ଭୁବନେଶ୍ବର : ବନ୍ୟା ପରିଚାଳନା, ବନ୍ୟା ନିୟନ୍ତ୍ରଣ, ବନ୍ୟା ପ୍ରଭାବିତଙ୍କ ସାହାଯ୍ୟ କରିବାରେ ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି। ଜଳବନ୍ଦି ହୋଇ ରହିଥିବା ଅଧିକାଂଶ ଜାଗାରେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ପହଞ୍ଚିପାରୁନି। ବନ୍ୟାଞ୍ଚଳବାସୀଙ୍କୁ ରାଜ୍ୟ ସରକାର ପଲିଥିନ କି ମହମବତୀ ପହଞ୍ଚାଇନଥିବା ବେଳେ ଲୋକ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି। ୨୨ବର୍ଷ ଶାସନରେ ଥାଇ ମଧ୍ୟ ରାଜ୍ୟ ସରକାର ବନ୍ୟା ଏବଂ ବନ୍ୟା ପରବର୍ତୀ ପରିସ୍ଥିତି ପରିଚାଳନାରେ ଅପାରଗ ସାବ୍ୟସ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା କାରଣରୁ ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ଦାୟୀତ୍ୱହୀନତା କାରଣରୁ ଲକ୍ଷ ଲକ୍ଷ ଲୋକ ଆଜି ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ବନ୍ୟା ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।

Advertisment

ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ସରକାର ଅନେଇ ବସିଛନ୍ତି। ଏହି ଆଳରେ ସୁବିଧାରେ ଅର୍ଥ ହଡପ୍ କରିବାର ସୁଯୋଗ ପାଇଯାଉଛନ୍ତି। ରାଜ୍ୟର ନଦୀବନ୍ଧ, ବାଡ଼ ମରାମତି ପାଇଁ କେନ୍ଦ୍ର ସରକାର ପଠାଉଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ଚଳୁ କରିଦେଉଛନ୍ତି। ଦଳୀୟ ଠିକାଦାରଙ୍କ ସହାୟତାରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ବ୍ୟାପକ ହରି ଲୁଟ୍ କରୁଛନ୍ତି। ସେହିପରି ଅସମ୍ବେଦନଶୀଳ ରାଜ୍ୟ ସରକାରଙ୍କ ପାଖରେ ‘ଜିରୋ କାଜୁଆଲିଟି’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ର କୈାଣସି ମୂଲ୍ୟ ନାହିଁ। ଜଳ ସଂରକ୍ଷଣ ଏବଂ ବନ୍ୟା ଜଳ ପରିଚାଳନାରେ ଫେଲ୍‌ ହେଉଥିବା ରାଜ୍ୟ ସରକାର ସବୁବେଳେ ନିଜ ଦୋଷ ଅନ୍ୟ ଉପରେ ଲଦି ଦେବାର ଅପପ୍ରୟାସ କରିଥାନ୍ତି। ୨୨ ବର୍ଷ ଶାସନରେ ଗୋଟିଏ ବି ବ୍ୟାରେଜ କିମ୍ବା ଡ୍ୟାମ ନିର୍ମାଣ କରିନଥିବା ରାଜ୍ୟ ସରକାର ସବୁବେଳେ ପଡ଼ୋଶୀ ଛତିଶଗଡ଼, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶକୁ ଦୋଷ ଦେଇ ନିଜ ଦାୟିତ୍ୱରୁ ଓହରି ଯିବା ସହିତ ରାଜ୍ୟବାସୀଙ୍କୁ ପ୍ରତାରଣା କରିଆସୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ।