ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ: ଜୁରୀଙ୍କ ପୂର୍ବ ନିଷ୍ପତ୍ତି ଅପରିବର୍ତ୍ତିତ

ଉତ୍ସବ ଆୟୋଜନ ପାଇଁ ସରକାରଙ୍କ ଆବେଦନ

କଟକ : ରାଜ୍ୟ ଚଳଚ୍ଚିତ୍ର ବିବାଦରେ ଏକପ୍ରକାର ଯବନିକା ପଡ଼ିଛି। ହାଇକୋର୍ଟଙ୍କ ୨୦୨୧, ଡିସେମ୍ବର ୧୩ ନିର୍ଦ୍ଦେଶ ପାଳନ କରି ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଦୌଡ଼ରେ ଥିବା ସମସ୍ତ ଚଳଚ୍ଚିତ୍ରର ପୁନଃମୂଲ୍ୟାୟନ କରାଯିବାପରେ ଜୁରୀଙ୍କ ପୂର୍ବ ନିଷ୍ପତ୍ତିକୁ ଅପରିବର୍ତ୍ତିତ ରଖାଯାଇଛି।

ହାଇକୋର୍ଟରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପସଚିବ ଏସ.କେ.ମିଶ୍ର ଦାଖଲ କରିଥିବା ସତ୍ୟପାଠରୁ ଏହା ସ୍ପଷ୍ଟ ହୋଇଛି ।

ସତ୍ୟପାଠରେ ଆବେଦନକାରୀ ବବି ଇସଲାମଙ୍କ ସମସ୍ତ ଅଭିଯୋଗ ଅମୂଳକ ବୋଲି ଦର୍ଶାଯାଇଛି। ଏଥିସହିତ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୁରୀମାନଙ୍କ ବୈଠକରେ ଗ୍ରହଣ କରାଯାଇଥିବା ସାନି ନିଷ୍ପତ୍ତି ସଂପର୍କିତ ତଥ୍ୟ ଦାଖଲ କରାଯାଇଛି। ଜୁରୀ କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ସାହୁ, ସଦସ୍ୟ ଗୌର ପଟ୍ଟନାୟକ, ଜିତେନ୍ଦ୍ର ମିଶ୍ର, ପ୍ରଣବ ପଟ୍ଟନାୟକ, ତ୍ରିପୁରା ମିଶ୍ର, ଆଦିକନ୍ଦ ରାଉତଙ୍କୁ ନେଇ ଅନୁଷ୍ଠିତ ବୈଠକରେ ପୂର୍ବ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ନ କରିବାକୁ ସର୍ବସମ୍ମତିକ୍ରମେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା। ଏହି ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଉପଯୁକ୍ତ ନ୍ୟାୟ ଦିଆଯାଇଛି ବୋଲି ପୁନର୍ବିଚାର ପରେ ଜୁରୀ କମିଟି ସଦସ୍ୟମାନେ ନିର୍ଯାସରେ ପହଞ୍ଚିଥିଲେ। ପୂର୍ବ ନିଷ୍ପତ୍ତି କାଏମ ରଖିବା ପାଇଁ କମିଟି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବୈଠକରେ ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ ‘ଛବିରାଣୀ’ ଚଳଚ୍ଚିତ୍ରର କାହାଣୀ ମୌଳିକ ନୁହେଁ। ଏକ ହିନ୍ଦୀ ଚଳଚ୍ଚିତ୍ରର ଅନୁକରଣ କରାଯାଇଛି। ଚଳଚ୍ଚିତ୍ର ସମାଜକୁ କୌଣସି ସକାରାତ୍ମକ ବାର୍ତ୍ତା ଦେଉନାହିଁ। ନାଟ୍ୟ ଶାସ୍ତ୍ର ଅନୁସାରେ ଏହି ଚଳଚ୍ଚିତ୍ର ବୀଭତ୍ସ ରାସ ପ୍ରଦର୍ଶନ କରୁଛି ବୋଲି ବୈଠକର ବିବରଣୀରେ ଉଲ୍ଲେଖ କରାଯାଇଛି।

ସଂସ୍କୃତି ବିଭାଗ ଉପସଚିବଙ୍କ ପକ୍ଷରୁ ଦାଖଲ ଏହି ଆବେଦନରେ ଉଲ୍ଲେଖ କରାଯାଇଛି ଯେ ହାଇକୋର୍ଟଙ୍କ ଡିସେମ୍ବର ୧୩ ନିର୍ଦ୍ଦେଶ ଅନୁସାରେ ଜୁରୀ କମିଟି ଚୟନ ପ୍ରସଂଗରେ ପୁନଃମୂଲ୍ୟାୟନ କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜନ ପାଇଁ ଅନୁମତି ଦିଆଯାଉ। ଏହି ଆବେଦନ ସହିତ ବବି ଇସଲାମଙ୍କ ମୂଳ ଆବେଦନର ଜାନୁଆରି ୧୭ରେ ହାଇକୋର୍ଟରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୧, ଡିସେମ୍ବର ୧୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ପାଇଁ ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପୁରସ୍କାର ଦୌଡ଼ରେ ଥିବା ସମସ୍ତ ଚଳଚ୍ଚିତ୍ରର ପୁନଃମୂଲ୍ୟାୟନ କରାଯିବ। ପୁନଃମୂଲ୍ୟାୟନ ପରେ ଫଳାଫଳ ସଂକ୍ରାନ୍ତରେ ଆବେଦନକାରୀ ଓ ଅନ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଅବଗତ କରାଯିବ। ଆବେଦନକାରୀଙ୍କ ଅଭିଯୋଗ ସମାଧାନ ହୋଇଛି ବା ଏହି ପ୍ରସଂଗରେ ବିଚାର ଆବଶ୍ୟକ, ସେ ନେଇ ଆବେଦନକାରୀ ଅଦାଲତଙ୍କୁ ଅବଗତ କରିବେ ବୋଲି ହାଇକୋର୍ଟ କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବ ନାରାୟଣ ବିଶ୍ବାଳ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର