ଟିକସଦାତାଙ୍କ ଅର୍ଥକୁ ଆତ୍ମସାତ୍ କରିଛନ୍ତି ରାଜ୍ୟ ସରକାର: ବିଜେପି

ସିଏଜି ରିପୋର୍ଟ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆର୍ଥିକ ଅନିୟମିତତା ନେଇ ସିଏଜି ରିପୋର୍ଟ ଆସିଲା ପରେ ତାହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଛି ବିଜେପି। ଦଳ ଅଭିଯୋଗ କରିଛି, ରାଜ୍ୟର ଟିକସଦାତାଙ୍କ ଅର୍ଥକୁ ସରକାର ଆତ୍ମସାତ୍ କରି ଚାଲିଛନ୍ତି। ସିଏଜି ରିପୋର୍ଟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଡିଟ ବେଳେ ସିଏଜି ୯୬୪ କୋଟି ୩୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଚୋରି, ତୋଷାରପାତ, ଅପବ୍ୟବହାର ଭଳି ଗୁରୁତର ଅନିୟମିତତା ହୋଇଛି ବୋଲି ଦର୍ଶାଇଛନ୍ତି। ବିଭିନ୍ନ ଅନିୟମିତତା ସମ୍ପର୍କରେ ସିଏଜି ସରକାରଙ୍କୁ ଜବାବ ମାଗିଥିଲେ ମଧ୍ୟ ସରକାର କୌଣସି ଉତ୍ତର ରଖି ନ ଥିଲେ । ଏପରିକି ରେଗୁଲେସନ୍ ଅନ୍‌ ଅଡିଟ୍ ଆଣ୍ଡ ଆକାଉଣ୍ଟ୍‌ସ୍‌-୨୦୦୭କୁ ମଧ୍ୟ ସରକାର ଗୁରୁତ୍ୱ ଦେଇ ନ ଥିଲେ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସର୍ବାଧିକ ୨୪୪.୮୩ କୋଟି, ଗ୍ରାମ୍ୟ ଉନ୍ନୟନରେ ୧୧୫.୮୬ କୋଟି, ପଞ୍ଚାୟତିରାଜରେ ୧୬୦.୯୫ କୋଟି, ନଗର ଉନ୍ନୟନ ବିଭାଗର ୭୯.୮୬ କୋଟି, ଗୃହ ବିଭାଗର ୮୬.୦୭ କୋଟି ଟଙ୍କାର ହିସାବ ସରକାର ଦେଇ ନାହାନ୍ତି। ୨୦୧୭ ଫେବ୍ରୁଆରିରୁ ୨୦୧୮ ଜୁଲାଇ ମଧ୍ୟରେ ହୋଇଥିବା ଅଡିଟ୍ ବେଳେ ୭ଟି ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ ଦ୍ୱାରା ଖର୍ଚ୍ଚ ହୋଇଥିବା ୧୭.୦୩ କୋଟି ଟଙ୍କାର ଭାଉଚର୍‌ ଉପଲବ୍ଧ କରାଯାଇ ପାରି ନ ଥିଲା। କେବଳ ସେତିକି ନୁହେଁ, ଗରିବ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ଆଳରେ ଅନେକ ଅର୍ଥ ଆତ୍ମସାତ କରାଯାଇଛି। ପରୀକ୍ଷାମୂଳକ ଭାବେ ୯ଟି ପଞ୍ଚାୟତ ସମିତିରେ ମଧୁବାବୁ ପେନ୍‌ସନ ଯୋଜନାରେ ୭୨ଟି ଗାଁର ୧୫୦ ଜଣ ମୃତ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତାକୁ ଆତ୍ମସାତ୍ କରାଯାଇଛି। ଏ ନେଇ ୨୦୧୮ ଜୁନ୍ ଓ ସେପ୍ଟେମ୍ବର ମାସରେ ପଞ୍ଚାୟତିରାଜ ସଚିବଙ୍କୁ ଜବାବ ମଗାଯାଇଥିଲେ ମଧ୍ୟ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳି ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଅନେକ ସ୍ଥାନରେ ହିତାଧିକାରୀଙ୍କ ମୃତ୍ୟୁ ପରେ ବିତରଣ ଅଧିକାରୀମାନେ ବିତରଣ ପୁସ୍ତିକାରେ ଅନ୍ୟ ଲୋକଙ୍କ ଆଙ୍ଗୁଠି ଛାପ ନେଇ ଭତା ବଣ୍ଟନ କରୁଛନ୍ତି। ଏଥିରୁ ରାଜ୍ୟ ସରକାର ଏବଂ ତାଙ୍କ ଅଧିକାରୀମାନଙ୍କର ଦୁର୍ନୀତି ଲୋକଲୋଚନକୁ ଆସିଛି।

ସେହିପରି ମଦ ଲାଇସେନ୍ସ ବାବଦରେ ଲାଇସେନ୍ସଧାରୀଙ୍କଠାରୁ ୧୦.୨୩ କୋଟିର ଅବକାରୀ ଶୁକ୍ଳ ଆଦାୟ କରାଯାଇ ନାହିଁ। ଜଳସମ୍ପଦ ବିଭାଗରେ ଜଳର ଉପଲବ୍ଧତା ସୁନିଶ୍ଚିତ ନ କରି ପ୍ରକଳ୍ପ କାର୍ଯ୍ୟ ସଂପାଦନ କରାଯିବା ଫଳରେ ୩୩.୨୨ କୋଟିର ବ୍ୟୟ ନିଷ୍ଫଳ ହୋଇଛି । ଏହା ସହ ଅତିରିକ୍ତ ସିମେଣ୍ଟ କଂକ୍ରିଟର ବ୍ୟବସ୍ଥା ଯୋଗୁଁ ପରିହାର୍ଯ୍ୟ ବ୍ୟୟ ୧୫.୫୨ କୋଟି ହୋଇଛି । ଯେଉଁ ସିମେଣ୍ଟ ବ୍ୟବହାର ହେବା କଥା ତାହା ନ ହୋଇ ନିମ୍ନମାନର ସିମେଂଟ ବ୍ୟବହାର ହେବା ଫଳରେ ସାଢ଼େ ୧୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି । ମୂଲ୍ୟାଙ୍କନ ଓ ସ୍ୱଳ୍ପ ଶୁକ୍ଳ ହେତୁ ରାଜ୍ୟ ସରକାରଙ୍କ ୭୯୫ କୋଟି ଟଙ୍କାର ରାଜସ୍ୱ ହାନୀ କରିଛନ୍ତି ା ୨୭୫.୨୭ କୋଟି ଟଙ୍କା ବ୍ୟୟ ନ କରି ମଧ୍ୟ ରାଜ୍ୟ ସରକାର ବିନିଯୋଗ ପ୍ରମାଣପତ୍ର କେନ୍ଦ୍ର ସରକାରଙ୍କୁ ଦେଇ ବେଆଇନ କାର୍ଯ୍ୟପନ୍ଥାକୁ ଆପଣାଇଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର