ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ହାତିବାଡ଼ି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କୋଟଣାପାଣି ଗ୍ରାମ ତଥା ଆଖପାଖ ଅଞ୍ଚଳ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ପରିଚିତ। ଚଳିତ ବର୍ଷ ଏହି ଅଞ୍ଚଳରୁ ଅଧିକ ମ୍ୟାଲେରିଆ ରୋଗୀ ପୀଡିତ ଥିବା ଜଣାପଡ଼ିଛି। ଏହି ସବୁ ଅଞ୍ଚଳରେ ମଶା କିଭଳି ବୃଦ୍ଧି ହେଉଛି ଏବଂ କେଉଁ କେଉଁ ପ୍ରକାର ମଶା ଏହି ଅଞ୍ଚଳରେ ରହୁଛନ୍ତି।
ସେହିପରି କେଉଁ ପରିବେଶରେ ମଶା ରହୁଛନ୍ତି ଏସବୁ ଜାଣିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଚୟନ କ୍ରମେ ବୁଧବାର ରାତ୍ରରେ ରାଜ୍ୟ କୀଟତତ୍ତ୍ୱ ବିଭାଗ ପକ୍ଷରୁ କୀଟତତ୍ତ୍ୱ ବିଶେଷାଜ୍ଞ ଡାକ୍ତର ଆର ଏସ ପଣ୍ଡିତ ସହ ମିହିର ରଞ୍ଜନ ପଟ୍ଟନାୟକ ଦୁର୍ଗମ କୋଟଣାପାଣି ଗ୍ରାମ ଗସ୍ତ କରିଥିଲେ।ଉଭୟ କୋଟଣାପାଣି ଗ୍ରାମ ସହ ଆଖପାଖ ଗ୍ରାମର ଗାଇ ଗୁହାଳ ଏବଂ ଘରେ ଥିବା ପ୍ରାୟ ଶହେ ମଶା ସଂଗ୍ରହ କରିଥିଲେ। ସେହି ସବୁ ମଶାକୁ ନେଇ ବିଭିନ୍ନ ପରୀକ୍ଷା କରିବା ପରେ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଝରିଗାଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
କିଛି ଦିନ ମଧ୍ୟରେ ଏହି ସବୁ ଉପାନ୍ତ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି। ଗ୍ରାମବାସୀଙ୍କୁ ମଶାରୀ ଟାଙ୍ଗି ଶାଇବା ପାଇଁ ପରାମର୍ଶ ଦେବା ସହ ଜ୍ଵର ହେଲେ ତୁରନ୍ତ ସ୍ଥାନୀୟ ଆଶା ଦିଦିଙ୍କୁ ଜଣାଇବା ସହ ନିୟମିତ ଔଷଧ ସେବନ ପାଇଁ କୁହାଯାଥିଲା।ତେବେ ପ୍ରାୟ ପାଞ୍ଚ ବର୍ଷ ତଳେ ଦିଆଯାଇଥିବା ମଶାରୀ କିଛି ଲୋକଙ୍କ ନଷ୍ଟ ହୋଇଯାଇଥିବା ବେଳେ ଯେଉଁ ମାନଙ୍କ ପାଖରେ ମଶାରୀ ଅଛି ହାହାର ଔଷଧୀୟ ଗୁଣବତ୍ତା କମି ଯାଉଥିବା ଅଭଯୋଗ ହୋଇଛି।
କୋଟଣାପାଣି ଗସ୍ତ ସମୟରେ ଜିଲ୍ଲା ମ୍ୟାଲେରିଆ ପରାମର୍ଶ ଦାତା ଦିନେଶ୍ ପ୍ରହରାଜ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ସନ୍ତୋଷ ପ୍ରଧାନ, ଭିବିଡ଼ି ଟି ଏସ ସୁନୀଲ ପାତ୍ର,ଏଲ ଟି ହରେକୃଷ୍ଣ ମିଶ୍ର, ସୁପରଭାଇଜର ପରନାଥ ମାଝୀ, ସ୍ୱାସ୍ଥ୍ୟ କର୍ମୀ ମମତା ବାଘ, ଆଶା କର୍ମୀ ଦୁର୍ମିଳା ମାଝୀ, ଅଙ୍ଗନ ବାଡ଼ି କର୍ମୀ ଲଷ୍ମୀ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ହାତିବାଡ଼ି ଗ୍ରାମ ଠାରୁ କୋଟଣାପାଣି ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ମାଟି ରାସ୍ତା ସହ ଖାଲଢ଼େଫ ଥିବା ଯୋଗୁଁ ଯିବା ଆସିବା ବେଳେ ସମସ୍ୟା ହୋଇଥିବା ଜଣାପଡିଛି।