ସମ୍ବଲପୁର : ରାଜ୍ୟ ଅବକାରୀ କମିସନର୍‌ ଆଶିଷ କୁମାର ସିଂ ଗୁରୁବାର ସମ୍ବଲପୁର ଗସ୍ତରେ ଆସି ଉତ୍ତରାଞ୍ଚଳ ମଣ୍ଡଳର ୧୧ଟି ଜିଲ୍ଲାର ସମୀକ୍ଷା କରିଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜସ୍ବ ଆଦାୟକୁ ତ୍ବରାନ୍ବିତ କରିବା ସହ ଗଞ୍ଜେଇ ଚୋରା ଚାଲାଣ ଉପରେ କିଭଳି ରୋକ୍‌ ଲଗାଯାଇ ପାରିବ, ସେ ଉପରେ ଗୁରୁତ୍ବ ଦେଇଥିଲେ। ବିଶେଷ କରି କନ୍ଧମାଳ, ବୌଦ୍ଧ ଅଞ୍ଚଳରୁ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଚାଲାଣକୁ କିଭଳି ଉପରେ ସମ୍ପୂର୍ଣ୍ଣ ଭାବେ ରୋକାଯିବ ସେ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ତାଗିଦ କରିଥିଲେ। କଫ୍‌ ସିରପ୍‌, ନକଲି ମଦ କାରବାର ଉପରେ ମଧ୍ୟ ଚଢ଼ଉ କରିବାକୁ ସେ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ସହ ଗାଡ଼ି ଜବତ କରିଥିବାରୁ ସମ୍ବଲପୁର ଅବକାରୀ ଗୁଇନ୍ଦା ସଂସ୍ଥା ଓ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗକୁ ପ୍ରସଂଶା କରିଛନ୍ତି।

Advertisment

ବୈଠକରେ ଅତିରିକ୍ତ କମିସନର୍‌ ରାମଚନ୍ଦ୍ର ପାଲଟା, ଅତିରିକ୍ତ ସମ୍ପାଦକ ମିହେର ପ୍ରସାଦ ମହାନ୍ତି, ଉପ ଆୟୁକ୍ତ ରାମଚନ୍ଦ୍ର ମିଶ୍ର, ଉପ ଆୟୁକ୍ତ ରାଜେନ୍ଦ୍ର ବୋଥ୍ରା, ସମ୍ବଲପୁର ଅଧୀକ୍ଷକ ଅଶୋକ ସେଟ୍‌, କେନ୍ଦୁଝର ଅଧୀକ୍ଷକ ନାରାୟଣ ମେହେର, ଢେଙ୍କାନାଳ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀ, ରାଉରକେଲା ଅଧୀକ୍ଷକ ଶେକ୍‌ ଆସଫ୍‌ ଅଲ୍ଲୀ, ବଲାଙ୍ଗୀର ଅଧୀକ୍ଷକ ସୀତାକାନ୍ତ ମୁଦୁଲି, ଅନୁଗୁଳ ଅଧୀକ୍ଷକ ମଧୁସ୍ମିତା ନାୟକ, ଦେବଗଡ଼ ଅଧୀକ୍ଷକ ବାସନ୍ତିପ୍ରଭା ନାୟକ, ବରଗଡ଼ ଅଧୀକ୍ଷକ ସୁବନ ନାଏକ, ସୁନ୍ଦରଗଡ଼ ଅଧୀକ୍ଷକ ନରୋତ୍ତମ ମିଶ୍ର, ସୋନପୁର ଅଧୀକ୍ଷକ ସୁମତି ତ୍ରିପାଠୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।