କରୋନା ମୁକାବିଲା ଲାଗି ଟେଷ୍ଟିଂ ବଢ଼ିଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି : ଶାଳିନୀ ପଣ୍ଡିତ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି । ଟେଷ୍ଟିଂ ବଢ଼ି ଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହା କହିଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି, ରାଜ୍ୟର ୫୪ଟି ପରୀକ୍ଷାଗାରରେ କୋଭିଡ ଟେଷ୍ଟିଂ ଚାଲିଛି। ଆଣ୍ଟିଜେନ୍ ଟେଷ୍ଟିଂ ମଧ୍ୟ ବହୁମାତ୍ରାରେ ଚାଲିଛି । ଗଂଜାମରେ ଦିନକୁ ୧୫୦୦ରୁ ୨୦୦୦ ଟେଷ୍ଟିଂ କରାଯାଉଛି । ଅଧିକ ପଜିଟିଭ ବାହାରିବାରୁ ଟେଷ୍ଟିଂ ବଢ଼ାଯାଇଛି । କରୋନା ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟିଂ କରାନ୍ତୁ । ଭିନ୍ନ ସମୟରେ ଜଣେ ଲୋକର ଭିନ୍ନ ରିପୋର୍ଟ ଆସିପାରେ । ରାଜ୍ୟରେ କୋଭିଡ ଟେଷ୍ଟିଂ ସଠିକ ରୂପେ ଚାଲିଛି ।

ଶ୍ରୀମତୀ ପଣ୍ଡିତ କହିଛନ୍ତି, ଟେଷ୍ଟିଂର ପ୍ରଥମ ୧୦ ସପ୍ତାହରେ ୧ ଲକ୍ଷ କୋଭିଡ ପରୀକ୍ଷା ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ୧୦ ଦିନରେ ଏକ ଲକ୍ଷ କୋଭିଡ ପରୀକ୍ଷା କରାଯାଇଥିଲା। ସରକାର ଓ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ମୟୂରଭଂଜ, କଳାହାଣ୍ଡି, ମାଲକାନଗିରି ଓ ରାୟଗଡ଼ା ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଟେଷ୍ଟିଂ ହେଉଛି । ଗାଁ ଓ ସହରାଂଚଳରେ ଆମର ଟିମ ନମୁନା ସଂଗ୍ରହ କରୁଛନ୍ତି ।

ଆଶା ଦିଦିମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ଯଦି ଟେଷ୍ଟିଂ ବଢୁଛି, ତେଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସ୍ୱାଭାବିକ । ତେଣୁ ଯେତେଶୀଘ୍ର ଆମେ ଟେଷ୍ଟିଂ ବଢ଼ାଇବା, ସେହିଭଳି ଭାବରେ ସଂକ୍ରମିତ ଚିହ୍ନଟ ହେବେ । ଗଂଜାମ ଜିଲ୍ଲାରେ ଟେଷ୍ଟିଂ ବଢ଼ିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଗଂଜାମରୁ ଆମକୁ ଶିଖିବାର ଅଛି । ସେଥିପାଇଁ ମୋର ଅନୁରୋଧ, ସମସ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ ବୋଲି କହିଛନ୍ତି ଶ୍ରୀମତୀ ପଣ୍ଡିତ । ସେ ସାଧାରଣ ଲୋକଙ୍କୁ ଆହ୍ବାନ ଜଣାଇ କହିଛନ୍ତି, ‘କରୋନା ଲକ୍ଷଣ ଦେଖାଗଲେ ଆମକୁ ଜଣାନ୍ତୁ । ଆମର ଟେଷ୍ଟିଂ କରିବାର କ୍ଷମତା ଯଥେଷ୍ଟ ରହିଛି। କରୋନା ମୁକାବିଲା ଲାଗି ସରକାର ସବୁ କ୍ଷେତ୍ରରେ ପ୍ରସ୍ତୁତ ଅଛନ୍ତି । ଆମେ ଦିନକୁ ୨୦ ହଜାର ଟେଷ୍ଟ କରିପାରିବୁ । ଲୋକେ ଆଗେଇ ଆସନ୍ତୁ । ଆମ ପାଖରେ ଭିତ୍ତିଭୂମି ଅଛି । ’

ଶ୍ରୀମତୀ ପଣ୍ଡିତ କହିଛନ୍ତି, ୩୩ ଜଣ ଗୁରୁତରଙ୍କୁ ପ୍ଲାଜମା ଦିଆଯାଇଛି । ପ୍ଲାଜମା ଥେରାପି ପରେ କିଛି ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗଂଜାମ, ଖୋର୍ଦ୍ଧା ଓ କଟକରେ ଶଯ୍ୟା ସୁବିଧା କରାଯାଇଛି । ନିକଟରେ ୧୦୦୦ ଶଯ୍ୟା ବଢ଼ାଯାଇଛି । ସେ କହିଛନ୍ତି, ରାଜ୍ୟରେ ୪୦ ବର୍ଷରୁ କମ୍ ୬୪ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି । ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସଂକ୍ରମିତ ବୋଲି ସେ କହିଛନ୍ତି । ରାଜ୍ୟରେ ୬୩ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର