କରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ବର: କରୋନା ସଂକ୍ରମଣ ମୁକାବିଲା ନେଇ ପଂଚାୟତ ଉପ-ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଆଗକୁ ହେବାକୁ ଥିବା ପଂଚାୟତ ଉପ-ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ମାର୍ଚ୍ଚରେ ରାଜ୍ୟର ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଂଚ, ୮ଟି ସମିତି ସଭ୍ୟ ଓ ୮୪ ୱାର୍ଡ ମେମ୍ବର ପଦବୀ ପୂରଣ ପାଇଁ ହେବାକୁ ଥିବା ଉପ-ନିର୍ବାଚନ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିଭଳି କରୋନା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଥିବା ବେଳେ ଏବେ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଓ ଏକାଦଶର ପରୀକ୍ଷାକୁ ସ୍ଥଗିତ ରହିବାକୁ ନିର୍ଦ୍ଦେଶ ରହିଛି । ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା କେବଳ ଜାରି ରହିବ । ଶିକ୍ଷକମାନେ ସ୍କୁଲକୁ ନଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲକୁ ନଆସିଲେ ବି ଶିକ୍ଷକମାନେ ଆଲର୍ଟ ରହିବେ ।ଜରୁରୀ ନିର୍ଦ୍ଦେଶ ପାଇଁ ଫୋନରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । । ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତାଦେଖା ଯଥାରୀତିରେ ଚାଲିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର