ରାଜ୍ୟ ସରକାରଙ୍କର ଏବେ ଗୋଟିଏ ବିଭାଗ କାମ କରୁଛି, ତାହା ହେଲା ‘ସ୍ବାସ୍ଥ୍ୟ ବିଭାଗ’: ହେମନ୍ତ ଶର୍ମା

ଦିନକୁ ୧୫ ହଜାର ନମୁନା ପରୀକ୍ଷା କରିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟ ସରକାରଙ୍କର ଗୋଟିଏ ବିଭାଗ କାମ କରୁଛି, ତାହା ହେଲା କୋଭିଡ୍ ମୁକାବିଲା ବିଭାଗ। ସ୍ବାସ୍ଥ୍ୟ ବିଭାଗ ଏହି କୋଭିଡ୍ ମୁକାବିଲାକୁ ପରିଚାଳନା କରୁଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ କରୋନା ମୁକାବିଲା ଲାଗି ଟାର୍ଗେଟ୍ ଦେଇଛନ୍ତି ଏବଂ ଏହାକୁ ହାସଲ କରିବା ଲାଗି ସମସ୍ତେ ଲାଗିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାବାସୀଙ୍କ ସୁରକ୍ଷା ଲାଗି ସବୁ ମତେ ଉଦ୍ୟମ କରିବାକୁ କହିଛନ୍ତି।  କୋଭିଡ-୧୯ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ରଣନୀତି ପ୍ରସ୍ତୁତ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।  ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ  ପ୍ରମୁଖ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି ।

ଶିଳ୍ପ ସଚିବ ଶ୍ରୀ ଶର୍ମା କହିଛନ୍ତି, ରାଜ୍ୟ ସରକାର ଏବେ ନମୁନା ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବା ଉପରେ କାମ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ଦିନକୁ ୧୫ ହଜାର ନମୁନା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ଦିନରେ ନମୁନା ପରୀକ୍ଷଣ ଲାଗି  ଓଡ଼ିଶାକୁ ଆହୁରି କୋଭାସ ମେସିନ ଅଣାଯିବ । ଏହି ମେସିନଗୁଡ଼ିକର ସଂଖ୍ୟା ବଢ଼ିବା ପରେ ନମୁନା ପରୀକ୍ଷା ଅଧିକ ହୋଇପାରିବ ।

କୋଭିଡ-୧୯ ପାଇଁ ଲଢ଼େଇ କରୁଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମୀମାନଙ୍କୁ ସାମଗ୍ରୀ ଯୋଗାଇବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏବେ କୋଭିଡ-୧୯ ବିରୋଧରେ ଲଢ଼େଇ ଜାରି ରଖିଛି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ହେଲା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କରୋନା ମୁକ୍ତ ହେବ ରାଜ୍ୟ । ଆଗାମୀ ୬ ମାସ ପର୍ଯ୍ୟନ୍ତ କ’ଣ କରାଯିବ, ସେଥିପାଇଁ ରଣନୀତି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ଶ୍ରୀ ଶର୍ମା ।

କୋଭିଡ୍ ମୁକାବିଲା ସାମଗ୍ରୀ ଯୋଗାଣ ଦାୟିତ୍ବରେ ଥିବା ସଚିବ ଶ୍ରୀ ଶର୍ମାଙ୍କ ଅନୁଯାୟୀ, ରାଜ୍ୟ ସରକାର ଏବେ ୩ଟି ଜିନିଷ ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି। ତାହା ହେଲା ଔଷଧ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ଆଣିବା ଓ ଟେଷ୍ଟିଂ ପାଇଁ ଆବଶ୍ୟକ ହେଉଥିବା କିଟ୍ କ୍ରୟ କରିବା । କୋରନା ମୁକାବିଲା ପାଇଁ କେଉଁ କେଉଁ ମେଡିସିନ କେଉଁଠାରୁ ଆସିବ ଏବଂ ଏଗୁଡ଼ିକ କେମିତି ବ୍ୟବହାର ହେବ ସେ ଦିଗରେ କାମ ହେଉଛି । ସେହିପରି କୋଭିଡ ହସ୍ପିଟାଲରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଯଥା ଶଯ୍ୟା, ଆଇସୋଲେସନ୍ ଲାଗି ବ୍ୟବହାର୍ଯ୍ୟ ଉପକରଣ ବିଭିନ୍ନ କମ୍ପାନିରୁ ଅଣାଯିବା ତାହାକୁ ଗୁରୁତ୍ବ ଦିଆଯାଇଛି।

ସେ କହିଛନ୍ତି, ଟେଷ୍ଟିଂପାଇଁ ଯେଉଁ ସାମଗ୍ରୀ ଦରକାର ତାହା ଆଣିବା ପାଇଁ ଯୋଗାଣକାରୀ ସଂସ୍ଥାଙ୍କ ସହ ଯୋଗାଯୋଗ କରୁଛୁ । କୋଭିଡ-୧୯ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଓଡ଼ିଶାରେ ପ୍ରସ୍ତୁତ ହେଉ ନାହିଁ । ତେଣୁ ଏଗୁଡ଼ିକ ବାହାର ରାଜ୍ୟରୁ ଆଣିବାକୁ ପଡୁଛି । ସେହିଭଳି ଆଉ କିଛି ସାମଗ୍ରୀ ଦେଶ ଭିତରେ ମିଳୁ ନ ଥିବାରୁ ବିଦେଶ ଉପରେ ନିର୍ଭର କରିବାକୁ ପଡୁଛି । ତେଣୁ ବାହାର ରାଜ୍ୟ ଓ ଦେଶଗୁଡ଼ିକରେ ଥିବା ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ କରି ସେଗୁଡ଼ିକ ଅଣାଯାଉଛି । ବାହାର ରାଜ୍ୟରୁ ଆସିବା ପରେ ଏଗୁଡିକୁ ଜିଲ୍ଲାଗୁଡ଼ିକୁ ପଠାଯାଉଛି । ତାହା ପୁଣି ଜିଲ୍ଲାକୁ ପଠାଯିବା ପରେ ସେଗୁଡ଼ିକ ବିଭିନ୍ନ ହସ୍ପିଟାଲରେ କେମିତି ବିନିଯୋଗ କରାଯାଉଛି, ସେ ଉପରେ ନଜର ରଖାଯାଉଛି । କରୋନା ଯୁଦ୍ଧରେ ଲଢ଼େଇ କରୁ କରୁ ସକାଳ ଠାରୁ ସନ୍ଧ୍ୟା କେମିତି ହେଉଛି, ତାହା ଜଣାପଡୁନାହିଁ ।

ଦେଶରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯିଏକି ପ୍ରତିଟି ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା କରିପାରିଛି । ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା କୋଭିଡ ହସ୍ପିଟାଲଗୁଡ଼ିକରେ କେମିତି ଶଯ୍ୟା ବ୍ୟବସ୍ଥା କରିବାକୁ ହେବ, ଆଇସୋଲେସନ୍ ବେଡ୍ ଖଞ୍ଜା ଯିବ, ସେଥିପାଇଁ କାମ ହେଉଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ଦିନକୁ ୨୫୦୦ ନମୁନା ପରୀକ୍ଷା ହୋଇପାରୁଛି । କୋରାପୁଟ, ବଲାଙ୍ଗୀର ଓ ବାଲେଶ୍ୱରରେ ଆଗାମୀ ୨ ମାସ ମଧ୍ୟରେ କୋବାସ ମେସିନ ଲାଗିବ ।

ସମ୍ବନ୍ଧିତ ଖବର