ରାଜ୍ୟ ଖାଦ୍ୟ ଆୟୋଗଙ୍କ ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡ଼ା : ରାଜ୍ୟ ଖାଦ୍ୟ ଆୟୋଗ ଝାରସୁଗୁଡ଼ାକୁ ଦୁଇ ଦିନିଆ ଗସ୍ତରେ ଆସି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ୨୪ ତାରିଖରେ ଆୟୋଗ ଦୁର୍ଲଗାସ୍ଥିତ ଯୋଗାଣ ବିଭାଗର ସୁଲଭ ମୂଲ୍ୟ ଦୋକାନ ପରିଦର୍ଶନ କରିବା ସହ ବୋର୍ଡ ଓ ରେଜିଷ୍ଟାର ଯାଞ୍ଚ କରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା ହିତାଧିକାରୀମାନଙ୍କୁ ଚାଉଳ ଗହମ ଆଦି ଖାଦ୍ୟ ଶସ୍ୟ ଠିକ୍‌ ଭାବରେ ବଣ୍ଟନ କରାଯାଉଛି କି ନାହିଁ ପଚାରି ବୁଝିଥିଲେ। ପରେ ଆୟୋଗ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ସାମଗ୍ରୀ ଯାଞ୍ଚ କରିଥିଲେ। ବେଦାନ୍ତ ଶିଳ୍ପାନୁଷ୍ଠାନରେ ସିଏସ୍‌ଆର୍ ଅନ୍ତର୍ଗତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।

ଗୁରୁବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଷ୍ଟି ସାଧନ କେନ୍ଦ୍ରରେ ପୁଷ୍ଟିହୀନତାର ଶିକାର ଶିଶୁମାନଙ୍କୁ ଦିଆଯାଉଥିବା ପୁଷ୍ଟିଯୁକ୍ତ ଖାଦ୍ୟ ଓ ଔଷଧ ସମ୍ପର୍କରେ ପଚାରି ବୁଝିଥିଲେ। ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆୟୋଗ ଅଧ୍ୟକ୍ଷ ପ୍ରମୋଦ ମେର୍କାପ ଓ ସଭ୍ୟ ଦିଗବିଜୟ ନାଥ ପାଢ଼ୀ ଯୋଗ ଦେଇଥିଲେ। ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ଆଲୋଚନା କରି ଆୟୋଗ ଖାଦ୍ୟ ସୁରକ୍ଷା ସାଧାରଣ ଲୋକଙ୍କ ଅଧିକାର ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହିତାଧିକାରୀମାନେ ଯେପରି ସେମାନଙ୍କ ପ୍ରାପ୍ୟ ଖାଦ୍ୟ ସାମଗ୍ରୀରୁ ବଞ୍ଚିତ ନ ହୁଅନ୍ତି ସେ ଦିଗରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ସଠିକ ହିତାଧିକାରୀ ଚୟନ ପୂର୍ବକ ରାସନ କାର୍ଡ଼ ଯୋଗାଣ ପାଇଁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଶିଶୁ ସୁସ୍ଥ ସବଳ ହେବା ଆବଶ୍ୟକ, ସେ ଦୃଷ୍ଟିରୁ ଗର୍ଭବତୀ ମହିଳାଙ୍କୁ ଏବଂ ପ୍ରସବ ପରବର୍ତ୍ତୀ ମହିଳାମାନଙ୍କୁ ତିନି ମାସ ଧରି ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ମା’ମାନେ ଯେପରି ନିୟମିତ ସ୍ୱାସ୍ଥ୍ୟ ବଟିକା ସେବନ କରନ୍ତି ସେ ଦିଗରେ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇ ଆୟୋଗ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟ ଓ  ବିଦ୍ୟାଳୟମାନଙ୍କରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କିପରି ଅଧିକ ପୁଷ୍ଟିଯୁକ୍ତ ହୋଇପାରିବ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଆଦର୍ଶ ସୁଲଭ ମୂଲ୍ୟ ଦୋକାନ ପ୍ରସ୍ତୁତି ଓ ନିୟମିତ ସୋସିଆଲ ଅଡିଟ୍ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

ଆୟୋଗ ଜିଲ୍ଲାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାପାଳ ସରୋଜ ସାମଲ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟମାନଙ୍କରେ ପୁଷ୍ଟି ଯୁକ୍ତ ଖାଦ୍ୟ ଯୋଗାଣ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆୟୋଗଙ୍କୁ ଅବଗତ କରାଇଥିଲେ। ସମୀକ୍ଷା ବୈଠକରେ ଆୟୋଗଙ୍କ ପ୍ରଶାସନିକ ଅଧିକାରୀ ସମରେନ୍ଦ୍ର ଷଡ଼ଙ୍ଗୀ, ପରାମର୍ଶଦାତା ତମାଲ ରେଜା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲଙ୍କେଶ୍ୱର ଅମାତ, ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଆଲୋମଣି ସେଠୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର