ପଞ୍ଚାୟତିରାଜ ବ୍ୟବସ୍ଥାକୁ ପଙ୍ଗୁ କରିଛନ୍ତି ରାଜ୍ୟ ସରକାର: କଂଗ୍ରେସ

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରୁଗ୍‌ଣ ଓ ପଙ୍ଗୁ କରିଛନ୍ତି ବିଜେଡି ସରକାର। ରାଜ୍ୟରେ ପଞ୍ଚାୟତ ଅଛି ସତ, କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥା ନାହିଁ। ୧୯୯୨ ମସିହାରେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଯେଉଁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ସାମ୍ବିଧାନିକ ସ୍ବୀକୃତି ଦିଆଯାଇଥିଲା ତାହା ବିଜେଡି ଶାସନ ସମୟରେ ନିମ୍ନମାଗୀ ହୋଇଥିବା ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୁଦର୍ଶନ ଦାସ କହିଲେ, ନିର୍ବାଚିତ ପ୍ରତିନିଧିମାନେ ସରକାରୀ ଅଫିସର ଓ ବାବୁମାନଙ୍କ ନିୟନ୍ତ୍ରଣରେ ରହିଛନ୍ତି। ମୁଖ୍ୟମନ୍ତ୍ରୀ କୋଭିଡ କାଳରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ଏକ ପ୍ରହସନ ଛଡ଼ା ଆଉ କିଛି ନୁହେଁ। ବିଜେଡି ସରକାର ଗ୍ରାମସଭାକୁ ଗୁରୁତ୍ବହୀନ କରିଦେବା ସହିତ ପଞ୍ଚାୟତିରାଜ ବ୍ୟବସ୍ଥାର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଅବମାନନା କରି ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ରାଜଧାନୀରେ ବସି ପଞ୍ଚାୟତ ଗୁଡ଼ିକରେ ପ୍ରକଳ୍ପ ସଂପର୍କରେ ଘୋଷଣା କରିବା ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ଚରମ ଉପହାସ। ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥା ଦୁର୍ନୀତିର ଏକ ଗନ୍ତାଘର ପାଲଟିଛି। ନିମ୍ନମାନର କାମ ଓ ମିଛ ବିଲ୍‌ କରି ଲକ୍ଷାଧିକ ଟଙ୍କା ସରକାରୀ ଦଳର ନେତାମାନେ ଆତ୍ମସାତ କରୁଛନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ପ୍ରରୋଚନା ଓ ସରକାରୀ ବାବୁଙ୍କ ସହଯୋଗରେ ସଂରକ୍ଷଣ ବ୍ୟବସ୍ଥାକୁ ସରକାରୀ ଦଳ ଏକ ପ୍ରହସନରେ ପରିଣତ କରିଛନ୍ତି। ଶାସକ ଦଳକୁ ସୁହାଇବା ଭଳି ଅନେକ ସ୍ଥାନରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କଂଗ୍ରେସ ଏହାର ଜବାବ ରଖିବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର