ଯାଜପୁର: ଆସନ୍ତାକାଲି ଭୋଟ ଗଣତି। ଯାଜପୁର ଜିଲ୍ଲାର ୭ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ଯାଜପୁର ଏନ୍ସି ହାଇସ୍କୁଲଠାରେ ଗଣତି ହେବ। ମତଦାନ ପରେ ନେତାଏ ଅଙ୍କ କଷିଥିଲେ। ହେଲେ ଏହି ଅଙ୍କ ବିଗିଡ଼ିଯିବା ଆଶଙ୍କାରେ ନେତାଙ୍କ ଛାତି ଧଡ଼ପଡ଼।
ରାଜ୍ୟ ରାଜନୀତିରେ ଯାଜପୁର ନେତାମାନେ ଦୀର୍ଘବର୍ଷ ହେଲା ଦବଦବା ଜାହିର କରିଛନ୍ତି। ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ(ବବି)ଙ୍କ ପରିଚାଳନାରେ ଯାଜପୁର, କୋରେଇ ଓ ବଡ଼ଚଣାର ବିଜେଡି ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ସେହିଦୃଷ୍ଟିରୁ ଏହି ଆସନଗୁଡ଼ିକର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡିର ଗଡ଼ କୁହାଯାଉଥିବା ଯାଜପୁର ଜିଲ୍ଲାର ୭ବିଧାନସଭା ଓ ଯାଜପୁର ସଂରକ୍ଷିତ ଲୋକସଭା ଆସନ ଦୀର୍ଘଦିନ ହେଲା ବିଜେଡି କବ୍ଜାରେ ରହିଆସିଛି। ଏଠାରେ ଅନ୍ୟ କୌଣସି ଦଳ ଖାତା ଖୋଲିପାରି ନାହାନ୍ତି। ତେବେ, ଏଥର କିନ୍ତୁ ଏଠାରେ ବିଜେଡି କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛି।
ଧର୍ମଶାଳାରେ ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମୁକାବିଲା ହେଉଥିବା ବେଳେ ଅନ୍ୟ ୬ ଆସନ ବଡ଼ଚଣା, ବରୀ, ଯାଜପୁର, କୋରେଇ, ସୁକିନ୍ଦା ଓ ବିଂଝାରପୁର ବିଜେଡି - ବିଜେପି ମଧ୍ୟରେ ଲଢ଼େଇ ହୋଇଥିବା ବୁଥ୍ ବାହୁଡ଼ା ମତରୁ ଆଭାସ ମିଳିଛି। ଶାସକ ଦଳ ବିରୋଧରେ ଥିବା ଜନମତକୁ ମୁଖ୍ୟ ବିରୋଧୀ ବିଜେପି ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିଛି। ସେହିପରି ବିଜେଡି ନେତାମାନେ ତୃଣମୂଳର ସଙ୍ଗଠନ ଓ ବିକାଶକୁ ଅସ୍ତ୍ର କରି ଲୋକଙ୍କୁ ନିଜର କରି ରଖିବାକୁ ଚେଷ୍ଟା କରିଛନ୍ତି। ଯାଜପୁର, କୋରେଇ ଓ ବଡ଼ଚଣାରେ ବିଜେଡି ମହିଳା କାର୍ଡ ଖେଳିଥିଲା। ଏହା କେତେଦୂର ସଫଳ ହୋଇଛି ତାହା ଆସନ୍ତକାଲି ସ୍ପଷ୍ଟ ହୋଇଯିବ। ସେହିପରି ଯାଜପୁର ସଂରକ୍ଷିତ ଲୋକସଭା ଆସନକୁ ନେଇ ମଧ୍ୟ ଚର୍ଚ୍ଚା କମ ହେଉନାହିଁ। ଏକ୍ଜିଟ୍ ପୋଲରେ ଲୋକସଭାରେ
ବିଜେପି ଅଧିକ ଆସନ ପାଉଥିବା ସୂଚନା ମିଳିବା ପରେ ଏଠାରେ ପ୍ରାର୍ଥୀଙ୍କ ଶିବିର ଆଶା ଓ ଆଶଙ୍କା ମଧ୍ୟରେ ଅଛନ୍ତି। ଲୋକସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଏଥର ନିର୍ବାଚନରେ ବିଜେଡି ନେତାମାନେ ଗଡ଼ ରକ୍ଷା କରିବେ ବୋଲି ଦାବି କରୁଥିବା ବେଳେ ବିଜେପି ନେତାମାନେ ଏଥର ଗଡ଼ବଡ଼ ହେବାକୁ ଯାଉଛି ବୋଲି ଦାବି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Jajpur-Municipality.jpg)