ଅର୍ଥ ବିଭାଗ ଦେଲା ସ୍ପଷ୍ଟୀକରଣ : ନୂଆ ପଦବୀ ସୃଷ୍ଟି ଉପରେ କେବଳ କଟକଣା ଲାଗିଛି; ଅନ୍ୟ ସମସ୍ତ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ

ଭୁବନେଶ୍ବର: ଗତକାଲି କୋଭି଼ଡ଼୍-୧୯ ସଂକ୍ରମଣ ହେତୁ ଓଡ଼ିଶାର ଅର୍ଥନୀତି ପ୍ରଭାବିତ ହୋଇଥିବା  ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏକ ବଡ଼ ଧରଣର କଟକଣା ଜାରି କରିଥିଲେ। ଅନ୍ୟାନ୍ୟ କଟକଣା ସହିତ  ଆସନ୍ତା ଦୁଇ ବର୍ଷ ପାଇଁ ସରକାରୀସ୍ତରରେ ସ୍ବାସ୍ଥ୍ୟ ବିଭାଗର ନିଯୁକ୍ତିକୁ ଛାଡ଼ିଦେଲେ କୌଣସି ବି ସରକାରୀ ବିଭାଗରେ ଜଣେ ହେଲେ ବି କେହି ନିଯୁକ୍ତି ପାଇପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଘୋଷଣା କରିଥିଲା। ତେବେ ଆଜି ଏହାକୁ ବିରୋଧୀ ଦଳଙ୍କ ପକ୍ଷରୁ କଡ଼ା ସମାଲୋଚନା କରାଯାଇଥିଲା। ଏହାପରେ ସରକାରୀ ନିଯୁକ୍ତି ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି ରାଜ୍ୟ ସରକାର। ଅର୍ଥ ବିଭାଗ ଅନୁସାରେ, ସରକାରୀ ସ୍ତରରେ ଚାଲିଥିବା ସମସ୍ତ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ଏବଂ  ଖାଲି ପଡିଥିବା ସରକାରୀ ପଦବୀକୁ ମଧ୍ୟ ପୂରଣ କରାଯିବ। ନୂଆ ପଦବୀ ସୃଷ୍ଟି ଉପରେ କେବଳ କଟକଣା ଲାଗିଛି ବୋଲି ସ୍ପଷ୍ଟ କରିଛି ଅର୍ଥ ବିଭାଗ।

ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସରକାରୀ ନିଯୁକ୍ତି ବନ୍ଦ ନିଷ୍ପତ୍ତିର ପୁର୍ନବିଚାର କରିବାକୁ ଅନୁରୋଧ କରିଥିଲେ। ସେ ପ୍ରତିକ୍ରିୟା ରଖି କହିଥିଲେ, ନିଯୁକ୍ତ ବନ୍ଦ ହୋଇଗଲେ ବେକାର ଯୁବକ/ଯୁବତୀ କ’ଣ କରିବେ ? ବେକାରୀ ସମସ୍ୟା ସହ ପ୍ରବାସୀରୁ ଲକ୍ଷ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି । ଆଗକୁ ଏହି ସମସ୍ୟା ଆହୁରି ତୀବ୍ର ହେବାକୁ ଯାଉଛି । ସରକାରଙ୍କ ବଳରାମ ଯୋଜନାରେ କେତେ ଲୋକ ଉପକୃତ ହେବେ ? ଯୁବକଙ୍କୁ ନିଯୁକ୍ତି ନ ଦେଲେ ଆଗକୁ ବେକାରୀ ସ୍ଥିତି ଅସମ୍ଭାଳ ହେବ । ସରକାରଙ୍କ ଏହି ସମୟରେ ଦୂରଦୃଷ୍ଟିର ଅଭାବ ରହୁଛି ।

ମଙ୍ଗଳବାର ଅର୍ଥ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା  ସମସ୍ତ ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବିଭାଗୀୟ ମୁଖ୍ୟମାନଙ୍କୁ  ପତ୍ର ଜରିଆରେ ଅର୍ଥନୈତିକ କଟକଣା ସଂକ୍ରାନ୍ତୀୟ ସୂଚନା ଦେଇଥିଲେ। ସରକାରଙ୍କ ଏଭଳି ନିର୍ଦେଶ ପରେ ପ୍ରଶାସନିକ କରିଡର୍‌ଠାରୁ ଆରମ୍ଭକରି ରାଜନୈତିକ ମହଲ ସବୁଠାରେ କମ୍ପନ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଯେ ଆଦୌ ଭଲ ନାହିଁ କିମ୍ବା ଅର୍ଥନୀତି ଖୁବ୍‌ଶୀଘ୍ର ସଜାଡ଼ିହେବ ନାହିଁ, ଏକଥା ଏହି ନିର୍ଦେଶନାମା ପରୋକ୍ଷରେ ସୂଚାଇ ଦେଇଛି।

ଦୁଇ ବର୍ଷ ପାଇଁ ସରକାରୀସ୍ତରରେ କୌଣସି ନୂଆ ଗାଡ଼ି କିଣାଯାଇ ପାରିବ ନାହିଁ। ମେଡିକାଲ ସାମଗ୍ରୀ, ସଭା ସମିତି ପାଇଁ ଆବଶ୍ୟକ ଡିଜିଟାଲ ଯନ୍ତ୍ରାଂଶ ଛଡ଼ା ଆଉ କିଛି କିଣାଯାଇ ପାରିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ନିଯୁକ୍ତିକୁ ଛାଡ଼ିଦେଲେ କୌଣସି ବି ସରକାରୀ ବିଭାଗରେ ଜଣେ ହେଲେ ବି କେହି ନିଯୁକ୍ତି ପାଇପାରିବେ ନାହିଁ। ସେହିଭଳି କୌଣସି ନୂତନ ଯୋଜନା ପ୍ରଣୟନ କରାଯିବ ନାହିଁ। ଅତ୍ୟାବଶ୍ୟକସ୍ଥଳେ ଅର୍ଥ ବିଭାଗର ଅନୁମତି ପରେ ଜନକଲ୍ୟାଣ ପାଇଁ ସରକାର କୌଣସି ଯୋଜନା ସଂପର୍କରେ ଘୋଷଣା କରିପାରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା।

ସମ୍ବନ୍ଧିତ ଖବର