ଭୁବନେଶ୍ୱର: ଏକ ସୁନ୍ଦର ଓ ସବୁଜ ଓଡ଼ିଶା ଗଠନ କରିବା ପାଇଁ ୨୦୩୬ ସୁଦ୍ଧା ଭିଜନ୍ ଓଡ଼ିଶା କାର୍ଯ୍ୟକ୍ରମରେ ‘ସବୁଜ ଓଡ଼ିଶା’ ଗଠନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୦ ଲକ୍ଷ ସବୁଜ ଜୀବିକା ସୃଷ୍ଟି କରାଯିବ ଏବଂ ଓଡ଼ିଶାକୁ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ୍ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୁଣା ଭୁବନେଶ୍ବରସ୍ଥିତ ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଆୟୋଜିତ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସବୁଜ ଓଡ଼ିଶା’ ଯୋଜନାରେ ଆଦିବାସୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ଶାଳ, ତେନ୍ତୁଳି, ବାଉଁଶ ଓ ଔଷଧୀୟ ଉଦ୍ଭିଦ ପାଇଁ ୧୦୦ରୁ ଅଧିକ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୫ ହଜାର କୋଟି ଟଙ୍କାରୁ ଅଧିକ ଆୟ ଲକ୍ଷ୍ୟ ରଖାଯାଇଛି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବନ ବିଭାଗ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ପୁରସ୍କାରରେ ଏଣିକି କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ସାମିଲ କରାଯିବ। ରାଜ୍ୟରେ ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପୂର୍ବରୁ ଦିଆଯାଇଆସୁଥିବା ଏସବୁ ପୁରସ୍କାରର ପୁନର୍ବିନ୍ୟାସ କରାଯାଇଛି। ଏହି ନୂତନ ପୁରସ୍କାର ନିୟମ ଆଜିଠାରୁ ହିଁ ଲାଗୁ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ବଜ୍ରପାତରୁ ରକ୍ଷା ପାଇବା ପାଇଁ ଚଳିତ ବର୍ଷ ୧୮ ଲକ୍ଷ ତାଳଗଛ ରୋପଣ କରାଯିବ। ଶିମିଳିପାଳରେ ୫୦ କୋଟି ଟଙ୍କା ବ୍ୟୟରେ ବନ୍ୟପ୍ରାଣୀ ଓ ଉଦ୍ଭିଦ ସଂରକ୍ଷଣ ପାଇଁ ନୂତନ ପ୍ରୟାସ ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ।
୧୦ଲକ୍ଷ ଜୀବିକା ସୃଷ୍ଟି ସହ ୫ହଜାର କୋଟି ଆୟ ହେବ
କ୍ଷେତ୍ର କର୍ମଚାରୀ ଓ ଜନସାଧାରଣ ବି ପାଇବେ ବନ ପୁରସ୍କାର
ଚଳିତ ବର୍ଷ ଲାଗିବ ୧୮ଲକ୍ଷ ତାଳଗଛ
‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ୭.୫ କୋଟି ଚାରା
କ୍ଷେତ୍ର କର୍ମଚାରୀ ଓ ଜନସାଧାରଣ ବି ପାଇବେ ବନ ପୁରସ୍କାର
ଚଳିତ ବର୍ଷ ଲାଗିବ ୧୮ଲକ୍ଷ ତାଳଗଛ
‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ୭.୫ କୋଟି ଚାରା
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ଚଳିତ ବର୍ଷ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ଅଧୀନରେ ୭.୫ କୋଟି ଚାରାରୋପଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଙ୍କ ସହିତ ବିଧାୟକ ବାବୁ ସିଂ, ବିଏମ୍ସି ମେୟର ସୁଲୋଚନା ଦାସ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବୃକ୍ଷରୋପଣ କରିଥିଲେ। ପ୍ରଧାନମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ସୁରେଶ ପନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ସୀତାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡ଼ୁ ନିଯୋଗ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ବରିଷ୍ଠ ନେତା ସମୀର ମହାନ୍ତି, ରଶ୍ମି ମହାପାତ୍ର, ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର, ବ୍ଲକ୍ ଅଧ୍ୟକ୍ଷ ନିରୁପମା ସାହୁ, କର୍ପୋରେଟର ଚନ୍ଦ୍ର ଶେଖର ମଲିଆ, ସୁରେନ୍ଦ୍ର ପ୍ରଧାନ, ମୁରଲୀ ମନୋହର ପାତ୍ର, ନାରାୟଣ ମହାପାତ୍ର, ବିରଞ୍ଚି ନାରାୟଣ ପତି, ହେମାଦ୍ରୀ ମହାପାତ୍ର, କୃଷ୍ଣଚନ୍ଦ୍ର ବଡ଼ୁ, ସୁବାସିନୀ ପୃଷ୍ଟି, ସରୋଜ ମିଶ୍ର, ତୃପ୍ତିମୟୀ ମକଦ୍ଦମ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଡ. ପ୍ରଭାତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।