କୃଷକର ରୋଜଗାର ୨ଗୁଣ ବୃଦ୍ଧି କରାଯିବ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: କୃଷି ଆମ ଅର୍ଥନୀତିର ମୁଖ୍ୟ ଆଧାର। କୃଷି ଓ କୃଷକର କଲ୍ୟାଣ ପାଇଁ କୃଷି କ୍ଷେତ୍ରରେ ଉତ୍ପାଦନ ୨ ଗୁଣ କରିବା ଆମର ଲକ୍ଷ୍ୟ। ୨୦୦୩ରୁ ୨୦୧୩ ମସିହା ମଧ୍ୟରେ ୧୦ ବର୍ଷ ଭିତରେ ଚାଷୀମାନଙ୍କର ରୋଜଗାର ୨ ଗୁଣ ବୃଦ୍ଧି ପାଇଥିବା ବେଳେ ଏହାକୁ ଆହୁରି ୨ ଗୁଣ ବୃଦ୍ଧି ଆମର ଲକ୍ଷ୍ୟ। ଏଥିପାଇଁ କୃଷି ବଜେଟ୍‌ ୨ ଗୁଣ ବୃଦ୍ଧି କରାଯାଇଥିବା ବେଳେ ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇବା ପାଇଁ କାମ ଚାଲିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସିଆଇଆଇ (କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି) ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ବିଶାଳ କୃଷି ମହୋତ୍ସବ ଏକାଦଶ ‘କୃଷି ଓଡ଼ିଶା’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ୯ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ୪ ଦିନିଆ ଏହି କୃଷି ମେଳାର ଆଜି ଶୁଭାରମ୍ଭ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାରହଜାର କୃଷକ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ପରିସରରେ ୧୫୦ଟି ଷ୍ଟଲ୍‌ ପଡ଼ିଛି। ଷ୍ଟଲ୍‌ ମଧ୍ୟରେ କୃଷି କ୍ଷେତ୍ରରେ ବିଭିନ୍ନ ଯୋଜନାର ସଫଳ ନମୁନା, ବିଭିନ୍ନ କୃଷି ସାମଗ୍ରୀ, ଉନ୍ନତ କୃଷି ଯନ୍ତ୍ରପାତି, ରାସାୟନିକ ସାର, ଅଣୁସାର, ଜୈବିକ ସାର, ଉନ୍ନତ ମାନର ବିହନ, କୀଟନାଶକ ଔଷଧ ଆଦି ପ୍ରଦର୍ଶିତ ହେଉଛି। କୃଷି କ୍ଷେତ୍ରରେ କାମ କରୁଥିବା ସହଯୋଗୀ ଫାର୍ମ, ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏସବୁ ପ୍ରଦର୍ଶିତ ହେବା ସହ ବିଭିନ୍ନ ସଂଗଠନ ପକ୍ଷରୁ ଚାଷ ଓ କୃଷକଙ୍କ ଉପଯୋଗୀ ଷ୍ଟଲ୍‌ମାନ ଖୋଲିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ପ୍ରଦୀପ ମହାରଥୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ରାଜ୍ୟର ଆଗାମୀ ବଜେଟ୍‌ରେ ରାଜ୍ୟର ୭୦ ଭାଗ ଚାଷୀମାନଙ୍କର ଉନ୍ନତି କଳ୍ପେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସିଆଇଆଇର ପୂର୍ବ ଓ ଉତ୍ତର ପୂର୍ବର ଆଞ୍ଚଳିକ ନିର୍ଦେଶକ ଉପସ୍ଥିତ ଥିଲେ। ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ.ସୌରଭ ଗର୍ଗ୍‌ ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ଉତ୍ପାଦନ କମିସନର ଗଗନ ଧଳ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସବିତା ନାୟକ, ସରୋଜ ଚନ୍ଦ୍ର ଗୌଡ଼, ଲକ୍ଷ୍ମୀ ନାୟକ, ବିଭୀଷଣ ସରଗରିଆ ଓ ରାଧାମୋହନ ବରାଳ ସମେତ ରାଜ୍ୟର ମୋଟ୍‌ ୩୦ ଜଣ ସଫଳ ଚାଷୀଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା। ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ.ଏମ୍‌ ମୁଥୁକୁମାର ଧନ୍ୟବାଦ ଅର୍ପଣ କରିଥିଲେ। ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ବିଭାଗୀୟ ବରିଷ୍ଠ କର୍ତୃପକ୍ଷ ଓ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ତପସ୍ୟା ଅନୁଷ୍ଠାନ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ସଭା ପରେ ପେଟେଣ୍ଟ୍‌ ମେଡିସିନ୍‌ ନାଟକ ସମେତ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଧୁନିକ ଜ୍ଞାନ ବାଣ୍ଟିବ ‘କୃଷି ପାଠଶାଳା’
କୃଷି କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳର ପ୍ରୟୋଗ, ବିଭିନ୍ନ ଶସ୍ୟ ସମ୍ବନ୍ଧୀୟ ଜ୍ଞାନ ଏବଂ ଉତ୍ପାଦନ ବୃଦ୍ଧି କୌଶଳ ସହ ରୋଜଗାର ବୃଦ୍ଧି ପାଇଁ ବାଟ ବତେଇବ ‘କୃଷି ପାଠଶାଳା’। କୃଷି ମହୋତ୍ସବ ମେଳା ପରିସରରେ ଏହି ୪ ଦିନିଆ କୃଷି ପାଠଶାଳାର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ୧୦ ହଜାର ଚାଷୀ କୃଷି ପାଠଶାଳାରେ ଅଂଶଗ୍ରହଣ କରି ଚାଷ ପାଠ ପଢ଼ିବେ। କୃଷି କ୍ଷେତ୍ରରେ ଧୂରିଣ ବ୍ୟକ୍ତିବିଶେଷ ଓ ବିଶେଷଜ୍ଞ ଜ୍ଞାନ ବାଣ୍ଟିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ.ସୌରଭ ଗର୍ଗ୍‌ ସୂଚନା ଦେଇଛନ୍ତି।

୨୦୨୦ ସୁଦ୍ଧା ରାଜ୍ୟରେ ୧୨୬୪ଟି ଗୋଦାମ ଘର
ଚଳିତ ବର୍ଷ ସିଆଇଆଇର ମିଳିତ ଆନୁକୂଲ୍ୟରେ ‘କୃଷି ଓଡ଼ିଶା’ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଆଜି ‘ଓଡ଼ିଶା ଇନ୍‌ଭେଷ୍ଟର ସମିଟ୍‌’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଓଡ଼ିଶାରେ ଚାଷ ଏବଂ ସମୁଦ୍ର ଜାତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା ସୁଯୋଗ’ ସମ୍ବନ୍ଧୀୟ ଆଲୋଚନା ସହ ଅନ୍ୟ କୃଷି ଅନୁକୂଳ ବିଷୟ ସମ୍ବନ୍ଧରେ ଆଲୋଚନାମାନ ଅନୁଷ୍ଠିତ ହୋଇଥିଲା। ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ଦାଶ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ, ରାଜ୍ୟ ସରକାର ୨୦୨୦ ସୁଦ୍ଧା ଆହୁରି ୧୨୬୪ଟି ଗୋଦାମ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଯାହା ମଧ୍ୟରେ ୩.୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟ ଶସ୍ୟ ମହଜୁଦ ରହିପାରିବ। ସେହିପରି ୨ଟି ଫୁଡ୍‌ ପାର୍କ ଏବଂ ଦୁଇଟି କୋଲ୍‌ଡ ଚେନ୍‌ ପ୍ରୋଜେକ୍ଟ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ରମନ୍ତ୍ରାଳୟ (ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ) ପକ୍ଷରୁ ଏହାକୁ ଅନୁମୋଦନ କରାଯାଇଛି।

ସମ୍ବନ୍ଧିତ ଖବର