ଭୁବନେଶ୍ବର: ଜନବସତି ଅଞ୍ଚଳରେ ଏଭଳି ଗଛ ଲଗାଇବା ଆବଶ୍ୟକ, ଯାହାକି ଲୋକଙ୍କୁ ଫଳ, ଫୁଲ ସହ ଛାଇ ପ୍ରଦାନ କରୁଥିବ। ତେବେ ଯାଇ ଲୋକେ ବୃକ୍ଷର ଉପଯୁକ୍ତ ଯତ୍ନ ନେବେ। ସେହିପରି ରାସ୍ତାପାର୍ଶ୍ୱ ବନୀକରଣ ବେଳେ ଆକାଶ, ୟୁକାଲିପଟାସ୍ ବଦଳରେ ଫଳନ୍ତି ଗଛ ଲଗାଯାଉ, ଯାହାକି ଲୋକଙ୍କ କାମରେ ଆସିପାରିବ। ବିଶେଷକରି ମଣିଷ-ହାତୀ ସଂଘର୍ଷ ହ୍ରାସ କରିବାକୁ ଜଙ୍ଗଲ ଭିତରେ ହାତୀଙ୍କ ଖାଦ୍ୟ ପାଇଁ ଧାନ ଓ ବାଉଁଶ ଚାଷ କରିବା ଦିଗରେ ବନ ବିଭାଗ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଲେ, ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ। ବୃକ୍ଷରୋପଣ ସହିତ ତା’ର ସୁରକ୍ଷା, ପରିଚାଳନା ଓ ସବୁଜ ବଳୟ ବୃଦ୍ଧି ପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡ଼ିବ। ଏଥିସହ ବନ୍ୟପ୍ରାଣୀ ଶିକାର ରୋକିବା, ଜଙ୍ଗଲ ନିଆଁ ରୋକିବାରେ ଜଙ୍ଗଲ ବିଭାଗ ଭଲ କାମ କରୁଥିବା ବେଳେ ଏବେ ଶତ ପ୍ରତିଶତ ସଫଳତା ହାସଲ କରିବାକୁ ହେବ। ଆବଶ୍ୟକ ସ୍ଥଳେ ବ୍ୟାପକ ଜନସଚେତନ ସୃଷ୍ଟି ସହ ନୂତନ ଟେକ୍ନୋଲୋଜିର ପ୍ରୟୋଗ, ଜଙ୍ଗଲ ସୁରକ୍ଷା ପାଇଁ ସ୍ୱେଚ୍ଛାସେବୀ ସଙ୍ଗଠନ, ନାଗରିକ ସୁରକ୍ଷା ମଞ୍ଚର ସହଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ୨୦୩୬ ସମୃଦ୍ଧ ଓଡିଶା ଗଠନ ପାଇଁ ହୋଇଥିବା ପରିକଳ୍ପନାରେ ‘ସବୁଜ ଓଡ଼ିଶା’ ଗଠନର ଲକ୍ଷ୍ୟ ପୂରଣରେ ବିଭାଗୀୟ ଅଧିକାରୀଙ୍କ ନିଷ୍ଠାପର ଯୋଗଦାନ ସହ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ତାଲିମ, ଗବେଷଣା ପ୍ରତି ଗୁରୁତ୍ୱାରୋପ କରି ଲୋକଙ୍କ ସେବା କରିବାକୁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ।
ସେପ୍ଟେମ୍ବର ୧୭ରେ ଲାଗିବ ୭୫ ଲକ୍ଷ ଚାରା
ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ‘ଏକ ପେଡ ମା’କେ ନାମ’ କାର୍ଯ୍ୟକ୍ରମରେ ଗତବର୍ଷ ୬କୋଟି ୫୨ ଲକ୍ଷ ଚାରା ଲାଗିଥିଲା। ଏଥର ସାଢ଼େ ୭ କୋଟି ଗଛ ଲଗାଇବାକୁ ଯୋଜନା ହୋଇଛି। ଏବେ ପ୍ରତିଦିନ ହାରାହାରି ୧୦ ଲକ୍ଷ ଚାରା ରୋପଣ ହେଉଛି, ଯେଉଁଥିରେ ବନ ଅଧିକାରୀମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ପାଳନ ଅବସରରେ ଗୋଟିଏ ଦିନରେ ସାରା ରାଜ୍ୟରେ ୭୫ ଲକ୍ଷ ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଦିନ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଥିଲେ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଯୋଗଦେଇ ସମସ୍ତ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରି ବିଭାଗର ସୁନାମ ଆଣିବାକୁ ବନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେଇ ଜଙ୍ଗଲ ପାଖରେ ରହୁଥିବା ଲୋକଙ୍କୁ ଜଙ୍ଗଲ ସଂରକ୍ଷଣ ପ୍ରତି ସଚେତନତା ସହିତ ଜଙ୍ଗଲ ଭିତରେ ରହୁଥିବା ଲୋକଙ୍କ ଜୀବନ ଜୀବିକା ବୃଦ୍ଧି ପ୍ରତି ଦୃଷ୍ଟି ଦେବାକୁ କହିଥିଲେ।
ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଏବଂ ପିସିସିଏଫ୍ ସୁରେଶ ପନ୍ଥ ଧନ୍ୟବାଦ ଦେଇଥିଲେ। ପିସିସିଏଫ୍(ବନ୍ୟପ୍ରାଣୀ) ପ୍ରେମ୍ କୁମାର ଝା, ପିସିସିଏଫ୍(କେନ୍ଦୁପତ୍ର) ଉମା ନନ୍ଦୁରୀ ଉପସ୍ଥିତ ଥିଲେ। ଏହି ଅବସରରେ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଉଦ୍ୟାନ କୃଷି ବିଭାଗ ଓ ଓଡ଼ିଶା ରାଜ୍ୟ ବିହନ ନିଗମ ମଧ୍ୟରେ ଏକ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷର ହୋଇଥିଲା। ଜଙ୍ଗଲ ସମ୍ପଦର ସଂରକ୍ଷଣ ଓ ବିଭାଗର ସଫଳତା ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ନୂଆ ୱେବସାଇଟ୍ ଲୋକାର୍ପଣ ହୋଇଥିଲା।