ରାଜ୍ୟ ଚଳଚ୍ଚିତ୍ର, ଧାରାବାହିକ ପୁରସ୍କାର ପାଇଁ ଗଠନ‌ ହେଲା ବିଚାରକମଣ୍ଡଳୀ

ଭୁବନେଶ୍ବର : ଖୁବ୍‌ଶୀଘ୍ର ପ୍ରଦାନ କରାଯିବ ରାଜ୍ୟ ଚଳଚ୍ଚିତ୍ର ଓ ‌ଧାରାବାହିକ ପୁରସ୍କାର। ରାଜ୍ୟ ସରକାରଙ୍କ ଆହ୍ବାନ ମୁତାବକ, ୨୪ଟି ଚଳଚ୍ଚିତ୍ର ଏବଂ ୧୮ରୁ ୨୨ଟି ଧାରାବାହିକ ପୁରସ୍କାର ପାଇଁ ସଂସ୍କୃତି ବିଭାଗରେ ଆବେଦନ କରିଥିବା ବେଳେ ବିଚାରକ (ଜୁରି) କମିଟି ମଧ୍ୟ ଗଠନ ସରିଛି। ଏ ନେଇ ବିଚାରକଙ୍କ ନିକଟକୁ ଚିଠି ପଠା ଯାଇ ନଥିଲେ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇ ସାରିଥିବା ସୂଚନା ମିଳିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଚାରକ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଯଦିଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଚାରକଙ୍କ ନାମ ଗୋପନ ରହେ। ମାତ୍ର ଓଡ଼ିଶାରେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଧାରାବାହିକ ପାଇଁ ବିଚାରକ ଘୋଷଣା କରିବାର କୌଣସି ନିୟମ ନାହିଁ। ବିଜ୍ଞପ୍ତି ପ୍ରକାଶ ପରେ ଏହା ସର୍ବଜନୀନ ହେବାର ନଜିର୍‌ ରହିଆସିଛି। ଏହି ମର୍ମରେ ଚଳିତ ବର୍ଷ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଗଠିତ କମିଟିରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଅଧ୍ୟକ୍ଷ ରହିଛନ୍ତି। ଏଥିସହ ବରିଷ୍ଠ କ୍ୟାମେରାମ୍ୟାନ୍‌ ଶ୍ରୀନିବାସ ମହାପାତ୍ର, ବୃନ୍ଦାବନ ଜେନା, ଦେବୀ ମହାନ୍ତି, ସୁବୋଧ ପଟ୍ଟନାୟକ, ଅଜିତ ଦାସ, ସୂର୍ଯ୍ୟ ଦେଓ ପ୍ରମୁଖଙ୍କୁ ବିଚାରକ କମିଟିରେ ସଦସ୍ୟ ଭାବେ ମନୋନୀତ କରାଯାଇଛି। ୨୭ଟି ବର୍ଗରେ ଏହି ସମ୍ମାନ ପ୍ରଦାନ କରାଯିବ। ତେବେ ୨୭ଟି ବର୍ଗରେ ପୁରସ୍କାର ଦେବାର ଥିଲେ ହେଁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ‌ଆଦିବାସୀ ଭାଷାରେ ନିର୍ମିତ ଚଳଚ୍ଚିତ୍ର ବର୍ଗରେ କୌଣସି ଫିଲ୍ମ ୨୦୧୭ବର୍ଷ ପାଇଁ ଆସି ନଥିଲା।

ସେହିପରି ୨୦୧୮ ବର୍ଷ ପାଇଁ ଆୟୋଜିତ ହେବାକୁ ଯାଉଥିବା ୭ମ ରାଜ୍ୟ ଧାରାବାହିକ ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ କମିଟିରେ ବିଶିଷ୍ଟ ନାଟ୍ୟକାର ଶୈଳେଶ୍ବର ନନ୍ଦ ବିଚାରକ କମିଟିର ଅଧ୍ୟକ୍ଷ ରହିଛନ୍ତି। ଏଥିସହ ଲୋକକଳା ବିଶେଷଜ୍ଞ ମନ୍ମଥ ଶତପଥୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ନେହପ୍ରଭା ସାମନ୍ତରାୟ, କଣ୍ଠଶିଳ୍ପୀ ଗୀତା ଦାସ, ଚଳଚ୍ଚିତ୍ର ସାମ୍ବାଦିକ ଅଶୋକ ପାଲିତ୍‌, କଣ୍ଠଶିଳ୍ପୀ ସୁବାସ ଦାସ ଓ ନାଟ୍ୟକର୍ମୀ ଭାସ୍କର ମହାପାତ୍ର କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଏହି କମିଟିର ଆବାହକ ରହିଛନ୍ତି। ୨୦୧୮ରେ ନିର୍ମିତ ଟେଲି ଧାରାବାହିକ, ଟେଲି ଫିଲ୍ମ ମନୋନୟନ ପାଇଁ ଆସିଥିବା ସୂଚନା ମିଳିଛି। ସରକାରଙ୍କ ଦ୍ବାରା ପ୍ରଣୀତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିୟମ-୨୦୧୦ ଏବଂ ରାଜ୍ୟ ଟେଲି ଧାରାବାହିକ ପୁରସ୍କାର ନିୟମ- ୨୦୧୩ ମୁତାବକ ପୁରସ୍କାର ଚୟନ କରିବାକୁ ବିଚାରକମାନଙ୍କୁ ଅନୁମତି ଦିଆଯିବ। ନଭେମ୍ବର ପ୍ରଥମ ସପ୍ତାହରେ ଚଳଚ୍ଚିତ୍ର ଓ ଟେଲି ଧାରାବାହିକ ଭିନ୍ନ ଭିନ୍ନ ସ୍ଥାନରେ ବିଚାର ପାଇଁ ସ୍କ୍ରିନିଂ କରାଯିବ। ସମ୍ଭବତଃ ଡିସେମ୍ବର ମାସରେ ଏହି ରାଜ୍ୟ ଚଳଚ୍ଚିତ୍ର ଉତ୍ସବ ଓ ଟେଲି ଧାରାବାହିକ ଉତ୍ସବ ଆୟୋଜନ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର