ଖରିଫ ଫସଲ ପାଇଁ ବିହନ ବିକ୍ରି ଆରମ୍ଭ: ଧାନ ବିହନ ଦର ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର : ଖରିଫ ଫସଲ ପାଇଁ ରାଜ୍ୟ ସରକାର ଧାନ ବିହନ ଦର ଶହେ ଟଙ୍କା ବୃଦ୍ଧି କରିଛନ୍ତି। ଅର୍ଥାତ କ୍ବିଣ୍ଟାଲ ପିଛା ୩୫୦୭ ଟଙ୍କା ଘୋଷଣା କରାଯାଇଛି। ଧାନ ଏମଏସପି ବୃଦ୍ଧି ଏବଂ ପରିବହନ ଖର୍ଚ୍ଚକୁ ଆଧାର କରି ଦର ବୃଦ୍ଧି କରାଯାଇଥିବା କହିଛନ୍ତି ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର। ଏଥିସହିତ ଉଭୟ ଧାନ ଏବଂ ଅଣଧାନ ବିହନ ବିକ୍ରି ମଧ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୪ ହଜାର ସୋସାଇଟି ଏବଂ ୨ ହଜାର ଡିଲରଙ୍କୁ ଟ୍ୟାଗ୍‌ କରାଯାଇଛି। ନକଲି ବିହନ ବିକ୍ରି କଲେ ଆବଶ୍ୟକ ସ୍ଥଳେ ବ୍ୟବସାୟିକ ସଂସ୍ଥାର ଲାଇସେନ୍ସ ବାତିଲ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।

ବିହନ ନିଗମର ସୂଚନା ଅନୁଯାୟୀ, ଖରିଫରେ ଓଡ଼ିଶା ଚାଷୀଙ୍କୁ ୧୦ ଲକ୍ଷ କ୍ବିଣ୍ଟାଲ ବିହନର ଆବଶ୍ୟକତା ଥାଏ। ପୂର୍ବରୁ ହେକ୍ଟର ପିଛା ୪୦ରୁ ୫୦ କେଜି ବିହନ ବ୍ୟବହାର କରାଯାଉଥିଲା। ବର୍ତ୍ତମାନ କିନ୍ତୁ ୨୦ କେଜି ବିହନରେ ଆବଶ୍ୟକତା ପୂରଣ ହେଉଛି। ତେଣୁ ଚାହିଦା ୧୫ ଲକ୍ଷରୁ ୧୦ ଲକ୍ଷ କ୍ବିଣ୍ଟାଲକୁ ହ୍ରାସ ପାଇଛି। ଏଥିରୁ ୪ ଲକ୍ଷ କ୍ବିଣ୍ଟାଲ ବିହନ ନିଗମ ଦେଇଥାଏ। ଚଳିତ ବର୍ଷ ୧୦ରୁ ୧୫ ପ୍ରକାର ନୂଆ କିସମ ବିହନ ଚାଷୀ ପାଇବେ। ଏଥିମଧ୍ୟରେ ଏମକ୍ୟୁ୧୨୧୦, ଏମକ୍ୟୁ୧୨୨୬, ସ୍ବର୍ଣ୍ଣ, ଶକ୍ତି ଆଦି ରହିଛି। ଏହାର ଉତ୍ପାଦନ ହେକ୍ଟର ପିଛା ୪ରୁ ୫ଟନ୍‌। ବାକି ଆବଶ୍ୟକତା ଚାଷୀ ନିଜର ସଂରକ୍ଷିତ ବିହନରୁ ପୂରଣ କରିବେ। ଆଉ କିଛି ଚାଷୀ କମ୍ପାନିର ହାଇବ୍ରିଡ ବିହନ ଉପରେ ନିର୍ଭରଶୀଳ। ଗତବର୍ଷ କୃଷି ବିଭାଗ ପକ୍ଷରୁ ନକଲି ବିହନ ଉପରେ ଲଗାମ ଲଗାଇବା ପାଇଁ ୬୦ରୁ ୭୦ ଏଜେନ୍ସିରେ ଯାଞ୍ଚ କରାଯାଇଥିଲା। ହେଲେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।

୪ ହଜାର ସୋସାଇଟି, ୨ ହଜାର ଡିଲରଙ୍କୁ ଟ୍ୟାଗ୍‌
ନକଲି ବିହନ ବିକ୍ରି ସଂସ୍ଥାର ହେବ ଲାଇସେନ୍ସ ବାତିଲ

ରାଜ୍ୟରେ ଜଳସେଚନ ବୃଦ୍ଧି ସହିତ ହାଇବ୍ରିଡ ବିହନ ବ୍ୟବହାର ବୃଦ୍ଧି ପାଉଛି। ଯେଉଁ ବିହନ ସରକାରୀ ଭାବରେ ୧୯ରୁ ୨୦ ଟଙ୍କାରେ ବିକ୍ରି ହୁଏ, ତାକୁ ୧୫୦ ଟଙ୍କାରେ କମ୍ପାନି ବିକ୍ରି ଆରମ୍ଭ କରିଛନ୍ତି। କୋଲକାତା, କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟର କମ୍ପାନି ଏଜେଣ୍ଟମାନେ ପଞ୍ଚାୟତରେ ବୈଠକ କରି ଉଚ୍ଚ ଉତ୍ପାଦନ ସହିତ ଆକର୍ଷଣୀୟ ଅଫର ଦେବା ଆରମ୍ଭ କରିଛନ୍ତି। ଉଚ୍ଚ ଉତ୍ପାଦନର ଆଶା ରଖି ହାଇବ୍ରିଡ ବିହନ କ୍ରୟ କରିବା ଫଳରେ ଚାଷ ଖର୍ଚ୍ଚ ବୃଦ୍ଧି ହେବା ସହିତ ପ୍ରତିବର୍ଷ ଏହାକୁ କ୍ରୟ କରିବାକୁ ପଡ଼ିଥାଏ। ଏଥିଯୋଗୁଁ କିଛି ବର୍ଷ ହେଲା ରୋଗପୋକ ସମସ୍ୟା ବୃଦ୍ଧି ପାଇଛି। ଏପରିକି ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ କମ୍ପାନି ବିହନକୁ ରୋଗପୋକର କାରଣ ଭାବରେ ବି କୃଷି ବିଭାଗ ଦାୟୀ କରିଛି। କିନ୍ତୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର କୃଷି ନୀତିରେ ହାଇବ୍ରିଡ ବିହନ ପ୍ରୋତ୍ସାହନ ବ୍ୟବସ୍ଥା ଥିବାରୁ ଏହା ଉପରେ ସରକାରଙ୍କ ପକ୍ଷରୁ ଲଗାମ ଲଗାଯାଇ ପାରୁନାହିଁ। ଅଣସାର୍ଟିଫାଏଡ ହାଇବ୍ରିଡ ବିହନ ବିକ୍ରିକୁ କୃଷି ବିଭାଗ କାହିଁକି ଲଗାମ ଲଗାଉ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ବୈଠକରେ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ନିଷ୍ପତ୍ତି ହୋଇଛି।

ଗତବର୍ଷ ଚିନାବାଦାମ ବିହନ ସଙ୍କଟ ହୋଇଥିଲା। ଚଳିତ ବର୍ଷ ସମସ୍ୟା ରହିବ ନାହିଁ ବୋଲି ବିହନ ନିଗମ ଏମଡି କହିଛନ୍ତି। ଖରିଫରେ ଧନିଚା ୧୫ ହଜାର କ୍ବିଣ୍ଟାଲ, ବିରି ୨୦ ହଜାର କ୍ବିଣ୍ଟାଲ, ଚିନାବାଦାମ ୮ ହଜାର କ୍ବିଣ୍ଟାଲ, ମାଣ୍ଡିଆ ୫ ହଜାର କ୍ବିଣ୍ଟାଲ, ହରଡ଼ ୧ ହଜାର କ୍ବିଣ୍ଟାଲ, ମକା ୬୦୦ କ୍ବିଣ୍ଟାଲ ବିକ୍ରି ପାଇଁ ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର