୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲା ବିଏମସି, ସିଲ୍ ହେଲା ରାଜଧାନୀର ସୂର୍ଯ୍ୟନଗର ଅଞ୍ଚଳ

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ୫ମ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣାକୁ ସାର୍ବଜନୀନ କରିବା ସହିି ସେ ରହୁଥିବା ଅଞ୍ଚଳକୁ ସିଲ୍ କରିଛି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପଞ୍ଚମ କରୋନା ଆକ୍ରାନ୍ତଙ୍କ ନାମ  ପ୍ରଦୀପ୍ତ ଦଳବେହେରା । ସେ ରାଜଧାନୀର  ୪୬ ନମ୍ବର ୱାର୍ଡ ଅନ୍ତର୍ଗତ ସୂର୍ଯ୍ୟନଗରସ୍ଥିତ (ୟୁନିଟ-୭) ୩୭ ନମ୍ବର ପ୍ଲଟରେ ନିଜ ପରିବାର ସହ ରହନ୍ତି । ସେ ବିଦେଶ ଯାଇ ନାହାନ୍ତି କିମ୍ବା ରାଜ୍ୟ ବାହାରକୁ ଯାଇ ନାହାନ୍ତି ବୋଲି ଜଣାପଡ଼ିଛି । ତେଣୁ ସେ ନିକଟସ୍ଥ ବଜାରକୁ ଯାଇ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ତେଣୁ ମାର୍ଚ୍ଚ ପରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନଙ୍କୁ ସଙ୍ଗରୋଧରେ ରହନ୍ତୁ ।

ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ଯେ, ୫ମ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହି ୧୦୪ ହେଲ୍ପଲାଇନକୁ ଯୋଗାଯୋଗ କରନ୍ତୁ । ଡାକ୍ତରୀ ଟିମ ସଂପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପହଞ୍ଚି ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବେ ।

ବର୍ତ୍ତମାନ ୫ମ କରୋନା ଆକ୍ରାନ୍ତ ବ୍ୟକ୍ତି ରହୁଥିବା ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରି ଦିଆଯାଇଛି । ଗଙ୍ଗନଗର ଠାରୁ ଶିରିପୁର ପର୍ଯ୍ୟନ୍ତ  ରାସ୍ତାକୁ ସିଲ କରି ଦିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ଅଞ୍ଚଳରେ ବ୍ୟାରିକେଡ ଲଗାଇ ଦିଆଯାଇଛି । ଡାକ୍ତରୀ ଟିମ ଲୋକଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟ ଯାଞ୍ଚ କରିବେ ।

ସମ୍ବନ୍ଧିତ ଖବର