ଭୁବନେଶ୍ବର: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଘୋଷଣା ହୋଇଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏଥର ଏକାଥରକେ ୩୨, ୩୩ ଓ ୩୪ତମ ଚଳଚ୍ଚିତ୍ର ପୁରସ୍କାର ଯଥାକ୍ରମେ ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ଘୋଷଣା ହୋଇଛି। ଏଥିସହ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ‘ମୋହନସୁନ୍ଦର ଦେବ ଗୋସ୍ବାମୀ’ ବିଜେତାଙ୍କ ନାଁ ମଧ୍ୟ ଘୋଷଣା ହୋଇଛି। ୨୦୨୦ ମସିହା ପାଇଁ ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର, ୨୦୨୧ ପାଇଁ ବିଶିଷ୍ଟ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ ୨୦୨୨ ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’ ପ୍ରଦାନ କରାଯିବ। ପୂର୍ବରୁ ଏହି ପୁରସ୍କାର ପାଇଁ ୨ ଲକ୍ଷ ଟଙ୍କା ଦିଆଯାଉଥିବା ବେଳେ ଏଥର ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା, ମାନପତ୍ର, ଉପ‌ଢୌକନ ସହ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯିବ।

Advertisment

‘ସହିଦ ରଘୁ ସର୍ଦ୍ଦାର’, ‘ପ୍ରତୀକ୍ଷା’, ‘ଡାଲଚିନି’ ଓ ‘ଦମନ ଶ୍ରେଷ୍ଠ ଚଳଚ୍ଚିତ୍ର 
ଶ୍ରେଷ୍ଠ ଅଭିନେତା ଦେବାଶିଷ, ଅମ୍ଳାନ, ଅଙ୍କିତ, ଦୀପନ୍ୱିତ ଓ ବାବୁସାନ୍‌
୧୭ରେ ପୁରସ୍କାର ପ୍ରଦାନ ସମାରୋହ

ଆଜି ଗଣମାଧ୍ୟମ, ବିଚାରକ ଓ ଅଧିକାରୀଙ୍କ ଉପସ୍ଥିତିରେ ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ଛୋଟ ବାକ୍ସ ଭିତ‌ରେ ଥିବା ବନ୍ଦ ଲଫାପାକୁ ଖୋଲିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ମୋଟ୍‌ ୩୩ଟି ବର୍ଗ ପାଇଁ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ। ଫିଲ୍ମ ସେନ୍‌ସର ‌ବୋର୍ଡ ସ୍ବୀକୃତିପ୍ରାପ୍ତ ମୋଟ୍‌ ୪୬ଟି ଚଳଚ୍ଚିତ୍ର ପୁରସ୍କାର ପାଇଁ ଆବେଦନ କରିଥିଲେ। ଏଥିମଧ୍ୟରୁ ୨୦୨୦ରେ ବିଶ୍ବନାଥ ପଟ୍ଟନାୟକଙ୍କ ଫିଲ୍ମ ‘ସହିଦ୍‌ ରଘୁ ସର୍ଦ୍ଦାର’, ୨୦୨୧ପାଇଁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ଓ ଅତିଶ କୁମାର ରାଉତଙ୍କ ‘ଡାଲ୍‌ଚିନି’ ଏବଂ ୨୦୨୨ ପାଇଁ ଦୀପେନ୍ଦ୍ର ସାମଲଙ୍କ ‘ଦମନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ପ୍ରଦାନ କରାଯିବ। ଶ୍ରେଷ୍ଠ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ପାଇଁ ୨ ଲକ୍ଷ ଟଙ୍କା ଅର୍ଥରାଶି ସହିତ ମାନପତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯିବ। ସେହିପରି ୨୦୨୦ ମସିହାରେ କରୋନା ପାଇଁ ମାତ୍ର ୭ଟି ଚଳଚ୍ଚିତ୍ର ଆବେଦନ କରିଥିଲେ। ୨୦୨୧ ମସିହାରେ ମୋଟ୍‌ ୧୮ଟି ଚଳଚ୍ଚିତ୍ର ଆବେଦନ କରିଥିଲେ। ୨୦୨୨ରେ ଆବେଦନ ସଂଖ୍ୟା ସାମାନ୍ୟ ବଢ଼ି ୨୧ରେ ପହଞ୍ଚିଥିଲା। ଏଥିରୁ ୧୨ଟି ଚଳଚ୍ଚିତ୍ର ବିଭିନ୍ନ ବର୍ଗରେ ପୁରସ୍କାର ପାଇଛନ୍ତି। 

ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଭାଗର ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟ, ଓଏଫ୍‌ଡିସିର ପରିଚାଳନା ନିର୍ଦ୍ଦେଶକ ସମର୍ଥ ବର୍ମା, ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏଥିସହ ଏହି ୩ ବର୍ଷର ପୁରସ୍କାର ପାଇଁ ବିଚାରକ ଥିବା ଶେଖର ଘୋଷ, ଅମରେଶ ପଟ୍ଟନାୟକ, ବନଜା ମହାନ୍ତି, ଗୋପାଳ ମହାପାତ୍ର ଓ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଉପସ୍ଥିତ ରହିଥିଲେ। ଆସନ୍ତା ୧୭ ତାରିଖ ରବିବାର ଅପରାହ୍ନରେ ମେ ଫେୟାର କନଭେନସନ୍‌ ସେଣ୍ଟରରେ ଏହି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।

୨୦୨୧ର ଶ୍ରେଷ୍ଠ ଚଳଚ୍ଚିତ୍ର ‘ପ୍ରତୀକ୍ଷା’, ଗୌରହରି ଦାସ ଶ୍ରେଷ୍ଠ କାହାଣୀକାର

 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ୨୦୨୧ ବର୍ଷ ପାଇଁ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି। ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୧ ମସିହାରେ ଚର୍ଚ୍ଚାରେ ଥିଲା। ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସଙ୍କ କାହାଣୀକୁ ନିର୍ଦ୍ଦେଶକ ଭଲ ଭାବରେ ପରଦାରେ ଫୁଟାଇଥିଲେ। ତେଣୁ ଏହି ଚଳଚ୍ଚିତ୍ର ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାର ସୌଭାଗ୍ୟ ଅର୍ଜନ କରିଥିଲା। ୨୦୨୧ ମସିହା ପାଇଁ ଫିଲ୍ମ ‘ପ୍ରତୀକ୍ଷା’ ସ‌ମେତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏବଂ ପ୍ରତୀକ୍ଷା ପାଇଁ ଶ୍ରେଷ୍ଠ କାହାଣୀକାର ଭାବରେ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସଙ୍କୁ ମଧ୍ୟ ସମ୍ମାନିତ କରାଯିବ।