ବନ୍ୟାଞ୍ଚଳ ପରିଦର୍ଶନ ପରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ ଓ ୫୦୦ ଟଙ୍କା

ଭୁବନେଶ୍ବର: ବନ୍ୟା କ୍ଷତିଗ୍ରସ୍ତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସହାୟତା । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟେକ ପରିବାରକୁ ୫୦ କେଜି ଚାଉଳ ସହ ମିଳିବ ୫୦୦ ଟଙ୍କା। ।ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ନବୀନ । ଏହାସହ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଂପ୍ରତିକ ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶି ଥିବା ବେଳେ ଅନେକ ଚାଷଜମି ଜଗମଗ୍ନ ଅବସ୍ଥାରେ ଅଛି । ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଛୋଟ ବନ୍ଧ ଭାଙ୍ଗିଛି । ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଏହାସହ ନବୀନ କହିଛନ୍ତି, ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତିରେ ଗତି କରୁଛୁ । ବନ୍ୟା ଓ କରୋନା ଦୁଇଟି ବିପଦକୁ ଆମେ ମୁକାବିଲା କରୁଛୁ । ଏହି ପରିପ୍ରେକ୍ଷୀରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରି କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ବନ୍ୟାଦୁର୍ଗତମାନଙ୍କୁ ନିବେଦନ କରିଛନ୍ତି ।

ଏହାଛଡା ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ବାବଦରେ ନିମ୍ନୋକ୍ତ ଘୋଷଣା କରିଛନ୍ତି-

୧ . ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସବୁ ଲୋକଙ୍କୁ ଆଶ୍ରୟସ୍ଥଳରେ ସେମାନେ ଥିବା ପର୍ଯ୍ୟନ୍ତ ସମସ୍ତଙ୍କୁ ରନ୍ଧା ଖାଦ୍ୟ/ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ।
୨. ଗୁରୁତର ଭାବରେ କ୍ଷତିଗ୍ରସ୍ତ ପରିବାରବର୍ଗରୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆଯିବ ।
୩. ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଯୋଗାଇ ଦିଆଯିବ ।
୪. ଏସଡିଆରଏଫ୍ ନିୟମ ଅନୁଯାୟୀ ଘରଭଙ୍ଗା ସହାୟତା ଦିଆଯିବ । ୧୫ ଦିନ ଭିତରେ ଜିଲ୍ଲାପାଳ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଏବଂ ପରବର୍ତ୍ତୀ ଏକ ସପ୍ତାହରେ ସହାୟତା ପ୍ରଦାନ କରାଯିବ ।
୫. ଏସଡିଆରଏଫ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତକୁ ଲୁଗାପଟା ଓ ବାସନକୁସନ ଦିଆଯିବ।
୬. ଏସଡିଆରଏଫ ନିୟମ ଅନୁଯାୟୀ ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ଦିଆଯିବ।
୭. କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳବ ।
୮. କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ ।
ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୦ ବ୍ଲକ୍‌, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ୩୬ଟି ଛୋଟ ଓ ଗୋଟିଏ ବଡ ଘାଇ ହୋଇଛି । ଏହା ଭିତରେ ହୀରାକୁଦରେ ଜଳପ୍ରବାହ କମିଥିବାରୁ ପରିସ୍ଥିତିରେ ଖୁବଶୀଘ୍ର ଉନ୍ନତି ଆସିବ ।

ସମ୍ବନ୍ଧିତ ଖବର