ବ୍ୟାଙ୍କରେ ଟଙ୍କାର ନିରାପତ୍ତା ନେଇ ସନ୍ଦେହ ପ୍ରକାଶ କଲେ ସରକାର : ସରକାରୀ ଟଙ୍କା ଜମା ରଖିବା ପୂର୍ବରୁ ସ୍ଥିତି ପରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ବ୍ୟାଙ୍କରେ ଜମା ଟଙ୍କାର ନିରାପତ୍ତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସରକାର । ଏ ନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି ସରକାରଙ୍କ ପ୍ରମୁଖ ସଚିବ । ଗତ ୨୧ ତାରିଖରେ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି, ବ୍ୟାଙ୍କଗୁଡିକର ଅବସ୍ଥା ଭଲ ନାହିଁ ବୋଲି ଖବରକାଗଜ ଓ ବିଭିନ୍ନ ମହଲରେ ରିପୋର୍ଟ ପ୍ରକାଶ ପାଉଛି । ଯେକୌଣସି ମୂହୂର୍ତ୍ତରେ ଦେବାଳିଆ ଘୋଷଣାର ମଧ୍ୟ ଆଶଙ୍କା ରହିଛି । ଏଭଳି ପରିସ୍ଥିତିରେ ସରକାରୀ ଟଙ୍କା ବ୍ୟାଙ୍କରେ ଜମା ନ ରଖିବା ପାଇଁ ପ୍ରମୁଖ ସଚିବ ସବୁ ବିଭାଗର ସଚିବ ଓ ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖି ସତର୍କ କରାଇଦେଇଛନ୍ତି । ବ୍ୟାଙ୍କ ଦେବାଳିଆ ଘୋଷଣା ହେଲେ ମାତ୍ର ୧ ଲକ୍ଷ ଟଙ୍କା ବୀମା ବିବାଦରେ ମିଳିବାର ବ୍ୟବସ୍ଥା ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ତେଣୁ ଜମା ପୂର୍ବରୁ ଭଲ ଭାବରେ ବ୍ୟାଙ୍କର ରାଜକୋଷୀୟ ସ୍ଥିତି ବିଷୟରେ ଅନୁଧ୍ୟାନ କରିବାକୁ ଏହି ଚିଠିରେ ପରାମର୍ଶ ଦିଆଯାଇଛି । ଏପରିକି ସରକାରୀ ଟଙ୍କା ବ୍ୟାଙ୍କରେ ଜମା ରଖିଲେ ଏବଂ ପରବର୍ତୀ ଅବସ୍ଥାରେ କୌଣସି ଅଘଟଣ ଘଟିଲେ, ଟଙ୍କା ଜମା ରଖିଥିବା ଅଧିକାରୀ ଦାୟୀ ରହିବେ ବୋଲି କୁହାଯାଇଛି । ତେଣୁ ସରକାରୀ ରାଜକୋଷରୁ ଟଙ୍କା ଉଠାଇ ସିଧାସଳଖ ଖର୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଆଇଏଫଏମଏସ ଅର୍ଥାତ ଇଂଟିଗ୍ରେଟେଡ ଫାଇନାନସିଆଲ ମ୍ୟାନେଜମେଂଟ ସିଷ୍ଟମ ମାଧ୍ୟମରେ ଟଙ୍କା ଖର୍ଚ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

ଏପରିକି ବ୍ୟାଙ୍କରେ ଟଙ୍କା ଜମା କରିବାରୁ ଅଧିକାରୀଙ୍କୁ ବିରତ ରଖିବା ପାଇଁ ସରକାରୀ ରାଜକୋଷରୁ ଟଙ୍କା ଉଠାଇବା ଉପରେ କଟକଣା ଜାରି କରାଯାଇଛି । ଯଥେଷ୍ଟ କାରଣ ନଥାଇ ରାଜକୋଷରୁ ଟଙ୍କା ଉଠାଇପାରିବେ ନାହିଁ ବୋଲି ଚିଠିରେ ସତର୍କ କରିଦିଆଯାଇଛି । ଆର୍ଥିକ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୭ଟି ପିଏସ୍ୟୁ ବ୍ୟାଙ୍କ, ୮ଟି ପ୍ରାଇଭେଟ୍ ସେକ୍ଟର୍ ବ୍ୟାଙ୍କ ଗୋଟିଏ କ୍ଷୁଦ୍ର ବ୍ୟାଙ୍କ ଓ ୨ଟି ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ଓ ଗୋଟିଏ କୋପରେଟିଭ୍ ବ୍ୟାଙ୍କକୁ ସରକାର ଆର୍ଥକି କାରବାର ପାଇଁ ତାଲିକା ଭୁକ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର