ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀକୁ ଧରିବାରେ ରାଜ୍ୟ ସରକାର ବିଫଳ: ବିଜେପି

ଫୁଲବାଣୀ/ତୁମୁଡ଼ିବନ୍ଧ : ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ଧରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଆଜି ବିଜେପି ଅଭିଯୋଗ ଆଣିଛି। ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମ ପରିଚାଳକ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ଟେଲିଫୋନ୍‌ରେ ହତ୍ୟା ଧମକ ଘଟଣା ପରେ ରବିବାର ଦିନ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଜଲେଶପଟ୍ଟା ଆଶ୍ରମରେ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ ହେବା ସହ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଉପରେ ବର୍ଷିଛି। ରାଜ୍ୟ ସରକାର କାହିଁକି ଆଜି ଯାଏ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଓ ଷଡ଼ଯନ୍ତ୍ରକାରୀଙ୍କୁ ଧରୁନାହିଁ ବୋଲି ବିଜେପି ପ୍ରଶ୍ନ କରିଛି। ସ୍ବାମୀଜୀଙ୍କ ହତ୍ୟା ପରେ ଗଠନ କରାଯାଇଥିବା ନାଇଡୁ କମିସନ ଏବଂ ପାଣିଗ୍ରାହୀ କମିସନ ରିପୋର୍ଟକୁ ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରୁନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଜଲେଶପଟ୍ଟାକୁ ଅଶାନ୍ତ କରିବାକୁ ଏକ ବିରାଟ ଷଡ଼ଯନ୍ତ୍ର ହେଉଛି ବୋଲି ବିଜେପି ଅଭିଯୋଗ କରିଛି।

ରବିବାର ଦିନ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଜଲେଶପଟ୍ଟା କନ୍ୟା ଆଶ୍ରମ ପରିଦର୍ଶନରେ ଆସି ହତ୍ୟା ଧମକ ପାଇଥିବା ସ୍ବାମୀ ଜୀବନମୁକ୍ତାନନ୍ଦଙ୍କ ସହ ଏକ ରୁଦ୍ଧଦ୍ବାର ବୈଠକ କରିଥିଲେ। ବିଜେପିର ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଲୁଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ଶିଶିର ମିଶ୍ର, କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ନେତ୍ର ମାନସେଠ୍‌, ପୂର୍ବତନ ବାଲିଗୁଡ଼ା ବିଧାୟକ କରେନ୍ଦ୍ର ମାଝୀ, ପଦ୍ମଚରଣ ଦାସ ପ୍ରମୁଖ ସାମିଲ ଥିଲେ। ଗତ ୨୦୦୭ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା ଧମକ ଆସିବାର ଗୋଟିଏ ବର୍ଷ ପରେ ଅର୍ଥାତ୍ ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ ସ୍ବାମୀଜୀଙ୍କ ସମେତ ତାଙ୍କ ୪ ଜଣ ଅନୁଗାମୀଙ୍କୁ ଆତତାୟୀମାନେ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ଘଟଣାକୁ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ହତ୍ୟାକାରୀଙ୍କୁ ଧରିପାରି ନାହାନ୍ତି ବୋଲି ବିଜେପି ନେତ୍ରୀ ସୁରମା ପାଢୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର