ଭୁବନେଶ୍ବର: ତିନି ଦଫା ଦାବି ପୂରଣ ନିମନ୍ତେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ପୁଣି ଥରେ ନାଲି ଆଖି ଦେଖାଇଛନ୍ତି। ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ରୋକିବାକୁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଗୁରୁବାର ଏନେଇ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଚିଠି ଲେଖିଛନ୍ତି। ଶିକ୍ଷକମାନଙ୍କର ଆନ୍ଦୋଳନ କାରଣରୁ ଅନେକଗୁଡ଼ିଏ ସ୍କୁଲରେ ପାଠପଢ଼ା ଆଂଶିକ ଭାବେ ପ୍ରଭାବିତ ହୋଇଛି। ସେହିପରି ଆଉ କିଛି ସ୍କୁଲ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଆନ୍ଦୋଳନରେ ଯେଉଁମାନେ ନିୟୋଜିତ ଅଛନ୍ତି ଏବଂ ବିଦ୍ୟାଳୟରେ ଅନୁପସ୍ଥିତ ଅଛନ୍ତି, ସେମାନଙ୍କର ଏକ ଦୈନିକ ଉପସ୍ଥାନ ପ୍ରସ୍ତୁତ କରିବାକୁ ଏହି ଚିଠିରେ ଉଲ୍ଲେଖ ରହିଛି। ଉପସ୍ଥିତ ଓ ଅନୁପସ୍ଥିତ ଶିକ୍ଷକଙ୍କ ସଂପର୍କରେ ଜଣାଇବାକୁ ନିର୍ଦ୍ଦେଶ ହୋଇଛି। ଏଥି ସହିତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ସଂପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୮ ତାରିଖ ଠାରୁ ପ୍ରାଥମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ୩ ଦାବି ପୂରଣ ନିମନ୍ତେ ସମୂହ ଛୁଟିରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ସେମାନେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଛେଦ କରିବା, ଶିକ୍ଷକର୍ମୀ ଓ ଶିକ୍ଷା ସହାୟକଙ୍କୁ ଠିକା କାର୍ଯ୍ୟକାଳକୁ ହଟାଇ ମୂଳ ଚାକିରିରେ ଗଣନା କରିବା ଏବଂ ଏକ୍ସ କ୍ୟାଡେର ଶିକ୍ଷକ ଓ ବହୁଭାଷୀ ଶିକ୍ଷକ, କଳା, କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକରେ ମାନ୍ୟତା ପ୍ରଦାନ କରିବା। ଦ୍ୱତୀୟ ଦାବିଟି ହେଲା ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବେଲ ୯ ଗ୍ରେଡ଼ ପେ ଅନୁଯାୟୀ ୪୨୦୦ ପ୍ରଦାନ କରିବା ଓ ତୃତୀୟ ଦାବି ହେଲା ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ ପୁଣିଥରେ ପ୍ରଚଳନ କରାଯିବା।
ଏହା ପୂର୍ବରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ରାଜ୍ୟବ୍ୟାପି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦେଳନରତ ଶିକ୍ଷକଙ୍କୁ ୨୨୦ ଦିନର କାର୍ଯ୍ୟ ଦିବସ ଭରଣା କର ବୋଲି ନିର୍ଦ୍ଦେଶ ଦେଇଥିଲେ। ନଚେତ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ତାହାକୁ ଭରଣା କରିବ’ ବୋଲି ସରକାର କହିଥିଲେ। ସରକାର କହିଥିଲେ ଯେ, ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସବ୍ କମିଟି ଶିକ୍ଷକମାନଙ୍କୁ ଆନ୍ଦେଳନକୁ ନେଇ ଆଲୋଚନା ଜାରି ରଖିଛି। ଏ ସଂପର୍କରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ପରିସ୍ଥିତିରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଆନ୍ଦୋଳନରୁ ହଟାଇବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/ae9349b1-f639-400c-8db9-2be4f5d06a50.jpeg)