ଅନୁସୂଚିତ ଜାତିର ସାମାଜିକ, ଆର୍ଥିକ ବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର: ବିଜେପି

କେନ୍ଦ୍ର ସରକାରଙ୍କ ଦ୍ବାରା ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ବୃଦ୍ଧିକୁ ସ୍ବାଗତ

ଭୁବନେଶ୍ୱର : ଦୀର୍ଘ ୨୧ ବର୍ଷ ଧରି ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କୁ ଅବହେଳା କରି ଆସିଛନ୍ତି ରାଜ୍ୟ ସରକାର। ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି କ୍ଷେତ୍ରରେ ୧୬ ପ୍ରତିଶତ ଓ ଶିକ୍ଷା କ୍ଷେତ୍ରରେ ମାତ୍ର ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ବୈଷୟିକ କଲେଜଗୁଡ଼ିକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୨୩ ଓ ୧୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବା ସମୟରେ ରାଜ୍ୟ ସରକାର ଯଥାକ୍ରମେ ୧୨ ଓ ୮ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି। ରାଜ୍ୟରେ ଅନୁସୂଚିତ ଜାତିର ସାମାଜିକ ଓ ଆର୍ଥିକ ବିକାଶରେ ଖୋଦ୍ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ବିରୋଧୀ ଦଲ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ କେନ୍ଦ୍ର ସରକାର ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ୫ ଗୁଣ ବଢ଼ାଇଥିବାରୁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଲେ ଯେ ୧୯୮୯ ମସିହାରୁ ନ୍ୟାସନାଲ ସିଡ୍ୟୁଲକାଷ୍ଟ ଫାଇନାନ୍ସିଆଲ ଡେଭଲପମେଣ୍ଟ୍‌ କର୍ପୋରେସନ୍‌ ଜରିଆରେ ଅନୁସୂଚିତ ଜାତି ଲୋକମାନଙ୍କୁ ଋଣ ଦେବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି। ୩ ଲକ୍ଷରୁ ଅଧିକ ରୋଜଗାର ଥିବା ଅନୁସୂଚିତ ଜାତି ଲୋକଙ୍କୁ ରାଜ୍ୟ ସରକାର ଋଣ ଦେବେ। କିନ୍ତୁ ଏଠାରେ ରାଜ୍ୟ ସରକାର ଗତ ୩ ବର୍ଷରେ ଓଡ଼ିଶାର ମାତ୍ର ୭୪୭ ଜଣଙ୍କୁ ଋଣ ଦେବାର ବ୍ୟବସ୍ଥା କରିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଏହା ବହୁତ କମ୍। ରାଜ୍ୟରେ ଭିଜିଲାନ୍ସ ଏଣ୍ଡ ମନିଟରିଂ କମିଟି ଓ ଷ୍ଟେଟ୍‌ ସିଡ୍ୟୁଲ କାଷ୍ଟ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ ଖୋଦ୍‌ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି କମିଟିଗୁଡ଼ିକର ବୈଠକ ବସୁ ନ ଥିବା କାରଣରୁ ରାଜ୍ୟରେ ଅନୁସୂଚିତ ଜାତି ଲୋକଙ୍କର ସୁରକ୍ଷା ଓ ଉନ୍ନତି କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ଏହି ନିଷ୍ପତି ଫଳରେ ଦେଶର ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପାସ୍ କଲା ପରେ ଉଚ୍ଚଶିକ୍ଷା ପାଇଁ ପାଉଥିବା ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ୫ ଗୁଣାରୁ ଅଧିକ ପାଇବେ। ଏଭଳି ନିଷ୍ପତି ଯୋଗୁଁ ଅର୍ଥ ଅଭାବ କାରଣରୁ ମାଟ୍ରିକ୍ ପାସ୍ ପରେ ଉଚ୍ଚଶିକ୍ଷାରୁ ବଞ୍ଚିତ ପ୍ରାୟ ୧ କୋଟି ୩୬ ଲକ୍ଷ ଅନୁସୂଚୀତ ଜାତିର ଗରିବ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିପାରିବେ। କେନ୍ଦ୍ର ସରକାର ୨୦୧୭-୧୮ ଠାରୁ ୨୦୧୯-୨୦ ପର୍ଯ୍ୟନ୍ତ ବାର୍ଷିକ ୧୧୦୦ କୋଟି ଟଙ୍କା ଅନୁଦାନ ଦେଉଥିଲା ବେଳେ ୨୦୨୦-୨୧ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ୬୦୦୦ କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେବେ। ଏହା ଫଳରେ ଗରିବ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନେ ଠିକ୍ ସମୟରେ ଛାତ୍ରବୃତି ପାଇପାରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଭାରୀ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର