ଭୁବନେଶ୍ବର : ରାଜ୍ୟର ସମୁଦାୟ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତିର ଲୋକ। ସମ୍ବିଧାନର ଧାରା ୪୬ ମୁତାବକ ଏହି ବର୍ଗର ସାମାଜିକ, ଆର୍ଥିକ ଓ ଶୈକ୍ଷିକ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ଏହି ବର୍ଗର ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ଅନେକ ଯୋଜନା ହେଉଛି। ହେଲେ ଏମାନଙ୍କର ବିକାଶ ହୋଇପାରୁ ନାହିଁ। ଯୋଜନାର ଅର୍ଥ ବାଟମାଣା ‌ହେଉଛି। ଦାୟିତ୍ବରେ ଥିବା ବାବୁମାନେ ମାଲାମାଲ ହୋଇ କେବଳ ଫଟୋ ଉଠାଇ ପ୍ରଚାର ସର୍ବଶ୍ବ ବିକାଶ କରି ଚାଲିଛନ୍ତି। ତେଣୁ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ବିକାଶର ବିରୋଧୀ ବୋଲି କଂ‌ଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

Advertisment

ସୋମବାର ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମର ଆବାହକ ସତ୍ୟପ୍ରକାଶ ନାୟକ କହିଲେ, ଟିଏସି ଅନୁସୂଚିତ ଜାତି କଲ୍ୟାଣ ବୋର୍ଡ ଓ ଭିଜିଲାନ୍‌ସ ମନିଟରିଂ କମିଟିଗୁଡ଼ିକୁ ଗଠନ କରୁ ନାହାନ୍ତି। ପ୍ରତିବର୍ଷ ଆଦିବାସୀ ଉପଦେଷ୍ଟା ପରିଷଦ, ଅନୁସୂଚିତ ଜାତି ଉପଦେଷ୍ଟା ବୋର୍ଡ ଓ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରାକରଣ ନିୟମ ୧୯୯୫ ଅନୁଯାୟୀ ଉଚ୍ଚସ୍ତରୀୟ ଭିଜିଲାନ୍‌ସ ଓ ମନିଟରିଂ କମିଟିର ବୈଠକ ୨୦୧୪ରୁ ବସିନାହିଁ। ସେହିପରି ଜଙ୍ଗଲ ଅଧିକାର ଆଇନ କମିଟି ଓ ଟ୍ରାଇବାଲ ସବ୍ ପ୍ଲାନ୍ ଓ ଅନୁସୂଚିତ ଜାତି କମ୍ପୋନେଣ୍ଟ ପ୍ଲାନ୍‌ର ମନିଟରିଂ କମିଟିଗୁଡ଼ିକ ମଧ୍ୟ ରାଜ୍ୟରେ କାର୍ଯ୍ୟ କରୁନାହିଁ।

ବିଧାନସଭା ଓ ଲୋକସଭାରେ ଏହି ବର୍ଗ ପାଇଁ ଆସନ୍ତା ୨୦୩୦ ପର୍ଯ୍ୟନ୍ତ ଆସନ ସଂରକ୍ଷଣ ପାଇଁ ସମ୍ବିଧାନ ଧାରା ୩୩୪ର ସଂଶୋଧନ ବିଲ ୨୦୨୦ ମସିହାରେ ସଂସଦରେ ପାରିତ ହୋଇଛି। ମାତ୍ର ରାଜ୍ୟରେ ୫୭ ସଂରକ୍ଷିତ ବିଧାୟକ ଥାଇ ମଧ୍ୟ ବିଧାନସଭରେ ଏହାକୁ ଅନୁମୋଦିତ ହୋଇପାରି ନାହିଁ କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ହଳଧର ସେଠୀ ଉପସ୍ଥିତ ଥିଲେ।