ଭୁବନେଶ୍ବର : ରାଜ୍ୟରେ କୋଭିଡ ପରିସ୍ଥିତି ସାଂଘାତିକ ନହେଲେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିବା ସମ୍ଭାବନା କମ୍। ଧାର୍ଯ୍ୟ ସମୟରେ ପଞ୍ଚାୟତ ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିସନ ସମସ୍ତ ପ୍ରକାରର ପ୍ରସ୍ତୁତି ଚଳାଇଛନ୍ତି। ଯେପରି ନିର୍ବାଚନରେ କୌଣସି ପ୍ରକାରର ନ୍ୟାୟିକ ପ୍ରତିବନ୍ଧକ ରହିବନି ସେଥିପାଇଁ କେଉଁ ଗ୍ରାମପଞ୍ଚାୟତ ଓ ବ୍ଲକର ପଞ୍ଚାୟତ ନିର୍ବାଚନ-୨୦୨୨କୁ ନେଇ ହାଇକୋର୍ଟରେ କ’ଣ ମାମଲା ଅଛି ଏବଂ ସ୍ଥିତି କ’ଣ ଅଛି ତାହା ଜଣାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ଆର୍.ଏନ୍ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଯେ, ହାଇକୋର୍ଟରେ ଏବେ ବହୁ ରିଟ୍ ପିଟିସନ୍ ପଡ଼ିଛି। ସବୁ ପିଟିସନ୍ରେ ଜିଲ୍ଲା ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଥିବା ବେଳେ କିଛି ପିଟିସନ୍ରେ ରାଜ୍ୟ ନିର୍ବାଚନ କମିସନଙ୍କୁ ପକ୍ଷଭୁକ୍ତ କରାଯାଇଛି। ତେଣୁ କେଉଁ ଗ୍ରାମପଞ୍ଚାୟତ, ବ୍ଲକର ପିଟିସନ୍ ଉପରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ କି ସ୍ଥଗିତାଦେଶ ଦେଇ ନିର୍ବାଚନ ନକରିବାକୁ ବାରଣ କରିଛନ୍ତି ତାହା ଆସନ୍ତା ୭ତାରିଖ ସୁଦ୍ଧା ସେମାନେ ଜଣାଇବା ଦରକାର। ଏହାପରେ ରାଜ୍ୟ ସରକାର କେତେ ପଞ୍ଚାୟତ ଓ ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ କରିବେ ସେନେଇ ନିଷ୍ପତ୍ତି ନେବେ।
ସେହିପରି ଆସନ୍ତା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରୁ ପ୍ରାୟ ୧୦ଟି ଜିଲ୍ଲାକୁ ନିର୍ବାଚନ ସମ୍ପର୍କିତ ଫର୍ମ, ଭୋଟରଙ୍କ ପାଇଁ ବ୍ୟବହୃତ କାଳି, ପଞ୍ଚାୟତ ମାନୁଆଲ, ଷ୍ଟାମ୍ପ ଓ ୭ ପ୍ରକାରର ସିଲ୍ ପଠାଯାଇଛି। ଆସନ୍ତା ଦୁଇ ଦିନ ଭିତରେ ସବୁ ଜିଲ୍ଲାକୁ ପଠାଯିବ ବୋଲି କୁହାଯାଇଛି। ଅପରପେକ୍ଷ ରାଜ୍ୟ ନିର୍ବାଚନ କମିସନ ୧୦ତାରିଖରେ ସର୍ବଦଳୀୟ ବୈଠକ ଡାକିଥିବାବେେଳ ୧୨ରେ ଜିଲ୍ଲାପାଳ ଓ ଏସ୍ପିଙ୍କ ବୈଠକ ଡାକିଛନ୍ତି। କିନ୍ତୁ କରୋନା ସଂକ୍ରମଣ ବଢ଼ୁଥିବାରୁ ଲୋକେସବା ଭବନରେ ହେବାକୁ ଥିବା ଜିଲ୍ଲାପାଳ ଓ ଏସ୍ପିଙ୍କ ବୈଠକ ଅଫଲାଇନ୍ ମୋଡରେ ନକରି ଭର୍ଚୁଆଲ କରିବାକୁ ଯୋଜନା ହେଉଛି। ରାଜ୍ୟ ନିର୍ବାଚନ କମିସନ ଦ୍ବିତୀୟ ସପ୍ତାହ ଶେଷ ବେଳକୁ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।