ଘରୋଇ ହସ୍‌ପିଟାଲ ପାଇଁ ଫି’ ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଭାଇରସରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଘରୋଇ ହସ୍‌ପିଟାଲ ପାଇଁ ଫି’ ଧାର୍ଯ୍ୟ କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ସିଡିଏମ୍‌ଓଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ଚିଠି ଅନୁସାରେ ଘରୋଇ ହସ୍‌ପିଟାଲରେ ସାଧାରଣ ବେଡ଼ ପାଇଁ ଫି’ ଦିନକୁ ୧୭୫୦ ଟଙ୍କା ଧାର୍ଯ୍ୟ ରହିବ। ଘରୋଇ ଡାକ୍ତରଖାନାମାନେ କୋଭିଡ୍ ରୋଗୀଙ୍କ ଠାରୁ ଚିକିତ୍ସା ଲାଗି ବହୁ ଟଙ୍କା ଦାବି କରୁଥିବା ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି।

ସେହିପରି ଆଇସିୟୁ ଶଯ୍ୟା ପାଇଁ ଦିନକୁ ଫି’ ୧୨ ହଜାର ଟଙ୍କା, ଆଇସିୟୁ ଭେଣ୍ଟିଲେଟର ପାଇଁ ଦିନକୁ ଫି’ ୧୩ ହଜାର ଟଙ୍କା ଓ କୋଭିଡ କେୟାର ପାଇଁ ଦିନକୁ ଫି’ ୧୦୦୦ ଟଙ୍କା ରହିବ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଜଣେ କରୋନା ରୋଗୀଙ୍କ ପ୍ରତି କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେବାବଦରେ ବିବରଣୀ ପ୍ରଦାନ କରିଛନ୍ତି। ଚିକିତ୍ସା ପାଇଁ ଘରୋଇ ହସ୍‌ପିଟାଲକୁ କେତେ ଟଙ୍କା ଦିଆଯିବ ତାର ସୂଚନା ଦେଇଛନ୍ତି। ଡିସିଏଚ୍‌ସି ଓ ଡିସିଏଚରେ ଦିନକୁ ଅନ୍ୟୁନ ଖର୍ଚ୍ଚ କେତେ ହେବ ସେ ନେଇ ଜିଲ୍ଲାପାଳ ଓ ସିଡିଏମ୍‌ଓମାନଙ୍କୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଆଇସିୟୁରେ ଚିକିତ୍ସିତ ଥିବା ଜଣେ ରୋଗୀ ପ୍ରତି ଲଣ୍ଡ୍ରି ପାଇଁ ୨୦୦ ଟଙ୍କା, ସାନିଟାଇଜର ପାଇଁ ୬୦ ଟଙ୍କା, ମେଡିସିନ ପାଇଁ ୭୦୦୦ ଟଙ୍କା ଖର୍ଚ୍ଚ ଧାର୍ଯ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର