ପ୍ରଣବ ପଟ୍ଟନାୟକଙ୍କୁ ଶ୍ରୀଜୟଦେବ ସମ୍ମାନ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ

ଭୁବନେଶ୍ୱର : ଆଜି ଘୋଷିତ ହୋଇଛି ବହୁପ୍ରତିକ୍ଷୀତ ଶ୍ରୀଜୟଦେବ ସମ୍ମାନ। ଚଳିତ ବର୍ଷ ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇବେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ। ଆଜି ପାନ୍ଥ ନିବାସରେ ଅନୁଷ୍ଠିତ ୨୮ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ପର୍ବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଖାମ୍‌ର ଜଉମୁଦ ଖୋଲି ଏହି ନାମ ଘୋଷଣା କରିଥିଲେ। ଶ୍ରୀ ପଟ୍ଟନାୟକଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ମାନ ପ୍ରଦାନ କରାଯିବ। ପାଞ୍ଚ ଦଶନ୍ଧି ଧରି ୩୫୦୦ରୁ ଊର୍ଧ୍ୱ ଗୀତ ଗାଇ ସଂଗୀତ ଜଗତରେ ନିଜର ପତିଆରା ସୃଷ୍ଟି କରିଥିବା ନବଜୀବନ ଫିଲ୍ମସ ନିର୍ମିତ ‘ଚିନି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ’ ପାଇଁ ମନୋନୀତ କରାଯାଇଥିବା ବେଳେ ୫୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ।

ସେହିପରି ଚଳଚ୍ଚିତ୍ର ‘ନାମର୍ଦ’ର ନିର୍ଦେଶକ ଅଜୟ ରଥଙ୍କୁ ଶ୍ରେଷ୍ଠ ନିର୍ଦେଶକ, ‘ନାମର୍ଦ’ର ସମରେଶ ରାଉତରାୟଙ୍କୁ ଶ୍ରେଷ୍ଠ ଅଭିନେତା, ‘ମୀମାଂସା’ର ସୁଶ୍ରୀ ସଂଗୀତା ମହାପାତ୍ର (ଲିପି)ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ‘ନାମର୍ଦ’ର ଲେଖକ ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ଶ୍ରେଷ୍ଠ କାହାଣୀକାର, ‘ତୁ କହିବୁ ନା ମୁଁ’ର ଗୁଡ୍‌ଲି ରଥଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦେଶକ, ସେହି ଚଳଚ୍ଚିତ୍ରର କଣ୍ଠଶିଳ୍ପୀ ଶଶାଙ୍କଙ୍କୁ ‘ଦିନେ ଫୁଟିଥିଲା ଫୁଲ..ଗୀତ ପାଇଁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ’, ‘ମୀମାଂସା’ର ‘ଢେଉ ଫେରେ କୁଳେ..ଗୀତ ଗାଇଥିବା ମହାଲକ୍ଷ୍ମୀ ଆୟାରଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା, ‘ଚିନି’ର ଦିଲ୍ଲୀପ ରାୟଙ୍କୁ ଶ୍ରେଷ୍ଠ ଚିତ୍ରଗ୍ରହଣ ପାଇଁ ପ୍ରମୋଦ ପତି ସମ୍ମାନ, ‘ଲଭ୍‌ ୟୁ ଜେସିକା’ର ସୁକୁମାର ମଣିଙ୍କୁ ଶ୍ରେଷ୍ଠ ସମ୍ପାଦନା, ‘ଅଗସ୍ତ୍ୟ’ ଚଳଚ୍ଚିତ୍ରରେ ’ଧୀରେଧୀରେ ଭଲ ପାଇଗଲି..ଗୀତ ପାଇଁ ସୁବ୍ରତ ସ୍ୱାଇଁଙ୍କୁ ଶ୍ରେଷ୍ଠ ଗୀତିକାର, ‘ନାମର୍ଦ’ର ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ଶ୍ରେଷ୍ଠ ଚିତ୍ରନାଟ୍ୟ, ‘ମୀମାଂସା’ର ଅଭିନେତା ମୀନକେତନଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ‘ଦେଲେ ଧରା କଥା ସରେ’ର ମହାଶ୍ୱେତା ରାୟଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ, ‘ଲଭ୍‌ ୟୁ ଜେସିକା’ର ଚିତ୍ତରଂଜନ ତ୍ରିପାଠୀଙ୍କୁ ଶ୍ରେଷ୍ଠ ହାସ୍ୟ କଳାକାର, ‘ଚିନି’ର ତିଥିରୂପା ବହିଦାରଙ୍କୁ ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ, ‘ଚିନି’ର ଦେବେନ୍‌ ଅମାତଙ୍କୁ ଶ୍ରେଷ୍ଠ କଳା ନିର୍ଦେଶକ, ‘ମୀମାଂସା’ର ସୁବାସ ସାହୁଙ୍କୁ ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ, ‘ନାମର୍ଦ’ର ଅଭିନେତ୍ରୀ ବିଦିତା ବାଗ୍‌ଙ୍କୁ ସ୍ୱତନ୍ତ୍ର ଜୁରି ସମ୍ମାନ, ‘ଲଭ୍‌ ୟୁ ଜେସିକା’ର ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ଶ୍ରେଷ୍ଠ ସଂଳାପ ଲେଖକ, ‘ମୀମାଂସା’ର ସନ୍ତୋଷ କୁମାର ଦଳେଇଙ୍କୁ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ, ‘ତୁ କହିବୁ ନା ମୁଁ’ର ସମରେଶ ପାଲ୍‌ଙ୍କୁ ଶ୍ରେଷ୍ଠ ରୂପ ସଜ୍ଜାକାରୀ, ‘ଚିନି’ର ବବି ଇସ୍‌ଲାମ୍‌ଙ୍କୁ ଶ୍ରେଷ୍ଠ ନୃତ୍ୟ ସଂଯୋଜନା ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ଅବସରପ୍ରାପ୍ତ ପୁଲିସ ଡିଜି ବିପିନ୍‌ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦୋଳଗୋବିନ୍ଦ ରଥ, ସୂର୍ଯ୍ୟ ଦେଓ, ଶୈଳେଶ୍ୱର ନନ୍ଦ, ସୁବାସ ଦାସ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଗୀତା ପଟ୍ଟନାୟକ ପ୍ରମୁଖ ଜୁରି ଭାବେ ଏହିସବୁ ପୁରସ୍କାର ଚୟନ କରିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସମେତ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ଉପନିର୍ଦେଶିକା ସଂଘମିତ୍ରା ଶତପଥୀ, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଆକାଶରେ ଉଡ଼ିଲା ଭଳି ଲାଗୁଛି: ପ୍ରଣବ ପଟ୍ଟନାୟକ

ଜୟଦେବ ପୁରସ୍କାର ଘୋଷଣା ପ୍ରତିକ୍ରିୟାରେ ପ୍ରଣବ ପଟ୍ଟନାୟକ କହିଛନ୍ତି ଯେ ଆଜି ମତେ ଆକାଶରେ ଉଡ଼ିଲା ଭଳି ଲାଗୁଛି। ବିଳମ୍ବ ତ ହୋଇଛି କିନ୍ତୁ କେବେ ଅଧିକ କିଛି ଆଶା କରିନି। କିଛି ପାରମ୍ପରିକ ଓ ପୁରୁଣା ଗୀତକୁ ନେଇ ଫ୍ୟୁଜନ୍‌ କରିବାକୁ ଇଚ୍ଛା ରଖିଛି। ସଂଗୀତର ମହତ୍ୱକୁ ଉପଲବ୍ଧି କରି ନୂଆପିଢ଼ି ଏଥିପ୍ରତି ସଜାଗ ଓ ସଚେତନ ରୁହନ୍ତୁ ବୋଲି ସେ କହିଛନ୍ତି। ପ୍ରଭୁଙ୍କ କରୁଣା, ଗୀତିକାର ଓଶ୍ରୋତାଙ୍କ ଆଶୀର୍ବାଦର ପରିଣାମ ଏ ପୁରସ୍କାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର