କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର, ଦେଶରେ ଦ୍ବିତୀୟ ଘଟଣା

ବେଙ୍ଗାଲୁରୁ ପରେ ଓଡ଼ିଶାରେ ପ୍ରଥମ ଘଟଣା: କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ

କଟକ: ସ୍ଥାନୀୟ ଜଗତପୁରସ୍ଥିତ ସଦଗୁରୁ କୋଭିଡ-୧୯ ହସ୍ପିଟାଲରେ ଆଜି ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର (ଆରଡିସି) ଅନିଲ କୁମାର ସାମଲ ନିଆଁ ଲାଗିବାର କାରଣ ସଂପର୍କରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ କେଉଁ ଭଳି ପରିସ୍ଥିତିରେ ନିଆଁ ଲାଗିଲା, ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ପ୍ରାଥମିକତା ଭିତ୍ତିରେ ଗୁରୁତର ରୋଗୀଙ୍କୁ ଅଶ୍ୱିନୀ, ସମ ହସ୍ପିଟାଲ, ଏସସିବି ଓ ଭେଣ୍ଟିଲେଟର ବ୍ୟବସ୍ଥା ଥିବା ବିଭିନ୍ନ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ହସ୍ପିଟାଲର ଆଇସିୟୁରୁ ପ୍ରଥମେ ନିଆଁ ଲାଗିଥିଲା ବୋଲି ପ୍ରାଥମିକ ତଦନ୍ତରୁ ପ୍ରକାଶ। ଡାକ୍ତରଖାନାର ଆଇସିୟୁରେ ଥିବା ଏକ ଏସିରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ରୋଗୀମାନଙ୍କୁ ଆଇସିୟୁରୁ ସ୍ଥାନାନ୍ତରଣ ଆରମ୍ଭ ହୋଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଘଟଣାସ୍ଥଳରେ କଟକ ଜିଲ୍ଲାପାଳ, ପୁଲିସ କମିସନର, ଡିସିପି ଏବଂ ସିଏମସି କମିସନର ପ୍ରମୁଖ ଉପସ୍ଥିତ ଅଛନ୍ତି।

ଅପରପକ୍ଷେ ଯେଉଁ ଆକ୍ରାନ୍ତମାନଙ୍କ ଅବସ୍ଥା ସ୍ଥିର ଅଛି ସେମାନଙ୍କୁ ଟାଙ୍ଗୀସ୍ଥିତ ଡ୍ରିମ୍ସ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିବା କଟକ ଜିଲ୍ଲାପାଳ ଭବନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କୋଭିଡ ହସ୍ପିଟାଲରୁ ଉଦ୍ଧାର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅତିରିକ୍ତ ଡିଜିପି ସତ୍ୟଜିତ ମହାନ୍ତି କହିଛନ୍ତି, ସମସ୍ତ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କୌଣସି ଅଭାବନୀୟ ଘଟଣା ଘଟିନାହିଁ।

ଦେଶରେ ପ୍ରଥମ ଥର ପାଇଁ ବେଙ୍ଗାଲୁରୁସ୍ଥିତ ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗିଥିଲା । ସଦଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିବା ଦେଶର ଦ୍ୱିତୀୟ ଘଟଣା ହୋଇଥିବା ବେଳେ ରାଜ୍ୟରେ ଏହା ହେଉଛି ପ୍ରଥମ । ୩୦ରୁ ୪୦ ଜଣ କିଡନି ଆକ୍ରାନ୍ତ , ପ୍ରାୟ ୭ ଜଣ ପ୍ରସୂତୀଙ୍କ ସମେତ ୧୩୦ ଜଣ କରୋନା ସଂକ୍ରମିତଙ୍କୁ ସଦଗୁରୁ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

 

ସଦଗୁରୁ କୋଭିଡ ହସ୍ପିଟାଲରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସିଛି । ଦମକଳ ବାହିନୀର ମୁଖ୍ୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମସ୍ତ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏଠାରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତରିତ କରାଯାଇଛି । ନିଆଁ କେମିତି ଲାଗିଲା ତା’ର ତଦନ୍ତ ହେବ । ଯଦି ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି, ତାହା କେମିତି ହେଲା ଯାଞ୍ଚ ହେବ ବୋଲି ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କୌଣସି କାରଣରୁ ଆଜି ଅଚାନକ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ମିଳିବା ପରେ ୨ଟି ଦମକଳଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ । ଆଇସିୟୁରେ ନିଆଁ ଲାଗିଥିବାରୁ ହେତୁ ପରିସ୍ଥିତି ସଙ୍ଗୀନ ଥିଲା । ପ୍ରାୟ ୧୨ଟି ଆମ୍ବୁଲାନ୍ସରେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଜିଲ୍ଲାପାଳ, ଡିସିପି, ସିଏମସି କମିସନର ଅନନ୍ୟା ଦାସ ଘଟଣାସ୍ଥଳକୁ ପହଂଚିଥିଲେ ।

ସମ୍ବନ୍ଧିତ ଖବର