ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯ରେ କ୍ୟାବିନେଟ୍ ମୋହର: ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ବ୍ୟାପକ ଯୋଜନା

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯ରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ଏହି ନୀତିରେ ଓଡ଼ିଶାରେ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ବ୍ୟାପକ ଯୋଜନା କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ନଗର ଓ ପ୍ରେକ୍ଷାଳୟ ପ୍ରତିଷ୍ଠା ପର୍ଯ୍ୟନ୍ତ ସବୁଥିରେ ରିହାତିର ବ୍ୟବସ୍ଥା ରଖାଯାଇଛି। ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀକୁ ନେଇ ଅନ୍ୟ ଭାଷାରେ ଚଳଚ୍ଚିତ୍ର ନିର୍ମାଣ କଲେ, ସେଥି ପାଇଁ ମଧ୍ୟ ପ୍ରୋତ୍ସାହନର ବନ୍ଦୋବସ୍ତ କରାଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ, ଚଳଚ୍ଚିତ୍ର ଶିଳ୍ପ ସହ ସଂପୃକ୍ତ ବ୍ୟକ୍ତିବିଶେଷ/ସଂଘ/ଚଳଚ୍ଚିତ୍ର ବିଶେଷଜ୍ଞ ତଥା ସରକାରୀ ବିଭାଗ ଏବଂ ସଂସ୍ଥାଙ୍କ ସହ ଆଲୋଚନା କରାଯାଇ ଏହି ନୀତି ପ୍ରସ୍ତୁତ କରାଯାଇଛି। ଚଳଚ୍ଚିତ୍ର ନୀତି ପ୍ରଚଳନ ହେବା ଫଳରେ ଉତ୍କୃଷ୍ଟ ମାନର ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ, ଚଳଚ୍ଚିତ୍ର ପର୍ଯ୍ୟଟନ ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି, ଚଳଚ୍ଚିତ୍ର ସୁଟିଂ କ୍ଷେତ୍ର ପ୍ରତିଷ୍ଠା ଏବଂ ତାହା ସହ ଅଧିକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ପ୍ରତିଷ୍ଠା ଆଦି କ୍ଷେତ୍ରରେ ଉନ୍ନତି ସାଧନ ହୋଇପାରିବ। ଚଳଚ୍ଚିତ୍ର ନଗର, ମଲ୍ଟିପ୍ଲେକ୍ସ ଓ ଚଳଚ୍ଚିତ୍ର ପ୍ରେକ୍ଷାଳୟ ନିର୍ମାଣ ନିମନ୍ତେ ପୁଞ୍ଜିନିବେଶକାରୀଙ୍କ କାର୍ଯ୍ୟ ସରଳୀକରଣ ଓ ଅନୁସରଣ ନିମନ୍ତେ ଏକକ ବାତାୟନ(ଗୋ ସ୍ବିଫ୍ଟ୍‌) ପୋର୍ଟାଲ ମାଧ୍ୟମରେ ବିଚାର କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ଉନ୍ନତି, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଆଦି ବିଷୟବସ୍ତୁ ଆଧାରିତ ଇଂରାଜୀ, ହିନ୍ଦୀ, ଆନ୍ତର୍ଜାତିକ ଓ ଅନ୍ୟାନ୍ୟ ଭାଷାରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଓଡ଼ିଶାରେ ସୁଟିଂ ନିମନ୍ତେ ପ୍ରଯୋଜକମାନଙ୍କୁ ଉତ୍ସାହିତ କରିବାକୁ ୨.୫ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରାଯାଇଛି। ଉଚ୍ଚକୋଟୀର ସୌନ୍ଦର୍ଯ୍ୟ, ଉଚ୍ଚ ବୈଷୟିକ ମାନ ଏବଂ ସାମାଜିକ ସ୍ଥିତି ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ମଧ୍ୟ ୨.୫ ‌େକାଟି ଟଙ୍କା ପର୍ଯ୍ୟନ୍ତ ରିହାତି ସୁବିଧାର ବ୍ୟବସ୍ଥା କରାଯାଇଛି। ଜଣେ ଚଳଚ୍ଚିତ୍ର ପ୍ରଯୋଜକଙ୍କ କ୍ଷେତ୍ରରେ ଅଧିକ ଦୁଇଟି ଯୋଗ୍ୟ ବିବେଚିତ ଚଳଚ୍ଚିତ୍ର ପ‌ାଇଁ ୪ କୋଟି ଟଙ୍କାର ରିହାତି ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ଉନ୍ନତି ସମେତ ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଇତ୍ୟାଦି ବିଷୟ ଆ‌ଧାରିତ ହିନ୍ଦୀ ତଥା ଆନ୍ତର୍ଜାତିକ ଭାଷାରେ ଅନ୍ୟୂନ ୫୦ କୋଟି ଟଙ୍କା ବ୍ୟୟରେ ପ୍ରଥମ ତିନିଟି ଚଳଚ୍ଚିତ୍ର ନିର୍ମାଣ କଲେ, ସରକାର ୧୦ କୋଟି ଟଙ୍କା ସାହାଯ୍ୟ ଯୋଗାଇ ଦେବେ।ଏହା ବାଦ୍ ଚଳଚ୍ଚିତ୍ର ସୁଟିଂ ସମୟରେ ଓଡ଼ିଶାରେ ରହଣି ପାଇଁ ରିହାତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। କଳିଙ୍ଗ ଷ୍ଟୁଡିଓର ଉନ୍ନତି ସାଧନ ସହ ବିଶ୍ବସ୍ତରୀୟ ଭିତ୍ତିଭୂମି ଯୋଗାଇବା ନିମନ୍ତେ ଚଳଚ୍ଚିତ୍ର ନୀତିରେ ବ୍ୟବସ୍ଥା କରାଯାଇଛି। ଉପଯୁକ୍ତ ପ୍ରୋତ୍ସାହନ ମାଧ୍ୟମରେ ରାଜ୍ୟରେ ଚଳଚ୍ଚିତ୍ର ନଗର, ଚଳଚ୍ଚିତ୍ର ପ୍ରେକ୍ଷାଳୟ ଓ ମଲ୍‌ଟିପ୍ଲେକ୍ସ ଆଦି ନିର୍ମାଣ ନିମନ୍ତେ ଉକ୍ତ ନୀତିରେ ଗୁରୁତ୍ବାରୋପ କରାଯାଇଛି। ଏହା ସହ ଶିଳ୍ପନୀତି-୨୦୧୫ରେ ଥିବା ବ୍ୟବସ୍ଥା ଆଧାରରେ ଏହିସବୁ ପ୍ରକଳ୍ପ ପାଇଁ ରିହାତି ଦରରେ ଜମି ଯୋଗାଇ ଦିଆଯିବ। ପୁଞ୍ଜି ବିନିଯୋଗ ରିହାତି, ସୁଧ ରିହାତି, ଷ୍ଟାମ୍ପ ଶୁଳ୍କ ଛାଡ଼, ବିଦ୍ୟୁତ ଶୁଳ୍କ ଛାଡ଼, ପରିବେଶ ଜନିତ ସୁରକ୍ଷା ଭିତ୍ତିଭୂମି ରିହାତି ଓ ଚଳଚ୍ଚିତ୍ର ପ୍ରଦର୍ଶନ ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ରାଜ୍ୟରେ ପ୍ରଥମ ଚଳଚ୍ଚିତ୍ର ନଗର ପ୍ରକଳ୍ପ ପ୍ରତିଷ୍ଠାକାରୀ ୩୦ କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ରିହାତି ନିମନ୍ତେ ଯୋଗ୍ୟ ବିବେଚିତ ହୋଇପାରିବେ। ଏସବୁ ପଦକ୍ଷେପ ଚଳଚ୍ଚିତ୍ର ଶିଳ୍ପ କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ନିମନ୍ତେ ସହାୟକ ହେବ ବୋଲି ସରକାର ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର