ମାଗଣା ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚଞ୍ଚକତା ସଂପର୍କରେ ଲୋକଙ୍କୁ ବୁଝାଯିବ: ଗୋଲକ ମହାପାତ୍ର

ଭୁବନେଶ୍ୱର: ରାଜଧାନୀରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏନେଇ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ହାଇଜାକ୍ କରୁଛନ୍ତି। ଓଡ଼ିଶା ସରକାର ବିରୁଦ୍ଧରେ ରାଜନୈତିକ ଲଢେଇ କରିବ ଦଳ। ଆବାସ ଯୋଜନା ଲାଗି ଆନ୍ଦୋଳନ ହେବ। ମାଗଣା ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାର କରିଥିବା ଚଞ୍ଚକତା ବିଷୟରେ ଲୋକଙ୍କୁ ଅବଗତ କରାଇବ। ଘରକୁ ଘର ଯାଇ ଲୋକଙ୍କୁ ବୁଝାଇବ ଦଳ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ସରକାର ଗଠନ କରିବାସହ ଅଧିକ ଲୋକସଭା ସିଟ ଜିତିବା ଦଳର ଲକ୍ଷ ରହିଛି। ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଇଥିବା ୨ ସୂତ୍ରୀ ମନ୍ତ୍ରନେଇ ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି। ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ମଜବୁତ, ବୁଥକୁ ତିନି ମାସ ଭିତରେ ସକ୍ରିୟ କରିବା, ମଣ୍ଡଳୱାରୀ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି, କେନ୍ଦ୍ର ଯୋଜନା ଲୋକଙ୍କ ପାଖକୁ ପହଂଚାଇବେ, ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଯାକ କରି ନେଉଥିବା କଥା ଲୋକଙ୍କୁ କହିବେ।

ବିଜେପି ନେତା ଶ୍ରୀ ମହାପାତ୍ର କହିଛନ୍ତି ଯେ, ଏସଏଚଜିଙ୍କୁ କେନ୍ଦ୍ର ଋଣ ପ୍ରଦାନ ସହ ସୁଧ ଛାଡ଼ କରୁଛି। କିନ୍ତୁ ବାଃ ବାଃ ନଉଚି ରାଜ୍ୟ ସରକାର। ମାଗଣା ଚାଉଳ ଏବଂ ଆବସ ଭଳି କେନ୍ଦ୍ରୀୟ ଯୋଜନାର ହାଇଜ୍ୟାକ ପ୍ରସଙ୍ଗକୁ କରିବ ପ୍ରମୁଖ ମୁଦ୍ଦା। ରାଜନୀତିର ଅପରାଧୀକରଣକୁ ପର୍ଦ୍ଧାଫାସ କରିବ ବିଜେପି। ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ଅସୁରକ୍ଷିତ ପ୍ରସଙ୍ଗ ନେଇ ରାଜ ରାସ୍ତାରେ ଲଢେଇ କରିବ ବିଜେପି। ମଣ୍ଡି ଅବ୍ୟବସ୍ଥା ଓ ଚାଷୀ ସମସ୍ୟାକୁ ଗୁରୁତ୍ୱ ଦେବ ଦଳ। ଆଜିର ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ତିନି କେନ୍ଦ୍ର ମନ୍ତ୍ରୀ, ସମସ୍ତ ସାଂସଦ ଓ ବିଧାୟକମାନେ ଯୋଗଦେ‌ଇଛନ୍ତି।

ସମ୍ବନ୍ଧିତ ଖବର