ଦୀପ୍ତିରଂଜନ ସାମଲ
କଟକ: ବନ୍ଦ ହୋଇଯିବ ଓଡ଼ିଶା ରାଜ୍ୟ ଅର୍ଥ ନିଗମ (ଓଏସ୍‌ଏଫ୍‌ସି)। ରାଜ୍ୟର କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପଗୁଡ଼ିକୁ ଋଣ ସହାୟତା ପ୍ରଦାନ କରିବାକୁ ୧୯୫୬ ମସିହାରେ ଅର୍ଥ ବିଭାଗ ଦ୍ବାରା ଆରମ୍ଭ ହୋଇଥିବା ଓଏସ୍‌ଏଫ୍‌ସି ସରକାରୀ ଉଦାସୀନତା ଯୋଗୁଁ ଏବେ ବନ୍ଦ ହେବା ଅବସ୍ଥାରେ। ଅର୍ଥ ନିଗମରେ ଆଉ କର୍ମଚାରୀ ନଥିବା‌ ବେଳେ ଦିଆଯାଇଥିବା ଋଣ ମଧ୍ୟ ଅସୁଲ ହୋଇପାରୁନି। ଫଳରେ ରାଜ୍ୟ ସରକାର ପାଖାପାଖି ୭ ହଜାର କୋଟି ଟଙ୍କା ହରାଇବାକୁ ଯାଉଛନ୍ତି। 

Advertisment

ଓଏସ୍‌ଏଫ୍‌ସି ପାଖରେ ପାଖାପାଖି ୮୨୦୦ ଲୋନ୍‌ ଆକାଉଣ୍ଟ ସକ୍ରିୟ ରହିଛି। ଯେଉଁ ଆକାଉଣ୍ଟ ଜରିଆରେ ପ୍ରାୟ ୨୫୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। 
ସୁଧ ମିଶିଲେ ଏହି ପରିମାଣ ୭ହଜାର କୋଟି ଟଙ୍କା ଟପିଯିବ। କିନ୍ତୁ ଋଣ ଆଦାୟ କରିବାକୁ ଏଠାରେ କର୍ମଚାରୀ ନାହାନ୍ତି। ସାରା ରାଜ୍ୟରେ ବର୍ତ୍ତମାନ ମୋଟ ୧୧ଜଣ ସ୍ଥାୟୀ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଓଏମ୍‌ପି ଛକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଜଣେ ଡ୍ରାଇଭରଙ୍କୁ ମିଶାଇ ମୋଟ ୫ଜଣ କର୍ମଚାରୀ ଅଛନ୍ତି। ଶାଖା କାର୍ଯ୍ୟାଳୟ ମଧ୍ୟରେ ସମ୍ବଲପୁରରେ ଜଣେ, ଭୁବନେଶ୍ବରରେ ୨ଜଣ ଓ କଟକରେ ୩ଜଣ କର୍ମଚାରୀ ଅଛନ୍ତି। ଏକଦା ସାରା ଓଡ଼ିଶାରେ ନିଗମର ଶାଖା ସଂଖ୍ୟା ୧୭ ଏବଂ ସର୍ବାଧିକ ୧୦୦୭ଜଣ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୦୫ରେ ଏକାସାଙ୍ଗରେ ୬୦୭ଜଣଙ୍କୁ ଭିଆର୍‌ଏସ୍‌ ପ୍ରଦାନ କରାଯିବାରୁ ଏହି ସଂଖ୍ୟା ୪୦୦କୁ ଖସିଆସିଥିଲା। ଶାଖା ସଂଖ୍ୟା ଏବେ ୩ରେ ସୀମିତ ରହିଛି। ୧୯୯୦ ମସିହା ପରଠୁ ଆଉ ନୂଆ ନିଯୁକ୍ତି ହୋଇନାହିଁ। ଯେଉଁମାନେ ଅଛନ୍ତି, ଅବସରକୁ ଅପେକ୍ଷା କରିଛନ୍ତି। 

ସରକାର ‌ହରାଇବେ ୭ହଜାର କୋଟି
କର୍ମଚାରୀ ନାହାନ୍ତି, ଅସୁଲ ହୋଇପାରୁନି ଋଣ ଟଙ୍କା

ଆଶ୍ଚର୍ଯ୍ୟର ବିଷୟ, କର୍ମଚାରୀମାନେ ଏପର୍ଯ୍ୟନ୍ତ ପଞ୍ଚମ ବେତନ ଆୟୋଗ ସୁପାରିସ ଅନୁଯାୟୀ ଦରମା ପାଉଛନ୍ତି। କର୍ମଚାରୀମାନଙ୍କର ପେନ୍‌ସନ୍‌ ସୁବିଧା ନାହିଁ। ବର୍ତ୍ତମାନ ଥିବା କର୍ମଚାରୀଙ୍କ ମଧ୍ୟରୁ କେତେକ ୨୦୨୭ରେ ଅବସର ନେଇଯିବେ। ତେବେ ଅନ୍ତିମ ବ୍ୟକ୍ତି ଭାବେ ଅବସର ନେବାକୁ ଥିବା କର୍ମଚାରୀଙ୍କ ଚାକିରିକାଳ ୨୦୩୨ରେ ‌ଶେଷ ହେବ। ୨୦୦୪-୦୫ ପରଠୁ ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ ହୋଇନାହାନ୍ତି। ନୂଆ ନିଯୁକ୍ତି ନଥିବାରୁ କେବଳ ଋଣ ଅସୁଲ ପାଇଁ ସରକାରଙ୍କ ଦ୍ବାରା ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଓଏସ୍‌ଏଫ୍‌ସିର ପରିଚାଳନା ନିର୍ଦ୍ଦେଶକ ଓ ଜଣେ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ମହାପ୍ରବନ୍ଧକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ‌ଆନ୍ତରିକତା ଅଭାବରୁ ଋଣ ଟଙ୍କା ଫେରିବା କଷ୍ଟ ହେଉଛି। ଶିଳ୍ପ ନିର୍ଦ୍ଦେଶାଳୟର କିଛି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଗମରେ ଆକାଉଣ୍ଟ୍‌ସ ସମ୍ଭାଳିବା ଦାୟିତ୍ବରେ ରଖାଯାଇଛି। 

ନିଗମ ନାମରେ ୧୦୦ରୁ ଊର୍ଦ୍ଧ୍ବ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। କିନ୍ତୁ ଓକିଲ ନିଯୁକ୍ତ ହୋଇପାରୁ ନଥିବାରୁ ମାମଲାଗୁଡ଼ିକରେ ସଫଳତା ମିଳିବା ଆଶା କମିଯାଇଛି। ଯେଉଁ ସମ୍ପତ୍ତି ବନ୍ଧକ ରଖି ଋଣ ପ୍ରଦାନ କରାଯାଇଥିଲା, ସେଥିମଧ୍ୟରୁ ଅନେକ ସମ୍ପତ୍ତିର ଆଉ ସତ୍ତା ନାହିଁ। ରାଜ୍ୟର କିଛି ରାଜନୈତିକ ବ୍ୟକ୍ତିବିଶେଷ କୋଟିକୋଟି ଟଙ୍କାର ଋଣ ନେଇଥିଲେ ମଧ୍ୟ ଫେରାଉ ନାହାନ୍ତି। ରାଜ୍ୟର ପାଖାପାଖି ୧୦ଟି ସ୍ଥାନରେ ନିଗମର ନିଜସ୍ବ ମୂଲ୍ୟବାନ୍‌ ଜମି ଅଛି। କିନ୍ତୁ ସେଗୁଡ଼ିକୁ କେହି ତଦାରଖ କରିବା ପାଇଁ ନଥିବାରୁ ‌କେଉଁଠି ରେକର୍ଡ ହଜିଗଲାଣି ତ ଆଉ କେଉଁଠି ଜବରଦଖଲ ହୋଇଗଲାଣି। କାର୍ଯ୍ୟାଳୟର ପୁରୁଣା ଗାଡ଼ିଗୁଡ଼ିକ ପଡ଼ିରହି ନଷ୍ଟ ହୋଇଗଲାଣି। ପୂର୍ବ ସରକାର ସମୟରେ ଏହି ନିଗମର ଗୁରୁତ୍ବ ହ୍ରାସ କରାଯାଇଥିବାରୁ ବିଧାନସଭାରେ ଅନେକ ଥର ଆଲୋଚନା କରାଯାଇଛି। ବର୍ତ୍ତମାନ ସରକାର ଏହାର ପୁନରୁଦ୍ଧାର କରିବାକୁ ପୂର୍ବତନ କର୍ମଚାରୀମାନେ ଆଶା ରଖିଛନ୍ତି।