ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। କହିଛନ୍ତି, ଗତ ୪ ତାରିଖ ଦିନ ସେହି ବ୍ୟକ୍ତି ଶ୍ବାସକ୍ରିୟାଜନିତ କଷ୍ଟ ଅନୁଭବ କରିବାରୁ ଭୁବନେଶ୍ବର ଏମ୍ସ୍ରେ ଭର୍ତ୍ତି ହେଲେ। ତାଙ୍କର ହାଇପର୍ଟେନ୍ସନ୍ ଥିଲା। ସେ କରୋନା ଆକ୍ରାନ୍ତ ବୋଲି ମଧ୍ୟ ସରକାର ପରୀକ୍ଷା କରିଥିଲେ। ଗତକାଲିଠୁ ତାଙ୍କର ଦେହାନ୍ତ ହେଲାଣି ଅଥଚ ସରକାର ସେ ସମ୍ପର୍କରେ ପ୍ରକାଶ କଲେନି। ତାଙ୍କର ମୃତ୍ୟୁ ଖବର ଆଜି ସ୍ବାସ୍ଥ୍ୟ ବିଭାଗ ଜଣାଇଛି। ଏତେ ବିଳମ୍ବରେ ସୂଚନା ପ୍ରଦାନ କରିବା ପଛର କାରଣ କଣ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏହାସହିତ ଚନ୍ଦକା ସ୍ଥିତ ଏସ୍ଓଜି ଟ୍ରେନିଂ କ୍ୟାମ୍ପରେ ଗ୍ରେନେଡ୍ ଫୁଟି ହାବିଲଦାର ପ୍ରକାଶ ସାହୁ ସହିଦ ହେବା ଓ ଅନ୍ୟ ପ୍ରଶିକ୍ଷଣ ନେଉଥିବା ଯବାନ ଆହତ ହେବା ଘଟଣାରେ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଥିଲେ, ସରକାର କରୋନା ସ୍ଥିତିର ମୁକାବିଲା ପାଇଁ ଯାହାସବୁ ପଦକ୍ଷେପ ନେଇଛନ୍ତି ସ୍ବାଗତଯୋଗ୍ୟ। ସଂକ୍ରମଣ ନ ବ୍ୟାପିବା ପାଇଁ ଯଦି ସରକାର ଆଉ କିଛି କଠୋର ପଦକ୍ଷେପ ନେବାର ଅଛି ତାହା ନିଅନ୍ତୁ। ଯେତେବେଳେ ଏହି ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ସରକାର ଜାଣିଲେ ଓ ତାଙ୍କ ସଂସ୍ପର୍ଶରେ ଆଉ କେତେଜଣ ବ୍ୟକ୍ତି ଆସିଛନ୍ତି ବୋଲି ଜାଣିପାରିଲେନି ତା ହେଲେ ଆଗରୁ କାହିଁକି ଏ ବିଷୟର ଲୋକଙ୍କୁ ଜଣାଇଲେନି। ସରକାରଙ୍କ ଏତେସବୁ ପଦକ୍ଷେପ ପରେ ବି ଯଦି ଆଉ କେଉଁଠି ଅଭାବ ରହିଯାଉଛି, ସେ ନେଇ ଆହୁରି ସତର୍କତା ଅବଲମ୍ବନ କରିବା ଦରକାର। କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଦକ୍ଷିଣ କୋରିଆ ଯେପରି ଉପାୟ ଅବଲମ୍ବନ କରୁଛି ସେପରି ପଦକ୍ଷେପ ଓଡ଼ିଶା ସରକାର ନେବା ଉଚିତ। କରୋନାକୁ ମୁକାବିଲା କରିବାରେ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/niranjan-pattnaik-asian-age-1.jpeg)