ରାଜ୍ୟ ନିର୍ବାଚନ କମିସନ୍, ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍: କ’ଣ ପାଇଁ ପୌର ନିର୍ବାଚନ ବିଳମ୍ବ ହୋଇଛି ଜଣାଅ

କଟକ: ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ କୁମାର ମିଶ୍ରଙ୍କ ପକ୍ଷରୁ କଟକ, ପୁରୀ ଓ ଭୁବନେଶ୍ବରରେ ପୌରାଞ୍ଚଳ ନିର୍ବାଚନ ପ୍ରସଙ୍ଗ ନେଇ ଦାୟର ପୃଥକ ଆବେଦନର ହାଇକୋର୍ଟ ଏକତ୍ର ଶୁଣାଣି କରି ରାଜ୍ୟ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କୁ ‌ନୋଟିସ୍ ଜାରି କରିବା ସହ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ’ଣ ପାଇଁ ପୌର ନିର୍ବାଚନ ପ୍ରସଙ୍ଗରେ ବିଳମ୍ବ ହୋଇଛି, ସେ ନେଇ ରାଜ୍ୟ ନିର୍ବାଚନ କମିସନ ଓ ରାଜ୍ୟ ସରକାର ଜବାବ ରଖିବେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ତିନି ରିଟ୍ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କଟକ, ପୁରୀ ଓ ଭୁବନେଶ୍ବର ପୌରାଞ୍ଚଳ ନିର୍ବାଚନ ପ୍ରସଙ୍ଗରେ ବିଳମ୍ବ ନେଇ ହାଇକୋର୍ଟରେ ଅଗଷ୍ଟ ୧୨ରେ ଏହି ତିନି ମାମଲା ରୁଜୁ ହୋଇଥିଲା। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ପୌର ପରିଷଦର ନିର୍ବାଚିତ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ଶେଷହେବା ପୂର୍ବରୁ ନିର୍ବାଚନ ହେବା କଥା। କିନ୍ତୁ ଇତିମଧ୍ୟରେ ତିନିବର୍ଷ ବିତିବାକୁ ବସିଥିବାବେଳେ ପୌର ନିର୍ବାଚନ କରାଯାଉନାହିଁ। ରାଜ୍ୟ ସରକାରଙ୍କ ଚାପରେ ରାଜ୍ୟ ନିର୍ବାଚନ କମିସନ୍ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନ ନିଜ ସାମ୍ବିଧାନିକ ଦାୟିତ୍ବ ସଂପାଦନ କରିବାରେ ବିଫଳ ହୋଇଛନ୍ତି। ଯଦି ପୌର ନିର୍ବାଚନ ନିର୍ଦ୍ଧାରିତ ସମୟରେ କରିବା ପାଇଁ କିଛି ସମସ୍ୟା ରହୁଥାଏ ତେବେ ରାଜ୍ୟ ନିର୍ବାଚନ କମିସନ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ।

ଏ ନେଇ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ କିଶୋର ସିଂ ତୋମର ମାମଲାରେ ସ୍ପଷ୍ଟ ରାୟ ଦେଇଥିଲେ। କିନ୍ତୁ ପୌର ନିର୍ବାଚନ ପ୍ରସଙ୍ଗରେ ସମ୍ବିଧାନରେ ଥିବା ବ୍ୟବସ୍ଥା ସହିତ ସୁପ୍ରିମକୋର୍ଟଙ୍କ ରାୟର ପାଳନ କରାଯିବାରେ ଅବହେଳା କରାଯାଇଛି। ବିଭିନ୍ନ ଆଳ ଦେଖାଇ ବେଆଇନ ଭାବେ ପୌର ନିର୍ବାଚନ ବିଳମ୍ବ କରାଯାଉଛି। ଏହା ସମ୍ବିଧାନିକ ବ୍ୟବସ୍ଥା ଓ ଗଣତନ୍ତ୍ର ପ୍ରତି ଚରମ ଅସମ୍ମାନ। ପୌର ନିର୍ବାଚନ ହେଉ ନଥିବାରୁ ପୌରାଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜନ ପ୍ରତିନିଧି ନଥିବାରୁ ଲୋକମାନେ ସେମାନଙ୍କ ସମସ୍ୟାର ସମାଧାନର ବାଟ ବାହାର କରି ପାରୁନାହାନ୍ତି। ଉପଯୁକ୍ତ ସେବା ପୌରାଞ୍ଚଳରେ ଲୋକମାନେ ପାଇପାରୁ ନାହାନ୍ତି। ଉନ୍ନତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗଣତନ୍ତ୍ରିକ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ ବିନା ଶାସନ ଚାଲିଛି। ତୁରନ୍ତ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ନିର୍ବାଚନ କମିସନ୍, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୫କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର