ଓଡ଼ିଶା ସୀମାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି: ବିଜେପି

ଭୁବନେଶ୍ବର : ଓଡ଼ିଶାର ସୀମା ଅସୁରକ୍ଷିତ ହୋଇ ପଡ଼ିଛି। ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ ଏବଂ ଉତ୍ତରପୂର୍ବାଞ୍ଚଳ ସୀମାରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ବିଭିନ୍ନ ସମୟରେ ରାଜ୍ୟ ଭିତରେ ପଶି ଓଡିଶାର ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଅପଚେଷ୍ଟା କରୁଛନ୍ତି। ବିଡମ୍ବନାର କଥା ହେଉଛି ଯେ, ରାଜ୍ୟ ସରକାର ଓଡ଼ିଶାର ସୀମାକୁ ସୁରକ୍ଷା ଦେବାରେ ବର୍ତ୍ତମାନ ସୁଦ୍ଧା ଫେଲ୍‌ ମାରିଛନ୍ତି। ୨୧ ବର୍ଷର ଲମ୍ବା ଶାସନ ପରେ ବି ନିଜର ସୀମାକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ସୀମା ବିବାଦ ନେଇ କୋର୍ଟରେ ଆବଶ୍ୟକୀୟ ତଥ୍ୟ ଦେଇପାରୁନାହାନ୍ତି। ଯେଉଁଥିପାଇଁ ପଡୋଶୀ ରାଜ୍ୟଗୁଡ଼ିକର ଅନୁପ୍ରବେଶ ଅଧିକ ମାତ୍ରାରେ ବଢିଚାଲିଛିି ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

ଶନିବାର ରାଜ୍ୟ କାର୍ଯ୍ୟାଳୟନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ଗତ ଦୁଇ ବର୍ଷ ଧରି ପଡୋଶୀ ରାଜ୍ୟମାନେ ଓଡିଶାର କୋଟିଆ, ଗଜପତି ଜିଲ୍ଲାର ମାଣିକପାଟଣା ଏବଂ ବାଲେଶ୍ୱରର ଉଦୟପୁର ଅଞ୍ଚଳରେ ଅନାଧିକାର ପ୍ରବେଶ କରିଛନ୍ତି। ଗତ ୭ ଦିନ ତଳେ ଗଜପତି ଜିଲ୍ଲାର ରାଇଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଆନ୍ଧ୍ର ସରକାର ଅଙ୍ଗନବାଡି କେନ୍ଦ୍ର ଖୋଲିଥିଲେ। ଜିଲ୍ଲା ପ୍ରଶାସନ ୭ ତାରିଖ ଦିନ ଅଙ୍ଗନବାଡି କେନ୍ଦ୍ରକୁ ସିଲ୍ କଲେ ଏବଂ ଆନ୍ଧ୍ର ସରକାରଙ୍କୁ ସହଯୋଗ କରୁଥିବା ସେହି ଗ୍ରାମର ବ୍ୟକ୍ତି ଗୁରୁନାଥ ଶବରଙ୍କୁ ଗିରଫ କଲେ। ଏହାର ପ୍ରତିବାଦରେ ସେପ୍ଟେମ୍ବର ୯ରେ ମାଣିକପାଟଣାରେ ଆନ୍ଧ୍ର ମନ୍ତ୍ରୀ ଏସ୍‌.ଅପଲା ରାଜୁ ତହସିଲଦାର, ସବ କଲେକ୍ଟର, ଡିଏସ୍‌ପି ଏବଂ ଚାରି ପ୍ଲାଟୁନ ପୁଲିସ ନେଇ ମାଣିକପାଟଣାରେ ପହଞ୍ଚି ଦାଦାଗିରି ଆରମ୍ଭ କରିଥିଲେ। ଆନ୍ଧ୍ର ମନ୍ତ୍ରୀ ଓଡିଶା ଅଫିସରଙ୍କୁ ନାଲି ଆଖି ଦେଖାଇବା ସହ ଗିରଫ କରିବାର ଭୟ ଦେଖାଇଥିଲେ। ଓଡିଶାରେ ଅନଧିକାର ପ୍ରବେଶ କରିବା ଏବଂ ଓଲଟା ଆମ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଏ ସମସ୍ତ ଘଟଣା ପରେ ବି ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ ଏତଲା ରୁଜୁ ନକରିବା ନିନ୍ଦନୀୟ ଘଟଣା। ଏଥିରୁ ପ୍ରମାଣିତ ହେଉଛି ଯେ, ରାଜ୍ୟ ସରକାର ନିଜ ରାଜ୍ୟରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରିଛନ୍ତି ।

ସୀମା ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଓଡିଶା ସୀମାର ସମ୍ପୂର୍ଣ୍ଣ ସର୍ଭେ କରନ୍ତୁ। ଓଡିଶାର ପ୍ରତ୍ୟେକ ସୀମାନ୍ତ ଗାଁକୁ ଅଫିସରମାନେ ପହଞ୍ଚି ସୀମାନ୍ତ ଲୋକଙ୍କ ତଥ୍ୟ ସଂଗ୍ରହ କରନ୍ତୁ। ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଶାର ମୁଖ୍ୟମନ୍ତ୍ରୀ ଆଲୋଚନା କରି ସୀମା ବିବାଦର ସମାଧାନ କରନ୍ତୁ। ଆଗାମୀ ଦିନରେ ବିଜେପିର ସୀମା ସୁରକ୍ଷା କମିଟି ସୀମା ବିବାଦ ନେଇ ବିଚାର ବିମର୍ଷ କରିବା ସହ ସଂସଦ ଓ ବିଧାନସଭାରେ ଏଭଳି ଏକ ସ୍ପର୍ଶକାତର ବିଷୟକୁ ଉଠାଇବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ସଭାପତି କେ.ନାରାୟଣ ରାଓ, ମୁଖପାତ୍ର ଠାକୁର ରଞ୍ଜିତ ଦାସ, ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲୀପ ମଲ୍ଲିକ, ଚିକିଟି ବିଜେପି ନେତା ମନୋରଂଜନ ଦ୍ୟାନସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର