ବାଲେଶ୍ବର: ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀର ଆଗଧାଡ଼ିର ନେତା ଶ୍ୟାମାପ୍ରସାଦ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ କରାୟତ୍ତରେ ଦଳ ରହିଥିବା ଓ ଅମଲାତନ୍ତ୍ରର ରାଜୁତି ଚାଲିଥିବା ଯୋଗୁଁ ସେ ଇସ୍ତଫା ଦେଇଥିବା ବୁଧବାର ବାଲେଶ୍ବର ଷ୍ଟେସନ୍‌ କ୍ଲବ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦୁଇଥର ଦଳର ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ବ ତୁଲାଇଥିବା ଶ୍ରୀ ବେହେରାଙ୍କ ପରି ଜଣେ ଟାଣୁଆ ନେତାଙ୍କ ଇସ୍ତଫା ତଥା ସେ ଲଗାଇଥିବା ଆରୋପ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଶ୍ରୀ ବେହେରା କହିଲେ; ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସଚିବଙ୍କ ହାତରେ ସାଢେ ୪ କୋଟି ଓଡ଼ିଆଙ୍କ ଭାଗ୍ୟ ଟେକି ଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ନିର୍ବାଚିତ ଲୋକ ପ୍ରତିନିଧିଙ୍କ ପରାମର୍ଶରେ ଶାସନତନ୍ତ୍ର ଚାଲିବା କଥା। କିନ୍ତୁ ଏବେ ବିଧାୟକ ଓ ମନ୍ତ୍ରୀମାନେ ୫-ଟି ସଚିବଙ୍କ ଆଗରେ ହାତଯୋଡ଼ି ଛିଡ଼ା ହେଉଛନ୍ତି। ତାଙ୍କ କାର୍ଯ୍ୟକ୍ରମ ପାଇଁ ଦରି ଓ ଚେୟାର ପକାଇବା ଭଳି କାର୍ଯ୍ୟ କରୁଛନ୍ତି। ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ ଏଭଳି କୁତ୍ସିତ କାର୍ଯ୍ୟକୁ ସେ ଗ୍ରହଣ କରିପାରୁନାହାନ୍ତି ବୋଲି ଶ୍ରୀ ବେହେରା କହିଥିଲେ।
ସେହିପରି ବିଗତ ୫ ବର୍ଷ ମଧ୍ୟରେ ବସ୍ତା ନିର୍ବାଚନ ମଣ୍ଡଳୀରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ପାରିନାହିଁ। ବ୍ଲକ୍‌ରେ ଗୋଟିଏ ହେଲେ କଲେଜ ପ୍ରତିଷ୍ଠା ହୋଇ ପାରିନାହିଁ କି କୋଣାର୍କ ପେପର୍‌ ମିଲ୍‌ ଓ ବାଲିଆପାଳ ସୂତାକଳ ପୁନଃ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ବାଲିଆପାଳ ବ୍ଲକ୍‌ରେ ଚାଷୀଙ୍କ ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା ମଧ୍ୟ ପ୍ରତିଶ୍ରୁତିରେ ରହିଗଲା। ନିଯୁକ୍ତି ଅଭାବରୁ ବସ୍ତା ନିର୍ବାଚନମଣ୍ଡଳୀର ହଜାର ହଜାର ବେକାର ଯୁବକ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି। ଏସବୁର ପ୍ରତିବାଦରେ ଦଳରୁ ଇସ୍ତଫା ଦେଉଥିବା ଶ୍ରୀ ବେହେରା କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବଚରଣ ନାୟକ, ପ୍ରିୟବ୍ରତ ନାରାୟଣ ପ୍ରହରାଜ, ଗୌରୀଶଙ୍କର ଦତ୍ତ, ସୁଶାନ୍ତ ପ୍ରଧାନ, ଚିନ୍ମୟୀ ଦେବ, ଅଦୈତ ଜେନା, କେଶବଚନ୍ଦ୍ର ଦଣ୍ଡପାଟ, ସଂଘମିତ୍ରା ମଣ୍ଡଳ, ପୁରୁଷୋତ୍ତମ ଭୂୟାଁଙ୍କ ସମେତ ଶ୍ରୀ ବେହେରାଙ୍କ ସମର୍ଥକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଶ୍ରୀ ବେହେରା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।