବେ। ସେହିପରି ଡାକ୍ତରୀ ଯନ୍ତ୍ରପାତି, ସରଞ୍ଜାମ ଓ ଅନ୍ୟାନ୍ୟ ଭିତ୍ତିଭୂମି ଆଦି ସରକାରଙ୍କୁ ଯୋଗାଇବା ସମୟରେ ଗୁଣାତ୍ମକ ଓ ମିତବ୍ୟୟତା ଅବଲମ୍ବନ କରିବା ପାଇଁ କୁହାଯାଇଛି। ଏହି ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର