କଟକ: ଓଡ଼ିଶାରେ ଲକଡାଉନ ସମୟରେ ମଦର ହୋମ ଡେଲିଭରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ଆବଶ୍ୟକୀୟ ପରିବର୍ତ୍ତନ ଅଣାଯାଇଛି। ଏଣିକି ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନୀ ଗ୍ରାହକଙ୍କୁ ଚାହିଦା ଅନୁସାରେ ଘରେ ମଦ ଯୋଗାଇ ଦେଇପାରିବେ। ଭାରତ ତିଆରି ବିଦେଶୀ ମଦ ଓ ବିୟର ଏହି ଦୋକାନ ଜରିଆରେ ଗ୍ରାହକଙ୍କ ଘରେ ପହଞ୍ଚାଯିବ। ମାତ୍ର କଣ୍ଟେନମେଣ୍ଟ୍ ଜୋନ୍ ଓ ସପିଂ ମଲରେ ମଦ ଯୋଗାଣ ଉପରେ କଟକଣା ଲାଗିଛି। କେବଳ ସେତିକି ନୁହେଁ, ଲାଇସେନ୍ସପ୍ରାପ୍ତ ଦୋକାନୀ ସେମାନଙ୍କ କାଉଣ୍ଟର କିମ୍ବା ଦୋକାନ ପରିସରରେ କୌଣସି ପ୍ରକାରର ମଦ ବିକ୍ରି କରିପାରିବେ ନାହିଁ ବୋଲି କୁହାଯାଇଛି। ତେବେ ଏଥିଲାଗି ଗ୍ରାହକଙ୍କୁ ଅନଲାଇନରେ ଅର୍ଡର କରିବାକୁ ପଡ଼ିବ ଏବଂ ଏଥିଲାଗି ଡିଜିଟାଲ୍ ପେମେଣ୍ଟ କରିବାକୁ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିସହ ରାଜ୍ୟ ସରକାର ମଦ ଉପରେ ୫୦% କୋଭିଡ୍ ଫି ଲଗାଇଛନ୍ତି। ମଦ ଓ ବିୟରର ଏମଆରପି ଉପରେ ଏହି ଫି ଲାଗି ବିକ୍ରି ହେବ। ଏଥିରୁ ମିଳିବାକୁ ଥିବା ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଖର୍ଚ୍ଚ ହେବ।
ମଦ ହୋମ ଡେଲିଭରି ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିବାବେଳେ ଏବେ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଭଳି ନିଷ୍ପତ୍ତି ଫଳରେ ରାଜ୍ୟରେ ଥିବା ମୋଟ ୨ ହଜାର ୮୨ଟି ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନରେ କାରବାର ଆରମ୍ଭ ହେବ।